ଜଳେଶ୍ୱର: ୯୯ ଏକର ଅଞ୍ଚଳରେ ବ୍ୟାପ୍ତ ଥିଲା ବାଲେଶ୍ବର ଜିଲ୍ଲା ଜଳେଶ୍ବରର ‘ନାଉଦହ’ ଜଳାଶୟ। ଏହା ଲୋକଙ୍କ ଜୀବନଜୀବିକାର ଏକ ଅଂଶ ପାଲଟିଥିଲା। ହେଲେ ପ୍ରତିକୂଳ ପରିସ୍ଥିତିରେ ଏବେ ସତ୍ତା ହରାଇଛି। ଏହାର ପୁନରୁଦ୍ଧାର ପାଇଁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।
ସୂଚନା ଅନୁସାରେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ତହସିଲ ମହମ୍ମଦନଗର ପାଟଣା ପଞ୍ଚାୟତ ଚାଳନ୍ତି ଗାଁର ୯୯ ଏକର ଜମିରେ ରହିଥିଲା ‘ନାଉଦହ’ ଜଳାଶୟ। ଯାହା ୪ଟି ଗାଁ ଚକରଡ଼ା, ଚାଳନ୍ତି, ଜଳେଶ୍ବରପୁର ଓ ତରିବତପୁରର ସୀମାକୁ ଛୁଇଁଥିଲା। ଏହି ଜଳାଶୟର ପଶ୍ଚିମ ପାର୍ଶ୍ବ ଦେଇ ଯାଇଛି ଦକ୍ଷିଣ-ପୂର୍ବ ରେଳପଥ। ପୂର୍ବ ପାର୍ଶ୍ବରେ ରହିଛି ୧୬ ନମ୍ବର ଜାତୀୟ ରାଜପଥ। ସେହିପରି ନିକଟରେ ପ୍ରବାହିତ ହେଉଛି ଚିରସ୍ରୋତା ସୁବର୍ଣ୍ଣରେଖା। ଦିନ ଥିଲା ନାଉଦହ ଲୋକଙ୍କ ଜୀବନଜୀବିକାର ଉତ୍ସ ଥିଲା। ଲୋକେ ଗାଧୋଇବାଠାରୁ ଆରମ୍ଭ କରି ଚାଷ ଏବଂ ଅନ୍ୟ କାମ ପାଇଁ ଏହାର ପାଣିକୁ ବ୍ୟବହାର କରୁଥିଲେ। ସୁବର୍ଣ୍ଣରେଖାର ବନ୍ୟାପାଣି ଏହା ଭିତରକୁ ପ୍ରବେଶ କରିବା ଯୋଗୁଁ ଉପକୂଳ ଉର୍ବର ଉପତ୍ୟକାରେ ପରିଣତ ହୋଇଥିଲା। ନାଉଦହରୁ ମାଛ ଧରିବା ପାଇଁ ସ୍ଥାନୀୟ ଲୋକଙ୍କ ସହ ଜଳେଶ୍ବର ବ୍ଲକ୍ର ବିଭିନ୍ନ ଅଞ୍ଚଳରୁ ଲୋକେ ଆସୁଥିଲେ। କେବଳ ସେତିକି ନୁହେଁ, ସ୍ଥାନୀୟ ଅଞ୍ଚଳର ଉଦ୍ବୃତ୍ତ ବର୍ଷାପାଣି ଓ ସୁବର୍ଣ୍ଣରେଖା ବନ୍ୟାପାଣି ନାଉଦହ ଦେଇ ନିଷ୍କାସିତ ହେଉଥିଲା।
ହେଲେ, ଏବେ ନାଉଦହର ଭୂଗୋଳ ବଦଳିଯାଇଛି। ଏହି ଜଳାଶୟ ତା’ର ସତ୍ତା ହରାଇଛି। ୯୯ ଏକର ପରିବ୍ୟାପ୍ତ ନାଉଦହର ପାଖାପାଖି ୯ ଏକରରୁ ଅଧିକ ଅଂଶ ବ୍ୟକ୍ତିଗତ ମାଲିକାନାକୁ ଚାଲିଯାଇଥିବା ବେଳେ ରକ୍ଷଣାବେକ୍ଷଣ ଅଭାବରୁ ବାକି ୯୦ ଏକର ପୋତି ହୋଇଯାଇଛି। ଫଳରେ ଗାଧୋଇବା ପାଇଁ ଲୋକେ ଆବଶ୍ୟକ ପାଣି ପାଉନାହାନ୍ତି। ଚାଷ ଓ ଅନ୍ୟ କାମ ପାଇଁ ପାଣି ମିଳୁନି। ଉପକୂଳର ଉର୍ବରତା ହଜିଗଲାଣି। ଆଉ ଚାଷ ବି ହେଉନି। ମାଛ ମିଳିବା ସ୍ବପ୍ନ ପାଲଟିଛି। ପରିବେଶ ବିଗିଡ଼ିବା ଯୋଗୁ ଲୋକମାନେ ନାନା ସମସ୍ୟା ଭୋଗୁଛନ୍ତି। ‘ନାଉଦହ’ର ପୁନରୁଦ୍ଧାର କରାଯିବା ସହ ସେଠାରେ ୱାଟର୍ ପାର୍କ, ନୌଚାଳନା ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା, ସରକାରୀ ଯାଆଁଳା ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରାଯିବା ନେଇ ସରପଞ୍ଚ ଅରୁଣ ସେନାପତି, ବରିଷ୍ଠ ନେତା ବିନୋଦ ବିହାରୀ ମହାନ୍ତି, ସମାଜସେବୀ ହରିପଦ ମାନ୍ନା, ରାମକୃଷ୍ଣ ମାଝୀ, ଖକନ ଜେନା, ଜଳେଶ୍ୱର ବିକାଶ କମିଟିର ସଭାପତି ରତ୍ନାକର ରାୟ ପ୍ରମୁଖ ଦାବି କରିଛନ୍ତି। ଯାହାଦ୍ୱାରା ସ୍ଥାନୀୟ ଲୋକେ ଆତ୍ମନିଯୁକ୍ତିର ସୁଯୋଗ ପାଇ ପାରିବେ ବୋଲି କୁହାଯାଉଛି। କିଛି ବର୍ଷ ତଳେ ନାଉଦହର ପୁନରୁଦ୍ଧାର ସହ ଏହାକୁ ପର୍ଯ୍ୟଟନସ୍ଥଳ କରିବା ପାଇଁ ଉଦ୍ୟମ ହୋଇଥିଲା। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଇଡ୍କୋକୁ ହସ୍ତାନ୍ତର କରାଯିବା ନେଇ ପ୍ରସ୍ତାବ ଥିଲା। ହେଲେ, ତାହା ନାଲିଫିତା ତଳେ ରହିଯାଇଛି।
Follow Us