ସରଗରମ ଛାତ୍ର ରାଜନୀତି: ଛାତ୍ର ସଂସଦ ନିର୍ବାଚନ ସପକ୍ଷରେ ନାହାନ୍ତି ସରକାର

Advertisment
ଏବର୍ଷ ବି ହେବନି ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ବର : ଏଥର ମଧ୍ୟ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବ‌ାଚନ କରିବା ସପକ୍ଷରେ ନାହାନ୍ତି ରାଜ୍ୟ ସରକାର। ଦୁଇ ଦିନ ତଳେ ବିଜେବି, ମହର୍ଷି କଲେଜ କ୍ୟାମ୍ପସରେ ଯେଉଁଭଳି ହିଂସା ସୃଷ୍ଟି ହୋଇଛି ତାହାକୁ ଦୃଷ୍ଟିରେ ରଖି ନିର୍ବାଚନ ନ କରିବାକୁ ଉଚ୍ଚଶିକ୍ଷା ବିଭାଗ ଏକପ୍ରକାର ନିଷ୍ପତ୍ତି ନେଇଛି। ତେବେ ଏନେଇ କୌଣସି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇ ନଥିବାରୁ କ୍ୟାମ୍ପସରେ ପତିଆରା ଜାହିର କରିବାକୁ ରାଜ୍ୟର ତିନୋଟି ଯାକ ଛାମୁଆ ଛାତ୍ର ସଙ୍ଗଠନ ଆଗେଇ ଆସିଛନ୍ତି। ଶିକ୍ଷାବର୍ଷ ଆରମ୍ଭରୁ କ୍ୟାମ୍ପସରେ ଛାତ୍ର ରାଜନୀତି ଜୋର ଧରିଛି। ନୂଆ କରି କ୍ୟାମ୍ପସରେ ପାଦ ଥପୁଥିବା ଛାତ୍ରଛାତ୍ରୀଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ସବୁ ସଙ୍ଗଠନ ଲାଗି ପଡ଼ିଛନ୍ତି।

ଶିକ୍ଷାବର୍ଷ ଆରମ୍ଭରୁ ବିଜୁ ଛାତ୍ର ଜନତା ଦଳ ତୃଣମୂଳସ୍ତରରୁ ସଙ୍ଗଠନକୁ ସୁଦୃଢ଼ କରିବାକୁ ପାଗ ଭିଡ଼ିଛି। ରାଜ୍ୟବ୍ୟାପୀ ଛାତ୍ର ସଙ୍ଗଠନକୁ ସୁଦୃଢ଼ କରିବା ସହ ସମସ୍ତ କ୍ୟାମ୍ପସରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିପାଇଁ ଜୁଲାଇ ୧୪ରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ୨୦୨୪ ସାଧାରଣ ନିର୍ବାଚନକୁ ନଜରରେ ରଖି ପଞ୍ଚାୟତରୁ ବୁଥ୍‌ ସ୍ତର ପର୍ଯ୍ୟନ୍ତ କର୍ମକର୍ତ୍ତା ଚୟନ କରାଯିବାର ନିଷ୍ପତ୍ତି ଏହି ବୈଠକରେ ସ୍ଥିର ହେବ। ଛାତ୍ର ବିଜେଡିର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ କିଭଳି ବ୍ୟାପକ ପ୍ରଚାର ପ୍ରସାର କରିପାରିବେ, ସେନେଇ ଦିଗ୍‌ଦର୍ଶନ ନେବେ। ବୈଠକରେ ଛାତ୍ର ସଂସଦ ନିର୍ବାଚନ ଉପରେ ବି ଆଲୋଚନା ହୋଇପାରେ ବୋଲି କୁହାଯାଉଛି। ତେବେ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି ଯେ ଛାତ୍ର ସଂସଦ ନିର୍ବାଚନ ହେବ କି ନାହିଁ, ରାଜ୍ୟ ସରକାର ନିଷ୍ପତ୍ତି ନେବେ। ଆମେ କିନ୍ତୁ ନିର୍ବାଚନ ଲାଗି ପ୍ରସ୍ତୁତ ହୋଇ ରହିଛୁ। ରାଜ୍ୟ ସରକାର ସବୁବେଳେ ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଇଥା’ନ୍ତି। ଏଥର ମଧ୍ୟ ସେହି ଅନୁଯାୟୀ ପଦକ୍ଷେପ ନେବେ ବେଲି ଆଶା ରହିଛି।

ଛାତ୍ର ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ୧୪ରେ
ସେପ୍ଟେମ୍ବର ୨୧ରେ ବିଧାନସଭା ଘେରିବ ଏବିଭିପି
ନିର୍ବାଚନ ନ ହେଲେ ତାଲା ପକାଇବ ଛାତ୍ର କଂଗ୍ରେସ

ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ୟାସିର ନୱାଜ କହିଛନ୍ତି ‌ଯେ ଯେଉଁ କାରଣ ଦର୍ଶାଇ ୫ ବର୍ଷ ହେଲା ନିର୍ବାଚନ ବନ୍ଦ କରାଯାଉଛି, ତାହା ଯୁକ୍ତିଯୁକ୍ତ ନୁହେଁ। ହାରିଯିବା ଭୟରେ ଶାସକ ଦଳ ନିର୍ବାଚନ କରୁନାହିଁ। କେତେବେଳେ କରୋନା ଆଳ ଦେଖାଯାଉଛି ତ ଆଉ କେତେବେଳେ ଛାତ୍ର ଅଶାନ୍ତି ବାହାନାରେ ନିର୍ବାଚନ ବନ୍ଦ ହେଉଛି। ଯେଉଁଥିପାଇଁ ଓଡ଼ିଶାର ଛାତ୍ରଛାତ୍ରୀ ଏବେ ବହୁ ପରିମାଣରେ ଅବହେଳିତ ହୋଇପଡ଼ିଛନ୍ତି। ଶିକ୍ଷାନୁଷ୍ଠାନରେ ଶିକ୍ଷକ ଶିକ୍ଷୟିତ୍ରୀ ନାହାନ୍ତି। ପାଠପଢ଼ା ପ୍ରଭାବିତ ହେଉଛି। ଛାତ୍ରଛାତ୍ରୀଙ୍କ ସ୍ବରକୁ ଚପାଇ ଦିଆଯାଉଛି। ନିର୍ବାଚନ କରିବା ଦାବିରେ ବାରମ୍ବାର ଦାବିପତ୍ର ଦିଆଯାଉଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ। ଛାତ୍ର ନେତା ନ ବାହାରିଲେ କ୍ୟାମ୍ପସର ବିକାଶ ହୋଇପାରୁନାହିଁ। ଛାତ୍ରଛାତ୍ରୀଙ୍କ ସମସ୍ୟା ଆଗକୁ ଆସିପାରୁନାହିଁ। ଦୁର୍ନୀତି ବଢ଼ିବା ସହ ଛାତ୍ର ନେତାମାନେ କ୍ୟାମ୍ପସରେ ଠିକାଦାର ସାଜିଛନ୍ତି। ଯଦି ଏଥର ଛାତ୍ର ସଂସଦ ନିର୍ବାଚନ କରା ନ ଯାଏ, ତେବେ ଆଗାମୀ ଦିଗରେ ରାଜ୍ୟର ସମସ୍ତ କଲେଜରେ ତାଲା ପକାଯିବ।

ଇତିମଧ୍ୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସମ୍ବଲପୁରଠାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାରେ ସଙ୍ଗଠନକୁ ଆହୁରି ସୁଦୃଢ଼ କରିବା, ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରସ୍ତୁତ ହେବା, ସଙ୍ଗଠନର ସଦସ୍ୟ ସଂଗ୍ରହ ଅଭିଯାନକୁ ବ୍ୟାପକ କରିବାକୁ ରୂପରେଖ ପ୍ରସ୍ତୁତ ହୋଇଛି। ଏଥିସହ ରାଜ୍ୟରେ ଭୁଶୁଡ଼ି ଯାଇଥିବା ଶିକ୍ଷା ବ୍ୟବସ୍ଥା ବିରୋଧରେ ସଙ୍ଗଠନ ସେପ୍ଟେମ୍ବର ୨୧ରେ ବିଧାନସଭା ଘେରିବାକୁ ସଜବାଜ ଆରମ୍ଭ କରିଛି। ଏବିଭିପି ରାଜ୍ୟ ଗଣମାଧ୍ୟମ ସଂଯୋଜକ ବିଶ୍ବଜିତ୍‌ ପାତ୍ର କହିଛନ୍ତି ଯେ ଛାତ୍ର ସଂସଦ ନିର୍ବାଚନ ହେଉ ନ ଥିବାରୁ ଛାତ୍ରଛାତ୍ରୀଙ୍କ ସ୍ବର ଉଠାଇବାକୁ ନେତା ହିଁ ନାହାନ୍ତି। ରାଜ୍ୟରେ ଯେଉଁଭଳି ଏକଛତ୍ରବାଦ ଶାସନ ଚାଲିଛି, କ୍ୟାମ୍ପସରେ ମଧ୍ୟ ସେଭଳି ପରିସ୍ଥିତି ସୃଷ୍ଟି ହେଲାଣି। ଶିକ୍ଷାନୁଷ୍ଠାନରେ ଅଧ୍ୟାପକ ନାହାନ୍ତି। ଭିତ୍ତିଭୂମି ଅଭାବ ଯୋଗୁଁ ଶୈକ୍ଷିକ ବାତାବରଣ ନଷ୍ଟ ହେଉଛି। ଛାତ୍ରଛାତ୍ରୀଙ୍କ ବିକାଶ ନେଇ ରାଜ୍ୟ ସରକାର ଡିଣ୍ଡିମ ପିଟୁଥିଲେ ମଧ୍ୟ ହାରିଯିବା ଭୟରେ ନିର୍ବାଚନ କରୁନାହାନ୍ତି। କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ନ ହେବା ଦ୍ବାରା ନାକ୍‌ ଗ୍ରେଡ୍‌ ହ୍ରାସ ପାଉଛି, ଯାହାକି ଉତ୍କଳ ଓ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe