ହଇଜା ମୃତ୍ୟୁ ଘଟଣାରେ ସରକାର ମିଛ କହୁଛନ୍ତି, ବିଧାନସଭାରେ ପୁଣି ପ୍ରସଙ୍ଗ ଉଠାଇଲେ ବିରୋଧୀ

Advertisment

ଗୃହ କମିଟି ଗଠନ ପାଇଁ ଦାବି, ହୋହଲ୍ଲା, ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି

ଗୃହ କମିଟି ଗଠନ ପାଇଁ ଦାବି, ହୋହଲ୍ଲା, ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି

ପାରିତ ହେଲା ବ୍ୟୟମଞ୍ଜୁରି ବିଲ୍: ୬ ଦିନ ଆଗରୁ ବଜେଟ୍‌ ଅଧିବେଶନ ଶେଷ

Telegraph India

ଭୁବନେଶ୍ବର: ରାୟଗଡ଼ା ଜିଲ୍ଲାର କାଶୀପୁରରେ ହଇଜା ବ୍ୟାପିବା ଓ ଲୋକ ମୃତ୍ୟୁ ମୁଖରେ ପଡ଼ିବା ପ୍ରସଙ୍ଗରେ ସରକାର ମିଛ କହୁଛନ୍ତି ବୋଲି ବିରୋଧୀ ଦଳ ଅଭିଯୋଗ କରିଛନ୍ତି। ଆଜି ବିଧାନସଭାରେ ପୁନର୍ବାର ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଭର୍ତ୍ସନା କରିଥିଲେ ବିରୋଧୀ। ସେଠାରେ ୧୪ ଜଣ ମରିଥିଲା ବେଳେ ସରକାର ୯ ଜଣ ମରିଥିବା କହୁଛନ୍ତି। ଏହି ଘଟଣାର ଅନୁସନ୍ଧାନ ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୃହ କମିଟି ଗଠନ ପାଇଁ ସେମାନେ ଦାବି କରିଥିଲେ।

ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଲେ, କାଶୀପୁର ହଇଜାରେ ୯ ଜଣ ମରିଛନ୍ତି ବୋଲି ସରକାର ରିପୋର୍ଟ ଦେଖାଇଛନ୍ତି। କିନ୍ତୁ ବାସ୍ତବରେ ସେଠାରେ ୧୪ ଜଣ ମୃତ୍ୟୁମୁଖରେ ପଡ଼ିଲେଣି। ବିଜେପି ବିଧାୟକମାନଙ୍କ ଏକ ଟିମ୍ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛି। ବାସ୍ତବ ସ୍ଥିତି ଆହୁରି ସାଂଘାତିକ। ପାଖାପାଖି ଅନ୍ୟ ଅଞ୍ଚଳକୁ ମଧ୍ୟ ହଇଜା ବ୍ୟାପିଗଲାଣି। ଉତ୍କଳ ଆଲୁମିନାରୁ ଦୂଷିତ ପାଣି ଆସି ସେଠାକାର ବନ୍ଧରେ ମିଶୁଛି। ସେଠାରୁ ଗାଁକୁ ପାଣି ସଂଯୋଗ ହୋଇଛି। ସେହି ଦୂଷିତ ପାଣି ପିଇବା ଯୋଗୁ ଏମିତି ପରିସ୍ଥିତି ସୃଷ୍ଟି ହୋଇଛି। ୨୨ ବର୍ଷର ଶାସନ ଭିତରେ ବିଜେଡି ସରକାର ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ପାରିନାହାନ୍ତି। ବିକାଶର ବାର୍ତ୍ତା ଗାଁ ଗାଁରେ ପହଞ୍ଚିଛି ବୋଲି ସରକାର ଯେଉଁ ଡିଣ୍ଡିମ ପିଟୁଛନ୍ତି, ତାହା ସମ୍ପୂର୍ଣ୍ଣ ଅମୂଳକ। କାଶୀପୁର ହଇଜା ଘଟଣା ମନୁଷ୍ୟକୃତ ଓ ଏଥିପାଇଁ ସରକାର ସମ୍ପୂର୍ଣ୍ଣ ଦାୟୀ। ୨୦୦୨ ଓ ୨୦୦୭ରେ ମଧ୍ୟ କାଶୀପୁର ଅଞ୍ଚଳରେ ଝାଡ଼ାବାନ୍ତି ଓ ହଇଜା ମହାମାରୀ ରୂପ ନେଇଥିଲା। କିନ୍ତୁ ସରକାର ସେଥିରୁ କିଛି ଶିକ୍ଷା ପାଇଲେ ନାହିଁ। ଏହି ଘଟଣାରେ ଏକ ସର୍ବଦଳୀୟ କମିଟି ଗଠନ କରି ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବାକୁ ଶ୍ରୀ ମାଝୀ ଦାବି କରିଥିଲେ।

କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି କହିଲେ, ଅବିଭକ୍ତ କୋରାପୁଟ ଜିଲ୍ଲାରେ ହଇଜା ବ୍ୟାପିଲାଣି। ଟିକିରିରେ ୧୪ ଜୀବନ ଗଲାଣି। ମନ୍ତ୍ରୀ କେବଳ ଗୋଲାପି ଚିତ୍ର ଦେଖାଉଛନ୍ତି। ଉତ୍କଳ ଆଲୁମିନାର ଦୂଷିତ ପାଣିକୁ ବିନା ଟ୍ରିଟ୍‌ମେଣ୍ଟ୍‌ରେ ଛଡ଼ାଯାଉଛି। ସେହି ପାଣି ପିଇବା ଯୋଗୁ ଲୋକ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଯେଉଁ ଲୋକ ମରିଛନ୍ତି, ସେମାନଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯାଉ। ସନ୍ତୋଷ ସିଂହ ସାଲୁଜା କହିଥିଲେ, ଅବିଭକ୍ତ କୋରାପୁଟ ଜିଲ୍ଲାରେ ହଇଜା ବ୍ୟାପିବା ଉଦ୍‌ବେଗର ବିଷୟ। ସୋନୁପର ଜିଲ୍ଲାରେ ବି ହଇଜା ଯୋଗୁ ପ୍ରାୟ ୫୦ ଜଣ ଆକ୍ରାନ୍ତ ହୋଇଛନ୍ତି। ଉଭୟ ବିଜେପି ଓ କଂଗ୍ରେସ ସଭ୍ୟ ବାଚସ୍ପତିଙ୍କ ରୁଲିଂ ଦାବି କରି ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଥିଲେ। ବାଚସ୍ପତି କହିଥିଲେ, ତାଙ୍କ ଅଧ୍ୟକ୍ଷତାରେ ଏକ ପରିବେଶ ଗୃହ କମିଟି ରହିଛି। ଆଜି ସ୍ବାସ୍ଥ୍ୟ ବିଭାଗର ଖର୍ଚ୍ଚଦାବି ଆଲୋଚନା ବେଳେ ବିରୋଧୀ ଦଳ ଏହି ପ୍ରସଙ୍ଗରେ ଆଲୋଚନା କରିପାରିବେ। ଖୁବ୍ ଶୀଘ୍ର ଏହି ପ୍ରସଙ୍ଗରେ ରୁଲିଂ ଦେବେ ବୋଲି ସେ କହିଥିଲେ। ଏହାପରେ ବିରୋଧୀ ସଭ୍ୟମାନେ ନିଜ ନିଜ ଆସନକୁ ଫେରିଯାଇଥିଲେ ଓ ଗୃହ ସ୍ବାଭାବିକ ଚାଲିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe