ଦର୍ଲିପାଲି ଗାଁର ଦୁଃଖ: ଘର ଆଗରେ କୋଇଲା ଖଣି, କିଏ ପୋଛିବ ୩୦ ବର୍ଷର ଲୁହ ?

Advertisment
ଦର୍ଲିପାଲି ଗାଁର ଦୁଃଖ: ଘର ଆଗରେ କୋଇଲା ଖଣି, କିଏ ପୋଛିବ ୩୦ ବର୍ଷର ଲୁହ ?

ଝାରସୁଗୁଡା : ଘର ଆଗରେ କୋଇଲା ଖଣି। ରାତିରେ ଭୟଙ୍କର ବିଷ୍ଫୋରଣର ପ୍ରଚଣ୍ଡ ଶବ୍ଦରେ ଘରର କାନ୍ଥବାଡ଼ ଦୋହଲି ଯାଉଥିବା ବେଳେ ଛାତରୁ ସିମେଣ୍ଟ ଖଣ୍ଡ ଓ ଆଜବେଷ୍ଟସ୍‌ ଖଣ୍ଡ ସିଧା ଶୋଇଥିବା ଖଟ ଉପରେ ପଡ଼େ। ମାଁ କୋଳରେ ଶୋଇ ଭବିଷ୍ୟତ ସ୍ବପ୍ନ ଦେଖୁଥିବା ଛୋଟ ଛୁଆ ଏହି ବିଷ୍ଫୋରଣର ଶବ୍ଦରେ ବିଚଳିତ ହୋଇ ଚିତ୍କାର କରିଥାଏ। ଗୋଟିଏ ପରେ ଗୋଟିଏ ଏପରି ଭୟଙ୍କର ଶବ୍ଦ ସାରା ଗାଁକୁ ଦୋହଲାଇ ଦେଇଥାଏ। ଏଭଳି ପରିସ୍ଥିତିରେ ଗାଁ ଲୋକ‌େ ଶୋଇବେ କଣ ସାରା ରାତି ଆତଙ୍କିତ ଅବସ୍ଥାରେ ରହିଥାନ୍ତି। ଏଭଳି ଘଟଣା ଯେ ଗୋଟିଏ କି ଦୁଇ ଦିନର ନୁହେଁ , କେଉଁ କାଳରୁ ଚାଲି ଆସୁଛି। ଏହି ଭୟଙ୍କର ଶବ୍ଦରେ ଜନ୍ମ ନେଇଥିବା ସେହି ଦିନରୁ ଶିଶୁ ଏବେ ତାର ଶିଶୁ ପୁତ୍ରକୁ ଭୟଙ୍କର ଶବ୍ଦରୁ ବଞ୍ଚାଇବା ପାଇଁ ଲଢ଼େଇ କରୁଛି।

publive-image

ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର ଦର୍ଲିପାଲି ଗ୍ରାମବାସୀ କୋଇଲା ଖଣି ଯୋଗୁଁ ଗତ ୩୦ ବର୍ଷ ହେଲା ଏପରି ଅଭିଶପ୍ତ ଜୀବନ ଜୀଇଁ ଆସୁଛନ୍ତି। ପୂର୍ବରୁ ଏହି ଦର୍ଲିପାଲି ଗାଁ ଶସ୍ୟଶ୍ୟାମଳା ଥିଲା। ଗାଁରେ ବୋହି ଯାଇଥିବା ଲିଲାରି ନାଳର ମଧୁର ଜଳକୁ ଲୋକ‌େ ବ୍ୟବହାର କରୁଥିଳେ। ଗାଁ ପାଖରେ ଥିବା ନିଜ ଜମିରେ ଚାଷ କରି ସୁନାର ଫସଲ ଉତ୍ପାଦନ କରୁଥିଲେ। ଗାଁ ଜଙ୍ଗଲ ଏମାନଙ୍କୁ ଦେଉଥିଲା ଅନେକ ଉପାଦାନ। ଜଙ୍ଗଲଜାତ ଦ୍ରବ୍ୟରେ ଅନେକ ଗ୍ରାମବାସୀ ନିଜର ଗୁଜୁରାଣ ମଧ୍ୟ ମେଣ୍ଟାଉଥିଲେ। ଗାଁ ରୁ ସହର ଓ ସହରରୁ ଗାଁ ଯିବା ଆସିବା କରୁଥିବା ବେଳେ ଖୁସିରେ ଜୀବନ ବିତାଉଥିଲେ। କିନ୍ତୁ ମାଟି ତଳେ ଥିବା କଳାହୀରା ତାଙ୍କୁ ତାଙ୍କ ଗ୍ରାମରେ ବେଶୀ ଦିନ ଖୁସିରେ ରହିବାକୁ ଦେଲାନି। ମାଟି ତଳୁ କୋଇଲା ଖନନ ପାଇଁ ଗାଁ ଲୋକଙ୍କ ତାଙ୍କର ସବୁ ସୁଖସ୍ବଛନ୍ଦ ତ୍ୟାଗ କରିବାକୁ ପଡ଼ିଥିଲା। ତେବ‌େ ଏହି ତ୍ୟାଗ ବଦଳରେ ସେମାନଙ୍କୁ ପ୍ରତାରଣାର ଶିକାର ହେବାକୁ ପଡ଼ିଛି। ଯାହା ଫଳରେ ଏହି ଗ୍ରାମର ଲୋକ‌େ ଦୀର୍ଘ ୩୦ ବର୍ଷ ହେଲା ତାଙ୍କର ହକ୍‌ ପାଇଁ ଲଢ଼େଇ କରୁଛନ୍ତି। ଏହି ଲଢ଼େଇ ଭିତରେ କେତେବେଳେ‌ ଯେ, ତାଙ୍କ ଘର ଦ୍ବାର କୋଇଲା ଖଣିର ଆଁ ଭିତରେ ମିଶି ‌ଯିବ ତାର କୌଣସି ଗ୍ୟାରେଣ୍ଟି ନାହିଁ।

publive-image

ସ୍ବାଧୀନତାର ୭୪ ବର୍ଷ ପରେ ମଧ୍ୟ ଏହି ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଏପରି ଅନେକ ଛିଦ୍ର ରହି ଯାଇଛି ଯେଉଁ ଛିଦ୍ରରେ ପୁଞ୍ଜିପତି, ପ୍ରଭାବଶାଳୀ ଲୋକ, ବଡ଼ ବଡ଼ ପ୍ରଶାସକ ଅନାୟାସରେ ଗଳି ଯାଉଥିବା ବେଳେ ଦର୍ଲିପାଲି ଗ୍ରାମବାସୀ ଭାଗ୍ୟକୁ ଆଦରି ଏମାନଙ୍କ ଆଗରେ ନିଜର ହକ୍‌ ମାଗିବା ପାଇଁ ଦଣ୍ଡାୟମାନ ହୋଇ ରହିଛନ୍ତି। ବିସ୍ଥାପନ ନୀତିକୁ ବିଭିନ୍ନ ସ୍ଥାନରେ ଭିନ୍ନ ଭାବରେ ପ୍ରୟୋଗ କରାଯାଇ ସରକାର ଓ କମ୍ପାନୀ ମାନଙ୍କୁ ସୁହାଇଲା ଭଳି କାର୍ଯ୍ୟ କରାଯାଉଛି। ଦର୍ଲିପାଲି ଗାଁକୁ ୧୯୮୪ ମସିହାରେ ବିସ୍ଥାପନ ପ୍ରକ୍ରିୟାରେ ସାମିଲ କରାଯାଇ ୧୯୯୫ ମସିହାକୁ କଟଅଫ୍‌ ଡେଟ୍‌ କରାଯାଇ ଗାଁର ସବୁ ଚାଷଜମି, ଜଳାଶୟ, ଜଙ୍ଗଲ, ଗୋଚର ଜମି, ଦେବସ୍ଥଳୀକୁ ଅଧିଗ୍ରହଣ କରାଯାଇଥିଲା। ମାତ୍ର ଗାଁ ସମେତ ୧୬.୧୩ ଏକର ଜମିକୁ ଅଧିଗ୍ରହଣ କରାଯାଇ ନଥିଲା। କିଛି ଲୋକ ସେହି ସମୟରେ ଘରଦ୍ବାରା ଛାଡ଼ି ଅନ୍ୟତ୍ର ଚାଲି ଯାଇଥିବା ବେଳେ କିଛି ଲୋକ ଖଣିରେ ଚାକିରି ପାଇ ଅନ୍ୟତ୍ର ଯାଇ ରହିଥିଲେ। ତେବେ ନ୍ୟାୟ ଦାବି କରି ରହିଥିବା ଗାଁ ଲୋକ ଆଜି ପର୍ଯ୍ୟନ୍ତ ଶୋଷଣର ଶିକାର ହୋଇ ଆସୁଛନ୍ତି। ୩୦ ବର୍ଷ ମଧ୍ୟରେ କେତେଯେ ଆନ୍ଦୋଳନ ଓ ଦାବି ହେଲାଣି ତାର ହିସାବ ନାହିଁ। ଏହି ସମସ୍ୟା ନେଇ ଅନେକ ଥର ଆର୍‌ପିଡିଏସି ବୈଠକରେ ମଧ୍ୟ ଆଲୋଚନା ହୋଇ ପ୍ରସ୍ତାବ ଗୃହୀତ ହେଉଛିା ମାତ୍ର ପ୍ରତିକାର ହୋଇ ପାରୁନାହିଁ। ଗ୍ରାମବାସୀ ନୂଆଁ କଟଅଫ୍‌ ଡେଟ୍‌ ପାଇଁ ଦାବି କରୁଛନ୍ତି। ସେହି ଅନୁଯାୟୀ ବିସ୍ଥାପନ ନୀୟମରେ ଥିବା ବ୍ୟବସ୍ଥା ତାଙ୍କୁ ଯୋଗାଇ ଦେବାକୁ କହୁଛନ୍ତି ମାତ୍ର ବିଭିନ୍ନ ଆଳରେ ଏମାନଙ୍କ ଦାବିକୁ ଚପାଇ ଦେବାକୁ ସବୁ ସ୍ତରରେ କୌଶଳ କରାଯାଇ ଏହାକୁ ଏଡ଼ାଇ ଦିଆଯାଉଛି।

ଏପଟେ ଖଣି ଖନନ କରାଯାଇ ଗାଁର ଚତୁର୍ଦିଗକୁ ଖୋଳି ଦିଆଯାଇ ସାରିଲାଣି। ଗାଁ ଲୋକ‌େ ବିଷାକ୍ତ କୋଇଲା ଗୁଣ୍ଡରେ ଅଣନିଃଶ୍ବାସୀ ହୋଇ ଗୁରୁତର ପ୍ରଦୂଷଣର ଶିକାର ହେଉଥିବା ବେଳେ ଲିଲାରୀ ନାଳର ବିଷାକ୍ତ କଳା ପ୍ରଦୂଷିତ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଦିନ ତମାମ କୋଇଲା କଣି ଯୋଗୁଁ କଷ୍ଟ ଭୋଗୁଥିବା ଗ୍ରାମବାସୀ ରାତିରେ ଭୟଙ୍କର ବିଷ୍ଫୋରଣ ଯୋଗୁଁ ଶୋଇ ପାରୁନାହାନ୍ତି। ଗତ ୨୮ ତାରିଖ ଠାରୁ ଦର୍ଲିପାଲିବାସୀ ଏହାର ସମାଧାନ ପାଇଁ ବିସ୍ଥାପିତ ସଂଗ୍ରାମ ସମିତି ନେତୃତ୍ବରେ ଅନଶନରେ ବସିଛନ୍ତି। ଅନଶନ ସ୍ଥଳକୁ କେନ୍ଦ୍ର ସରକାରଙ୍କ ପ୍ରତିନିଧି ସାଂସଦ ସୁରେଶ ପୂଜାରୀ, ରାଜ୍ୟ ସରକାରଙ୍କ ପ୍ରତିନିଧି ବିଧାୟକ କିଶୋର ମହାନ୍ତି ଅନଶନକାରୀଙ୍କ ପାଖକୁ ଯାଇ ତାଙ୍କୁ ସମର୍ଥନ କରି ଫେରି ଯାଇଛନ୍ତି। ତେବେ ଏହି ସମସ୍ୟାର ସମାଧାନ କାହା ହାତରେ ରହିଛି। କେନ୍ଦ୍ର ସରକାର, ରାଜ୍ୟ ସରକାର ନା ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ । କିଏ ଦର୍ଲିପାଲିବାସୀଙ୍କ ୩୦ ବର୍ଷର ଲୁହ ପୋଛିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe