Woman inmate runs away from SCB Medical Center after kicking jail guard
କଟକ: ପାଖାପାଖି ୪ ମାସ ହେଲା ଏସ୍ସିବି ମେଡିକାଲ କଲେଜ୍ ଓ ହସ୍ପିଟାଲରେ ବନ୍ଦ ହୋଇଯାଇଛି ବୋନ୍ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟେସନ୍ (ଅସ୍ଥି ମଜ୍ଜା ପ୍ରତିରୋପଣ)। ସବୁ ସୁବିଧା ସୁଯୋଗ ଥାଇ ବି କାହା ସ୍ବାର୍ଥରେ ଏହାକୁ ବନ୍ଦ କରାଯାଇଛି ବୋଲି ଏବେ ପ୍ରଶ୍ନ ଉଠୁଛି। ଏ ପ୍ରସଙ୍ଗରେ କର୍ତ୍ତୃପକ୍ଷଙ୍କ ଭୂମିକା ସନ୍ଦେହର କାରଣ ହୋଇଛି। ରାଜ୍ୟର ସରକାରୀ ବ୍ୟବସ୍ଥାରେ ଏସ୍ସିବିରେ ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଉଥିଲା। ୨୦୧୪ରୁ ଏଥିପାଇଁ ଭିତ୍ତିଭୂମି ପ୍ରସ୍ତୁତ କରାଯାଇ ହେମାଟୋଲୋଜି ବିଭାଗରେ ସ୍ବତନ୍ତ୍ର ବୋନ୍ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ (ବିଏମ୍ଟି) ୟୁନିଟ୍ ଆରମ୍ଭ ହୋଇଥିଲା। ୨୦୨୫, ମାର୍ଚ୍ଚ ୨୫ ତାରିଖରୁ ବିଏମ୍ଟି ବନ୍ଦ ରହିଛି। ସେହି ସମୟରେ ମୋଟ ୧୮୦ ଜଣ ରୋଗୀଙ୍କର ଅସ୍ଥିମଜ୍ଜା ପ୍ରତିରୋପଣ ହୋଇଥିଲା। କୌଣସି ସରକାରୀ ବ୍ୟବସ୍ଥାରେ ସଂପୂର୍ଣ୍ଣ ମାଗଣାରେ ଏତେ ସଂଖ୍ୟକ ଅସ୍ଥିମଜ୍ଜା ପ୍ରତିରୋପଣ କରି ଏସ୍ସିବିର ହେମାଟୋଲୋଜି ବିଭାଗ ସେ ସମୟରେ ରେକର୍ଡ କରିଥିଲା। ଯାହାକି ପୂର୍ବ ଭାରତରେ ସର୍ବାଧିକ ବୋଲି କୁହାଯାଉଛି। ବର୍ତ୍ତମାନ ରାଜ୍ୟରେ ଏକ ନିର୍ଦ୍ଦିଷ୍ଟ ଘରୋଇ ହସ୍ପିଟାଲରେ ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଉଥିବା ବେଳେ ଏଥିପାଇଁ ୩୦ରୁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। କୌଣସି ପ୍ରକାର ସରକାରୀ ସ୍ବାସ୍ଥ୍ୟବୀମା ବ୍ୟବସ୍ଥାରେ ବି ଏହି ଚିକିତ୍ସା ସାଧାରଣ ଗରିବ ରୋଗୀଙ୍କ ପାଇଁ ସମ୍ଭବ ହୋଇପାରିବ ନାହିଁ। ଫଳରେ ଗଲା ୪ ମାସ ହେଲା ଅନେକ ରୋଗୀ ଏହି ଚିକିତ୍ସାରୁ ବଞ୍ଚିତ ହୋଇ ଆସୁଛନ୍ତି।
ରାଜ୍ୟର ଏକମାତ୍ର ସରକାରୀ ପ୍ରତିଷ୍ଠାନ ଭାବେ ରହିଥିଲା ବ୍ୟବସ୍ଥା
ଘରୋଇ ବ୍ୟବସ୍ଥାରେ ଖର୍ଚ୍ଚ ହେଉଛି ୩୦ରୁ ୪୦ ଲକ୍ଷ ଟଙ୍କା
ହେମାଟୋଲୋଜି ବିଭାଗରେ ଏବେ କୌଣସି ପ୍ରଫେସର ନାହାନ୍ତି। ୩ ଜଣ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ସ୍ଥାନରେ ୨ ଜଣ ଅଛନ୍ତି। ହେମାଟୋଲୋଜି ବିଭାଗର ପ୍ରଫେସର ଭାବେ କାର୍ଯ୍ୟ କରି ଆସୁଥିବା ଡାକ୍ତର ଆର୍. କେ. ଜେନାଙ୍କୁ ଅବସର ପରେ ଚୁକ୍ତିଭିତ୍ତିରେ ରଖାଯାଇ ଏହି ଗୁରୁତ୍ବପୂର୍ଣ୍ଣ ଚିକିତ୍ସା ବ୍ୟବସ୍ଥା ଚାଲିଥିଲା। କିନ୍ତୁ ହଠାତ୍ ଡାକ୍ତର ଜେନାଙ୍କ ଚୁକ୍ତି ନବୀକରଣ କରା ନଯିବା ଫଳରେ ଏବେ ବିଭାଗରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ବିକଳ୍ପ ବ୍ୟବସ୍ଥା ନ କରି କେଉଁ ଉଦ୍ଦେଶ୍ୟରେ କେଉଁ ଅଧିକାରୀ ଏଭଳି ପଦକ୍ଷେପ ନେଲେ, ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ। ସାଧାରଣ ରୋଗୀଙ୍କ ସେବାକୁ ସରକାରୀସ୍ତରରେ ସର୍ବାଧିକ ଗୁରୁତ୍ବ ଦିଆଯାଉଥିବା ବେଳେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଆବଶ୍ୟକତା ସତ୍ତ୍ବେ ପ୍ରଫେସରଙ୍କ ଚୁକ୍ତି ନବୀକରଣ ନ ହେବା ପଛର ରହସ୍ୟ ବର୍ତ୍ତମାନ ଚର୍ଚ୍ଚାର କାରଣ ହୋଇଛି। ବିଭାଗୀୟ ସଚିବ ଓ ମନ୍ତ୍ରୀଙ୍କ ତୁରନ୍ତ ହସ୍ତକ୍ଷେପ ହୁଏତ ଅସ୍ଥିମଜ୍ଜା ପ୍ରତିରୋପଣ ଭଳି ଗୁରୁତ୍ବପୂର୍ଣ୍ଣ ଚିକିତ୍ସା ଏସସିବିରେ ପୁଣି ଆରମ୍ଭ ହେବାରେ ସହାୟକ ହେବ। ଇତିମଧ୍ୟରେ ଏସ୍ସିବିରେ ଲିଭର୍ (ଯକୃତ) ପ୍ରତିରୋପଣ ବ୍ୟବସ୍ଥା ବନ୍ଦ ହୋଇଯାଇଛି। ହାର୍ଟ (ହୃତ୍ପିଣ୍ଡ) ପ୍ରତିରୋପଣ ବ୍ୟବସ୍ଥା ବି ଏହିଭଳି ବିଭିନ୍ନ କାରଣରୁ ଆଗେଇ ପାରୁନାହିଁ। ଏସ୍ସିବି ଯେଉଁ ସବୁ ଚିକିତ୍ସା ବ୍ୟବସ୍ଥା ପାଇଁ ସ୍ବତନ୍ତ୍ରତା ହାସଲ କରିଥିଲା, ତାହା ବନ୍ଦ ହୋଇ ଚାଲିଥିବା ବେଳେ ବିଶ୍ବସ୍ତରୀୟ ଏସ୍ସିବି ଘୋଷଣା କିଭଳି କାର୍ଯ୍ୟକାରୀ ହେବ ବୋଲି ପ୍ରଶ୍ନ ଉଠୁଛି।
Follow Us