ଆମ୍ବୁଲାନ୍‌ସ ଡ୍ରାଇଭରଙ୍କ ମହାନତା: ରକ୍ତ ଦେଇ ଶିଶୁକୁ ବଞ୍ଚାଇଲେ

ଆମ୍ବୁଲାନ୍‌ସ ଡ୍ରାଇଭରଙ୍କ ମହାନତା: ରକ୍ତ ଦେଇ ଶିଶୁକୁ ବଞ୍ଚାଇଲେ

ପଦ୍ମପୁର : ରକ୍ତହୀନତାରେ ଶିକାର ହୋଇଥିବା ଜନୈକ ଦୁଇ ବର୍ଷର ଶିଶୁକନ୍ୟାକୁ ରକ୍ତଦାନ କରି ମାନବିକତାର ପରିଚୟ ଦେଇଛନ୍ତି ୧୦୮ ଆମ୍ବୁଲାନ୍‌ସର ଡ୍ରାଇଭର।

ଗୁଡ଼ାରି ବ୍ଲକ ଅମେନିଆ ଗ୍ରାମର ନରେନ୍ଦ୍ର ଶବରଙ୍କ ଦୁଇ ବର୍ଷର ଝିଅ ଦିବ୍ୟଶ୍ରୀ ରକ୍ତହୀନତାର ଶିକାର ହୋଇଥିବା ବେଳେ ଆଜି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ପରିବାର ଲୋକ ତାଙ୍କୁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଦିବ୍ୟଶ୍ରୀଙ୍କ ଶରୀରରେ ହିମୋଗ୍ଲୋବିନ୍‌ ପରିମାଣ କମି ଯାଇଥିବାରୁ ଶୀଘ୍ର ଓ-ପଜିଟିଭ୍‌ ରକ୍ତ ଯୋଗାଡ଼ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ପରିବାର ଲୋକ ବହୁ ଖୋଜାଖୋଜି ପରେ ମଧ୍ୟ ରକ୍ତ ଯୋଗାଡ଼ ହୋଇ ପାରି ନଥିଲା। ଝିଅ ପାଇଁ ରକ୍ତ ନ ମିଳିବାରୁ ବାପା ନରେନ୍ଦ୍ର ସ୍ବାସ୍ଥ୍ୟକେନ୍ଦ୍ର ବାରଣ୍ଡାରେ କାନ୍ଦୁଥିଲେ।

ଏହି ସମୟରେ ରାମନାଗୁଡ଼ା ବ୍ଲକରେ ନିୟୋଜିତ ୧୦୮ ଆମ୍ବୁଲାନ୍‌ସର ଡ୍ରାଇଭର ସନାତନ ଗୌଡ଼ ଜଣେ ରୋଗୀଙ୍କୁ ନେଇ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚିଥିଲେ। ନରେନ୍ଦ୍ର କାନ୍ଦୁଥିବା ଦେଖି କଣ ହେଲା ବୋଲି ପଚାରିଥିଲେ। ଝିଅକୁ ତୁରନ୍ତ ଓ-ପଜିଭିଟ୍‌ ରକ୍ତ ଆବଶ୍ୟକତା ଥିବା ନରେନ୍ଦ୍ର କହିଥିଲେ। ଏହା ଶୁଣିବା ମାତ୍ରେ ‘ମୁଁ ରକ୍ତଦାନ କରିବି’ ବୋଲି ସନାତନ କହିଥିଲେ। ସନାତନ ରକ୍ତଦାନ କରିବା ପରେ ଏହି ରକ୍ତ ଦିବ୍ୟଶ୍ରୀଙ୍କୁ ଦିଆଯାଇଥିଲା। ବିପଦ ସମୟରେ ରକ୍ତଦାନ କରି ଝିଅର ଜୀବନ ବଞ୍ଚାଇଥିବାରୁ ଦିବ୍ୟଶ୍ରୀଙ୍କ ବାପା ନରେନ୍ଦ୍ରଙ୍କ ସମେତ ପରିବାର ଲୋକ ସନାତନଙ୍କୁ ସାଧୁବାଦ ଜଣାଇଥିଲେ। ସେହିପରି ସନାତନଙ୍କୁ ଏଭଳି ମାନବିକତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe