ଓଏସ୍‌ଆର୍‌ଟିସିର ଭଲଦିନ ଫେରୁଛି: ଚିତ୍ରକୋଣ୍ଡା, ଆସାନସୋଲ୍ ବ୍ୟତୀତ ୧୦ ରୁଟ୍‌ରେ ଚାଲିଛି ୧୫ ବସ୍

Advertisment
୧୨ରେ ଲକ୍ଷ୍ମୀବସ ଲୋକାର୍ପଣ କାର୍ଯ୍ୟକ୍ରମ ପାଇଁ ଓଏସ୍‌ଆରଟିସି ଜୟପୁର ଜୋନ୍‌ର ୨୫ଟି ରୁଟର ବସ୍‌ ୩ଦିନ ପାଇଁ ବାତିଲ୍

ଭଞ୍ଜନଗର: କିଛି ବର୍ଷ ତଳେ ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଓଏସ୍‌ଆର୍‌ଟିସି ଶାଖା କ୍ଷତିରେ ଚାଲୁଥିଲା। କର୍ମଚାରୀମାନେ ଦରମା ପାଉନଥିଲେ। ଏହି ଶାଖାର ଗାଡ଼ିଗୁଡିକୁ ଅନ୍ୟ ଶାଖାକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଏହାକୁ ନେଇ ସ୍ଥାନୀୟ କର୍ମଚାରୀ ଓ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏବେ ଧୀରେ ଧୀରେ ଭଲ ଦିନ ଫେରୁଛି। କେବଳ ଚିତ୍ରକୋଣ୍ଡା ଓ ଆସାନ‌୍‌ସୋଲ୍‌ ବ୍ୟତୀତ ଅନ୍ୟ ସମସ୍ତ ରୁଟ୍‌ରେ ସ୍ବାଭାବିକ ଭାବେ ବସ୍ ଚଳାଚଳ କରୁଛି।‌ କର୍ମଚାରୀ ବି ଉପକୃତ ହେଉଛନ୍ତି।

ଭଞ୍ଜନଗର ଓଏସ୍ଆର୍‌ଟିସି ଶାଖା ରାଜ୍ୟର ଏକ ପ୍ରମୁଖ ଡିପୋ। ରାଜ୍ୟ ଓ ରାଜ୍ୟ ବାହାରର ଅନେକ ସ୍ଥାନକୁ ଏଠାରୁ ବସ୍ ଚଳାଚଳ କରୁଥିବା ବେଳେ ବହୁ ବର୍ଷ ହେଲା ଯାତ୍ରୀ ସେବା ପାଇଁ ଆସୁଛନ୍ତି। ବିଶେଷକରି ଏହି ୟୁନିଟ୍ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାକୁ ସଂଯୋଗ କରୁଥିବାରୁ ଯୋଗାଯୋଗ କ୍ଷେତ୍ରରେ ଅଧିକ ଗୁରୁତ୍ବ ବହନ କରୁଛି। ସୂଚନା ଅନୁସାରେ ଏହି ୟୁନିଟ୍‌ ଅଧୀନରେ ବର୍ତ୍ତମାନ ୧୦ଟି ରୁଟ୍‌ରେ ୧୫ଟି ବସ୍‌ ଚଳାଚଳ କରୁଛି। ପୂର୍ବରୁ ପରମିଟ୍‌ ଥାଇ ମଧ୍ୟ ଅନେକ ରୁଟ୍‌ରେ ବସ୍‌ ଚଳାଚଳରେ ସମସ୍ୟା ଦେଖା ଦେଇଥିଲା। କିନ୍ତୁ ଏବେ କିଛିବର୍ଷ ହେଲା ସମସ୍ୟାର ସମାଧାନ ହୋଇପାରିଛି।

ଏହି ୟୁନିଟ୍‌ରୁ କାଳିମେଳା, ମାଲକାନଗିରି, ଇନ୍ଦ୍ରାବତୀ, ସୁ‌ନାବେଡ଼ା ଏବଂ ଆନ୍ଧ୍ରପ୍ରଦେଶର ସୀମାଞ୍ଚଳମ୍‌କୁ ୨ଟି ଲେଖାଏଁ ବସ୍‌ ଯାତାୟାତ କରୁଛି। କଟକ ରୁଟ୍‌ରେ ‌ପ୍ରତିଦିନ ୩ଟି ଏବଂ ଦାରିଙ୍ଗବାଡ଼ି ଓ ନରସିଂହପୁରକୁ ଗୋଟାଏ ଲେଖାଏଁ ବସ୍‌ ଯାତାୟତ କରୁଛି। ଏଥିସହ ଭୁବନେଶ୍ବର, କେନ୍ଦୁଝର ଓ ପୁରୀ ୟୁନିଟ୍‌ରୁ ଭଞ୍ଜନଗରକୁ ପ୍ରତିଦିନ ବସ୍‌ ଆସୁଥିବା ବେଳେ ଅନ୍ୟାନ୍ୟ ୟୁନିଟ୍‌ରୁ ସମ୍ବଲପୁର, ରାଉରକେଲା, ବନ୍ଦବାହାଲ, ବାଲିଗୁଡ଼ା, ବରଗଡ଼, ବୁର୍ଲା ଓ ଭବାନୀପାଟଣା ରୁଟ୍‌କୁ ଭାୟା ଭଞ୍ଜନଗର ହୋଇ ବସ୍‌ ଚଳାଚଳ କରୁଛି। ତେବେ ପୂର୍ବରୁ ଚିତ୍ରକୋଣ୍ଡା ରୁଟ୍‌ରେ ୩ଟି ବସ୍‌ ଯାତାୟାତ କରୁଥିବ‌ା ବେଳେ ତାହା ଅନେକ ବର୍ଷ ହେଲା ବନ୍ଦ ହୋଇ ପଡ଼ିଛି। ଏଥିସହ ଆସାନ୍‌ସୋଲ୍ ରୁଟ୍‌ରେ ମଧ୍ୟ ୩ଟି ବସ୍‌ ଯାତାୟାତ କରୁଥିଲା। କୋଭିଡ୍ ସମୟରେ ପରମିଟ୍‌କୁ ନେଇ କିଛି ସମସ୍ୟା ଉପୁଜିବାରୁ ତାହାକୁ ବନ୍ଦ କରି ଦିଆଯାଇଛି।

ବର୍ତ୍ତମାନ ପୁଣି ପରିବହନ ବିଭାଗ ପକ୍ଷରୁ ଭଞ୍ଜନଗର- ଆସାନ୍‌ସୋଲ୍‌ ପାଇଁ ନୂଆ ପରମିଟ୍ ମିଳିଛି। ନୂଆ ବସ୍ ଆସିଲେ ସେହି ରୁଟ୍‌ରେ ବସ୍ ଚଳାଚଳ କରିବ ବୋଲି ସୂଚନା ମିଳିଛି।ମୋଟାମୋଟି ଭାବେ କହିବାକୁ ଗଲେ, ଏହି ୟୁନିଟ୍‌ରୁ ଯାତାୟାତ କରୁଥିବା ଅନେକ ବସ୍‌ ଲାଭଦାୟକ ସାବ୍ୟସ୍ତ ହୋଇଛି। ସୀମାଞ୍ଚଳମ୍‌ ପୀଠକୁ ୨ଟି ଓ ଇନ୍ଦ୍ରାବତୀ ରୁଟ୍ ପାଇଁ ଗୋଟିଏ ନୂଆ ବସ୍ ଏବେ ଚାଲିଛି। କିନ୍ତୁ ସାଂପ୍ରତିକ ପରିସ୍ଥିତିରେ ଏଠାରୁ ଅତ୍ୟାଧୁନିକ ବସ୍ ଚଳାଚଳ ନିତାନ୍ତ ଆବଶ୍ୟକ। ଯାତ୍ରୀଙ୍କୁ ଆକର୍ଷିତ କରିବା ଭଳି ନୂଆ ବସ୍ ସାମିଲ କରିବା ଦ୍ବାରା ୟୁନିଟ୍‌ରୁ ଅଧିକ ରାଜସ୍ବ ଆଦାୟ ହୋଇପାରିବ। ବର୍ତ୍ତମାନ ବ୍ରହ୍ମପୁର ଜିଲ୍ଲା ପରିବହନ ମ୍ୟାନେଜର୍ (ଡିଟିଏମ୍‌) ଏହାର ଦାୟିତ୍ବରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe