ଜବରଦଖଲମୁକ୍ତ ହେଲା ସରକାରୀ ଆଇଟିଆଇ ପରିସର

Advertisment
ଜବରଦଖଲମୁକ୍ତ ହେଲା ସରକାରୀ ଆଇଟିଆଇ ପରିସର

ବାଲେଶ୍ବର: ସରକାରୀ  ଶିଳ୍ପ ତାଲିମ କେନ୍ଦ୍ର ପରିସରରେ ଥିବା ଅଙ୍ଗାରଗଡ଼ିଆ ପମ୍ପହାଉସ ନିକଟରେ ପ୍ରାୟ ୨୪ରୁ ଉର୍ଦ୍ଧ୍ବ ପରିବାର ଦୀର୍ଘ ୩୫ ବର୍ଷ ଧରି ବସ୍ତି ବାସିନ୍ଦା ଭାବେ ରହି ଆସୁଥିଲେ। ୨୦୨୦ ମସିହା ଫେବ୍ରୁଆରି ମାସ ୨୮ ତାରିଖରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ବସ୍ତିକୁ ଉ‌‌‌ଚ୍ଛେଦ କରିବା ପାଇଁ ପ୍ରୟାସ କରାଯାଇଥିବା ବେଳେ ବସ୍ତି ବାସିନ୍ଦା ଏହାକୁ ଘୋର ବିରୋଧ କରିଥିଲେ। ପ୍ରଥମେ ଥଇଥାନ ବ୍ୟବସ୍ଥା କରି ଉଚ୍ଛେଦ କରାଯାଉ ବୋଲି ଜିଦ୍‌ ଧରିବା ସହ ଧାରଣାରେ ବସିବାରୁ ଜିଲ୍ଲା ପ୍ରଶାସନକୁ ‌ଫେରିବାକୁ ପଡ଼ିଥିଲା।

୩୫ ବର୍ଷ ଧରି ମାଡ଼ି ବସିଥିଲେ ସରକାରୀ ଜାଗା

ନିମିଷକ ମଧ୍ୟରେ ମାଟିରେ ମିଶିଲା ବେଆଇନ ବସ୍ତି

ବସ୍ତିବାସିନ୍ଦାମାନେ ସମସ୍ତେ ଭୂମିହୀନ ଦର୍ଶାଇ କୋର୍ଟରେ ଆଶ୍ରୟ ନେଇଥିଲେ। କୋର୍ଟ ପକ୍ଷରୁ ମଧ୍ୟ ସେମାନଙ୍କ କଥା ବିଚାର କରି ଥଇଥାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୂମିହୀନଙ୍କୁ ସରକାରୀ ଜମି ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ମିଳିଥିଲା। ତେବେ ସୋମବାର ଦିନ ଉକ୍ତ ସ୍ଥାନ ଉଚ୍ଛେଦ କରାଯିବ ବୋଲି ଗତ ୮ ତାରିଖ ଦିନ ଘୋଷଣା କରାଯାଇଥିଲା। ହେଲେ ଥଇଥାନ ସଂପର୍କରେ ସେମିତି କିଛି ସ୍ପଷ୍ଟ କଥା କୁହାଯାଇନଥିଲା। ହାଇକୋର୍ଟରୁ ନ‌ିର୍ଦ୍ଦେଶ ନ ମାନି ଜିଲ୍ଲାପ୍ରଶାସନ ପକ୍ଷରୁ କିଭଳି ଉଚ୍ଛେଦ କରାଯାଉଛି ସେନେଇ ନବଜାଗରଣ ବସ୍ତିବାସିନ୍ଦା ସଂଘ ପକ୍ଷରୁ ଘୋର ବିରୋଧ କରାଯିବା ସହ ଯଦିଆଗାମୀ ଦିନରେ କୌଣସି ଅପ୍ରୀତିକର ପରିସ୍ଥିତି ଘଟେ ତେବେ ଜିଲ୍ଲାପାଳ, ତହସିଲଦାର ଓ ସ୍ଥାନୀୟ ଆରଆଇ ଦାୟୀ ରହିବେ ବୋଲି ଚେତାବନୀ ଦେଇଥିଲେ।

କିନ୍ତୁ ଆଜି ସକାଳ ୮ଟା ସମୟରେ ଜେସିବି ମେସିନ୍‌ ସହ ପୁଲିସ ଫୋର୍ସ ସାଙ୍ଗରେ ଧରି ପ୍ରଶାସନର ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ବସ୍ତିବାସିନ୍ଦାମାନେ ‌ଏହାକୁ ବିରୋଧ କରିବା ସହ ପ୍ରଥମେ ଥଇଥାନ ଓ ପରେ ଉଚ୍ଛେଦ କରିବା ଦାବିରେ ଜେସିବି ସମ୍ମୁଖରେ ଧାରଣାରେ ବସିଥିଲେ। କିନ୍ତୁ ଜିଲ୍ଲା ପ୍ରଶାସନ ଏହାକୁ ଭ୍ରୃକ୍ଷେପ ନକରି ଉଚ୍ଛେଦ ପ୍ରକିୟା ଆରମ୍ଭ ହୋଇଥିଲା। ଏହି ଉଚ୍ଛେଦ ଅପରାହ୍‌ଣ ପ୍ରାୟ ସାଢ଼େ ୩ଟା ପର୍ଯ୍ୟନ୍ତ ଚାଲୁ ରହିବା ସହ ସମସ୍ତ ଘର ଉଚ୍ଛେଦ କରାଯାଇଥିଲା। ୩୫ ବର୍ଷ ଧରି ସେମାନେ ମାଡ଼ି ସରକାରୀ ଜାଗା ଉପରେ ବେଆଇନ ବସ୍ତି ନିମିଷକ ମଧ୍ୟରେ ମାଟିରେ ମିଶି ଯାଇଥିଲା।

publive-image

ଏହି ଉଚ୍ଛେଦରେ ମାଜିଷ୍ଟ୍ରେଟ ଭାବେ ବାଲେଶ୍ବର ଅତିରିକ୍ତ ତହସିଲଦାର ଅତନୁ ପ୍ରଧାନ, ସଦର ଆରଆଇ ଶିଳ୍ପାଞ୍ଚଳ ଥାନା ଅଧିକାରୀ ଶୁଭ୍ରାଂଶୁ ଶେଖର ନାୟକଙ୍କ ସହ ୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ। ଉଚ୍ଛେଦ ହୋଇଥିବା ବସ୍ତିବାସିନ୍ଦାଙ୍କୁ ଥଇଥାନ ପ୍ରସଙ୍ଗରେ ଅତିରିକ୍ତ ତହସିଲଦାର ଶ୍ରୀ ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ, ସେମାନେ କେହି ଭୂମିହୀନ ନୁହଁନ୍ତି, ସେମାନଙ୍କର ନିଜସ୍ବ ଜାଗା ଅଛି ଏବଂ ବାର୍ଷିକ ଆୟ ୬୦ ହଜାର ଟଙ୍କାରୁ ଊର୍ଦ୍ଧ୍ବ ରହିଛି। ତେଣୁ ସେମାନେ ଜାଗା ମିଶନରେ ଅନ୍ତର୍ଭୁକ୍ତ ହୋଇପାରିବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe