ଇନ୍ଦ୍ରାବତୀ ଜଳବନ୍ଦି ଅଞ୍ଚଳର ଦୁଃଖ: ସକାଳୁ ଉଠିଲେ ୧୬ ଗାଁରେ ପାଣି ଚିନ୍ତା, ଦୂଷିତ ଜଳରେ ତୃଷା ନିବାରଣ, ଦୈନନ୍ଦିନ କାର୍ଯ୍ୟ

Advertisment

ଇନ୍ଦ୍ରାବତୀ ଜଳଭଣ୍ଡାର ପାଇଁ ବାସଚ୍ୟୁତ ହୋଇଥିବା ୧୬ଟି ଗାଁର ଲୋକଙ୍କ ପାଇଁ ଏଯାବତ ପାନୀୟଜଳ ସୁବିଧା ହୋଇ ପାରିଲାନାହିଁ। ଜଳଭଣ୍ଡାରର ଜଳବନ୍ଦି ଅଞ୍ଚଳରେ ଥିବା ଗ୍ରାମବାସୀଙ୍କ ସମସ୍ୟା...

ଇନ୍ଦ୍ରାବତୀ ଜଳଭଣ୍ଡାର ପାଇଁ ବାସଚ୍ୟୁତ ହୋଇଥିବା ୧୬ଟି ଗାଁର ଲୋକଙ୍କ ପାଇଁ ଏଯାବତ ପାନୀୟଜଳ ସୁବିଧା ହୋଇ ପାରିଲାନାହିଁ। ଜଳଭଣ୍ଡାରର ଜଳବନ୍ଦି ଅଞ୍ଚଳରେ ଥିବା ଗ୍ରାମବାସୀଙ୍କ ସମସ୍ୟା...

hffhhffh

ଭବାନୀପାଟଣା: ଇନ୍ଦ୍ରାବତୀ ଜଳଭଣ୍ଡାର ପାଇଁ ବାସଚ୍ୟୁତ ହୋଇଥିବା ୧୬ଟି ଗାଁର ଲୋକଙ୍କ ପାଇଁ ଏଯାବତ ପାନୀୟଜଳ ସୁବିଧା ହୋଇ ପାରିଲାନାହିଁ। ଜଳଭଣ୍ଡାରର ଜଳବନ୍ଦି ଅଞ୍ଚଳରେ ଥିବା ଗ୍ରାମବାସୀଙ୍କ ସମସ୍ୟା ଦିନକୁ ଦିନ ବଢୁଛି ପଛେ କେହି ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଯାହାଫଳରେ ବାଧ୍ୟ ହୋଇ ସେମାନେ ଦୂଷିତ ପାଣିରେ ଶୋଷ ମେଣ୍ଟାଉଛନ୍ତି।

ଇନ୍ଦ୍ରାବତୀ ପାଇଁ କଳାହାଣ୍ଡି ବିକାଶର ମଡେଲ୍‌ ହୋଇଥିବା ବେଳେ ବୁନ୍ଦାଏ ପାନୀୟଜଳ ପାଇଁ ଭିଟାମାଟି ହରାଇଥିବା ଲୋକେ ଡହଳବିକଳ ହେଉଛନ୍ତି। ଏହି ବାସ୍ତୁହରାଙ୍କ ପାଇଁ ପାନୀୟଜଳ ସାତସପନ ପାଲଟିଛି। ଇନ୍ଦ୍ରାବତୀ ପ୍ରକଳ୍ପ ପରେ ବିସ୍ଥାପିତ ହୋଇଥିବା କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍‌ ପୋଡ଼ାପଦର ପଞ୍ଚାୟତର ତଳଟେମରା, ଢିପଟେମରା, ଭୁରଭୁରି ଟେମରା, ତଳପଙ୍ଗା, ଉପରପଙ୍ଗା, କଲାଟି, ଗୁଞ୍ଜମାଳି, ପୋଡ଼ାପଦର, ଲିଟିମସ୍କା, କରଭାଡ଼ି, ତେନ୍ତୁଳିପଦର, ଭିତରଡ଼ଙ୍ଗା, ଘୁଟରୁଖାଲ, ଝିରି, ସରାଫାସ ଗାଁ ସମେତ ୧୬ଟି ଗାଁ ଜଳଭଣ୍ଡାରରେ ଜଳବନ୍ଦି ହୋଇ ରହିଛି। ଚାରିଆଡ଼େ ଜଳଭଣ୍ଡାରର ପାଣି ଥିବା ବେଳେ ଜଳବନ୍ଦି ଅଞ୍ଚଳର ଲୋକେ ପାନୀୟଜଳ ଅଭାବ ଯୋଗୁଁ ଦୂଷିତ ପାଣିରେ ଶୋଷ ମେଣ୍ଟାଉଛନ୍ତି। ବିଶେଷ କରି ଜଳବନ୍ଦି ଗାଁ ତଳଟେମରାର ଲୋକେ ପାଣି ପାଇଁ ଡହଳବିକଳ ହେଉଛନ୍ତି। ଏମିତିକି ପିଇବାକୁ ପାଣି ନ ପାଇ ପାଖରେ ବହୁଥିବା ନାଳ ଓ ଏକ ପରିତ୍ୟକ୍ତ କୂଅର ପାଣିକୁ ଆଣି ପିଉଛନ୍ତି। ଏହି ଗ୍ରାମରେ ପ୍ରାୟ ୪୦ରୁ ଅଧିକ ପରିବାର ବସବାସ କରୁଥିବା ବେଳେ ଜନସଂଖ୍ୟା ୭୦ରୁ ଅଧିକ। ଏମାନେ ଆଦିବାସୀ ସଂପ୍ରଦାୟର।

ସକାଳୁ ଉଠିଲା ମାତ୍ରେ ଏଠି ପାନୀୟଜଳର ଚିନ୍ତା କରିବାକୁ ପଡ଼େ। ଗାଁରେ ମାତ୍ର ଦୁଇଟି ନଳକୂଅ ରହିଛି। ସେଥିରୁ କେବେ ପାଣି ବାହାରେ ତ କେବେ ହାଣ୍ଡେଲ୍‌ ମାରି ମାରି ନୟାନ୍ତ ହେଲେ ସୁଦ୍ଧା ପାଣି ଟୋପାଏ ମିଳେ ନାହିଁ। ଫଳରେ ପାଖରେ ଥିବା ଏକ ପରିତ୍ୟକ୍ତ କୂଅର ପାଣି ପିଇବା ପାଇଁ ଗାଁ ଲୋକେ ବାଧ୍ୟ ହେଉଛନ୍ତି। ଦୂଷିତ ପାଣି ପିଇବା ଯୋଗୁଁ ସେମାନେ ବିଭିନ୍ନ ରୋଗର ଶିକାର ହେଉଛନ୍ତି। ଲୋକଙ୍କ ହାତପାହାନ୍ତାରେ ପାନୀୟ ଜଳ ଯୋଗାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କାର ଅନୁଦାନ ଦେଉଛନ୍ତି। ହେଲେ ଏହି ଜଳବନ୍ଦି ଅଞ୍ଚଳର ଲୋକଙ୍କ ପାଖକୁ ବିଶୁଦ୍ଧ ପାନୀୟଜଳ ଯୋଗାଣ କେବେ ହେବ ତାହା ଏବେ ବି ବଡ଼ ପ୍ରଶ୍ନବାଚୀ ହୋଇ ରହିଛି। ତଳଟେମରା ଗାଁ ତା’ର ଏକ ଉଦାହରଣ ମାତ୍ର। ଅନ୍ୟ ୧୬ଟି ଜଳବନ୍ଦି ଗାଁରେ ପାନୀୟଜଳ ସମସ୍ୟା ଅତି ଉତ୍କଟ। ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe