ଅପାରଗତା ଲୁଚାଇବାକୁ ସରକାର କରୋନା ମୃତ୍ୟୁ ସଂଖ୍ୟା ଘୋଡ଼ାଉଛନ୍ତି

Advertisment

କୋଭିଡ୍ ଆୟୋଗ ଗଠନ ଓ ମୃତକଙ୍କ ପରିବାରକୁ ୪ ଲକ୍ଷ ସହାୟତା ଦାବି

କୋଭିଡ୍ ଆୟୋଗ ଗଠନ ଓ ମୃତକଙ୍କ ପରିବାରକୁ ୪ ଲକ୍ଷ ସହାୟତା ଦାବି

ଅପାରଗତା ଲୁଚାଇବାକୁ ସରକାର କରୋନା ମୃତ୍ୟୁ ସଂଖ୍ୟା ଘୋଡ଼ାଉଛନ୍ତି

ସମ୍ବଲପୁର: ଦେଶରେ କୋଭିଡ୍ ପରିଚାଳନାର ଅବ୍ୟବସ୍ଥା ଓ ମୃତ୍ୟୁ ସଂଖ୍ୟାକୁ ଲୁଚାଇ ମୋଦୀ ସରକାର ବାହାବା ନେବାକୁ ହୀନ ପ୍ରୟାସ କରିଛି। ସରକାର ଭାରତରେ କୋଭିଡ୍‌ ମୃତ୍ୟୁ ସଂଖ୍ୟା ୪.୮ ଲକ୍ଷ ଦର୍ଶାଉଥିବା‌ ବେଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହା ୪୭ ଲକ୍ଷ ବୋଲି କହିଛି। ଏହା ମୋଦୀ ସରକାରର ଅପାରଗତାକୁ ପଦାରେ ପକାଇଛି। ତେଣୁ କେନ୍ଦ୍ର ସରକାର କୋଭିଡ୍ ଆୟୋଗ ଗଠନ କରନ୍ତୁ ଓ ପ୍ରକୃତ ମୃତ୍ୟୁ ସଂଖ୍ୟା ସାମ୍‌ନାକୁ ଆସୁ ବୋଲି ଯୁବ କଂଗ୍ରେସ୍ ପକ୍ଷରୁ ଦାବି କରାଯାଇଛି।

ସୋମବାର ଜିଲ୍ଲା କଂଗ୍ରେସ୍ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସ୍ ସଭାପତି ପ୍ଳାବନ ବହିଦାର କହିଲେ, କୋଭିଡ୍ ସଂପର୍କରେ ପ୍ରକୃତ ଚିତ୍ର ଲୋକଲୋଚନକୁ ଆଣିବା ପାଇଁ ସବୁ ଦଳର ନେତାଙ୍କ ନେଇ ଏକ କୋଭିଡ୍ ଆୟୋଗ ଗଠନ କରାଯାଉ। ଏଥି ସହ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଉ ବୋଲି ଶ୍ରୀ ବହିଦାର ଦାବି କରିଥିଲେ। କରୋନା ସମୟରେ ଗଂଗା ନଦୀରେ କୁଢ଼କୁଢ଼ ଶବ ଭାସୁଥିବା ଦେଖିବାକୁ ମିଳିଥିଲା। ଅକ୍ସିଜେନ ଅଭାବରୁ ରୋଗୀମାନେ ଡହଳବିକଳ ହୋଇ ଜୀବନ ହାରୁଥିଲେ। ଏଭଳି ବିକଟ ସମୟରେ ସରକାର ହାତ ଟେକି ଦେଇଥିବାବେଳେ ଦିଲ୍ଲୀରେ ଯୁବକଂଗ୍ରେସ୍‌ର କର୍ମୀମାନେ ପାରୁ ପର୍ଯ୍ୟନ୍ତ କୋଭିଡ୍ ଆକ୍ରାନ୍ତଙ୍କ ସହାୟତା କରିଥିଲେ। ଯୁବକଂଗ୍ରେସ ରାଷ୍ଟ୍ରୀୟ ସଭାପତି ଶ୍ରୀନିବାସ ବିଭିଙ୍କ ନେତୃତ୍ବରେ କର୍ମୀମାନେ ଅକ୍ସିଜେନ ଯୋଗାଣରେ ଲାଗିଥିଲେ।

କିନ୍ତୁ ମୋଦୀ ସରକାର ଏହା ସହ୍ୟ କରି ନପାରି ପରବର୍ତ୍ତୀ ସମୟରେ ଶ୍ରୀ ଶ୍ରୀନିବାସଙ୍କ ସହ ଯୁବ କଂଗ୍ରେସ୍ କର୍ମୀଙ୍କୁ ନାନା ହଇରାଣ ହରକତ କରିଥିଲା ବୋଲି ଶ୍ରୀ ବହିଦାର ଅଭିଯୋଗ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ଆଶୁତୋଷ ସ୍ବାଇଁ, ସୁମିତ ଷଡ଼ଙ୍ଗୀ, ନୀଳକଣ୍ଠ ମେସ୍‌ବା, ମୌସମ ପଟ୍ଟନାୟକ, ବିକାଶ ବେହେରା, ଯୋଗେଶ ବାଘ, ମୁକେଶ ଶର୍ମା, ଉମେଶ ଡନ୍‌ସେନା, ନେହା ଖାନ୍ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe