ରାଜ୍ୟର ଟେକ ରଖିଥିବା ଫୁଟବଲ୍‌ ଖେଳାଳିଙ୍କ ଦୁଃଖ: ଜଣେ ବିଡ଼ି ତିଆରି କରୁଛନ୍ତି, ଅନ୍ୟଜଣେ ପରଘରେ ପାଇଟି

‘୧୯୯୮ରୁ ୨୦୧୨ ମସିହା ପର୍ଯ୍ୟନ୍ତ ଜୀବନର ୧୪ ବର୍ଷ ଫୁଟବଲ ପାଇଁ ଦିନରାତି ଏକ କରି ଦେଇଥିଲି। କୋଲକାତା, ମଣିପୁର, ପଞ୍ଜାବ, ହାଇଦ୍ରାବାଦ, ଶିଲଂ, ତାମିଲନାଡ଼ୁ, ମଧ୍ୟପ୍ରଦେଶ, ରାଉରକେଲା ସମେତ...

ଅଦ୍ୟତନ ହୋଇଛି
nmnmnmb

ସମ୍ବଲପୁର: ‘୧୯୯୮ରୁ ୨୦୧୨ ମସିହା ପର୍ଯ୍ୟନ୍ତ ଜୀବନର ୧୪ ବର୍ଷ ଫୁଟବଲ ପାଇଁ ଦିନରାତି ଏକ କରି ଦେଇଥିଲି। କୋଲକାତା, ମଣିପୁର, ପଞ୍ଜାବ, ହାଇଦ୍ରାବାଦ, ଶିଲଂ, ତାମିଲନାଡ଼ୁ, ମଧ୍ୟପ୍ରଦେଶ, ରାଉରକେଲା ସମେତ ବିଭିନ୍ନ ସ୍ଥାନରେ ଆୟୋଜିତ ୧୫ଟି ଜାତୀୟସ୍ତରୀୟ ମ୍ୟାଚ୍‌ ଖେଳିଛି। ଏମିତିକି ଗୋଟିଏ ମ୍ୟାଚ୍‌ରେ ହ୍ୟାଟ୍ରିକ୍‌ କରି ଦଳକୁ ଜିତାଇଛି। କାର୍ଲିଫର୍ଣ୍ଣିଆରେ ଆୟୋଜିତ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଖେଳିବାର ସୁଯୋଗ ପାଇଥିଲେ ମଧ୍ୟ ଅଂଶଗ୍ରହଣ କରିପାରିନଥିଲି। ଖେଳ ସରିବା ପରେ ଯେତେବେଳେ ରୋଜଗାର କଥା ଆସିଲା ସମସ୍ତେ ମୁହଁ ମୋଡ଼ିଲେ। ଯେଉଁମାନେ ଏକଦା ଫୁଲମାଳ ପିନ୍ଧାଉଥିଲେ ସେମାନେ ନ ଚିହ୍ନିଲା ଭଳି ହେଲେ। ଚାକିରି କଥା କହିଲେ ବିଭିନ୍ନ ବାହାନା ଦେଇ ତାଚ୍ଛଲ୍ୟ କଲେ। ଶେଷରେ ଅନ୍ୟ କୌଣସି ଉପାୟ ନ ପାଇ ବିଡ଼ି ତିଆରି କରି ଗୁଜୁରାଣ ମେଣ୍ଟାଉଛି’। ଏ କଥା ଅତ୍ୟନ୍ତ କ୍ଷୋଭର ସହିତ କହିଛନ୍ତି ଓଡ଼ିଶା ମହିଳା ଫୁଟବଲ ଟିମ୍‌ର ପୂର୍ବତନ ଅଧିନାୟକ ଡଲି ମୁଣ୍ଡା (୩୫)। 

ନିଯୁକ୍ତି ଦେବାକୁ ଭୁଲିଯାଇଛନ୍ତି ସରକାର

ସମ୍ବଲପୁରର ଗର୍ବ ‘ମହିଳା ଫୁଟବଲ ଦଳ’। ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ବଲପୁରର ୩୬ ଜଣ ମହିଳା ଖେଳାଳି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖେଳିଛନ୍ତି। ସାମାଜିକ ଓ ଆର୍ଥିକ ଭାବରେ ଦୁର୍ବଳ ଏହି ଝିଅମାନେ ବିନା ସରକାରୀ ପ୍ରୋତ୍ସାହନ ତଥା ନିଜ ଖର୍ଚ୍ଚରେ ଖେଳୁଛନ୍ତି। କିନ୍ତୁ ଆଜି ସେମାନେ ଅଲୋଡ଼ା। ସରକାରୀ ବ୍ୟବସ୍ଥା ଓ ପ୍ରତିଶ୍ରୁତି ସତ୍ତ୍ବେ ସେମାନଙ୍କୁ ନିଯୁକ୍ତି ମିଳିନାହିଁ। ଏହି କ୍ରୀଡ଼ାବିତ୍‌ମାନେ ବିଭିନ୍ନ ସମୟରେ ରାଜ୍ୟ ସରକାର, ସମ୍ବଲପୁର ବିଧାୟକ ଏବଂ ଜିଲ୍ଲାପାଳଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ହେଲେ କୌଣସି ସୁଫଳ ମିଳିନାହିଁ। ଅନେକ ଜାତୀୟ ମହିଳା ଫୁଟବଲ ଖେଳାଳି ବର୍ତ୍ତମାନ ଭୟଙ୍କର ଆର୍ଥିକ ଦୁରବସ୍ଥା ଦେଇ ଗତି କରୁଛନ୍ତି। ଏହାର ଆଉ ଏକ ଉଦାହରଣ ହେଲେ ୬ ଥର ଜାତୀୟ ମହିଳା ଫୁଟବଲ ଟିମ୍‌ ପାଇଁ ଖେଳିଥିବା ସମ୍ବଲପୁର ସାକ୍ଷୀପଡ଼ାର ମୀନା ଆଇନ୍ଦ (୩୭)। 

ବହୁବର୍ଷ ଧରି ସେ ଅନ୍ୟ ଘରେ ବାସନ ମାଜୁଥିଲେ। ଏବେ ଜଣେ ଶଯ୍ୟାଶାୟୀ ରୋଗୀଙ୍କ ସେବା କରୁଛନ୍ତି। ଅତୀତରେ ସେ ରାଉରକେଲା, ବିହାର, ପଞ୍ଜାବ, ମଣିପୁର, ସିଲିଗୁଡ଼ି, ଗୋଆରେ ଆୟୋଜିତ ମ୍ୟାଚରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ରାଜ୍ୟର ଟେକ ରଖିଥିଲେ। ତାଙ୍କ ଭଳି ଅନ୍ୟଜଣେ ଜାତୀୟସ୍ତରର ଫୁଟବଲ୍‌ ଖେଳାଳି ଦୀପ୍ତି କିସାନ (୪୨) ଚାକିରି ପାଇଁ ବାରମ୍ବାର ଆବେଦନ କରି ନିରାଶ ହେବା ପରେ ଏବେ ଏକ ବିଉଟି ପାର୍ଲରରେ କାମ କରୁଛନ୍ତି। ଦୀପ୍ତି ୨୦୦୨ ମସିହାରୁ ଲଗାତାର ଭାବେ କୋଲକାତା, ରାଉରକେଲା, ବିହାରରେ ଆୟୋଜିତ ଜାତୀୟସ୍ତରୀୟ ମ୍ୟାଚ୍‌ରେ ଓଡ଼ିଶାର ପ୍ରତିନିଧିତ୍ବ କରିଥିଲେ। ଦୀପ୍ତି କହିଛନ୍ତି, ୨୦୧୭ ମସିହାରେ ସମ୍ବଲପୁରର ତତ୍କାଳୀନ ଜିଲ୍ଲାପାଳ ଜାତୀୟସ୍ତରୀୟ ମ୍ୟାଚ୍‌ର ଖେଳାଳିଙ୍କୁ ନିଯୁକ୍ତି ଦେବା ପାଇଁ ୪ଟି କମ୍ପାନିକୁ ଚିଠି କରିଥିଲେ। କିନ୍ତୁ ଗୋଟିଏ କମ୍ପାନି ବ୍ୟତୀତ ଅନ୍ୟ କେହି ଏହାକୁ କାର୍ଯ୍ୟକାରୀ କରିନଥିଲେ। କେବଳ ଏହି ୩ ଜଣ ନୁହନ୍ତି, ଜାତୀୟ ଫୁଟବଲ ଟିମ୍‌ର ସଦସ୍ୟା ଥିବା ଦ୍ରୌପଦୀ ମୁଣ୍ଡା, ବନ୍ଦନା ଓରାମ, ନିଲା ମୁଣ୍ଡାଙ୍କ ଅବସ୍ଥା ମଧ୍ୟ ଅତ୍ୟନ୍ତ ଶୋଚନୀୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe