The hands that hold guns: ବନ୍ଧୁକ ଧରୁଥିବା ହାତ ଏବେ ଧାନ କାଟୁଛି

ଦିନେ ଦୁର୍ଦ୍ଦାନ୍ତ ମାଓନେତା ହିଡ଼ମାର ଏକାନ୍ତ ସହଯୋଗୀ ଥିଲେ। ବନ୍ଧୁକ ଧରି ପୁଲିସ ସହ ଲଢ଼େଇ କରୁଥିଲେ। ଅନେକ ହିଂସାକାଣ୍ଡରେ ମଧ୍ୟ ଜଡ଼ିତ। କିନ୍ତୁ ଆତ୍ମସମର୍ପଣ ପରେ ବଦଳି ଯାଇଛି...

Untitled-21

କାଲିମେଳା: ଦିନେ ଦୁର୍ଦ୍ଦାନ୍ତ ମାଓନେତା ହିଡ଼ମାର ଏକାନ୍ତ ସହଯୋଗୀ ଥିଲେ। ବନ୍ଧୁକ ଧରି ପୁଲିସ ସହ ଲଢ଼େଇ କରୁଥିଲେ। ଅନେକ ହିଂସାକାଣ୍ଡରେ ମଧ୍ୟ ଜଡ଼ିତ। କିନ୍ତୁ ଆତ୍ମସମର୍ପଣ ପରେ ବଦଳି ଯାଇଛି ଜୀବନଶୈଳୀ। ସାଧାରଣ ଜୀବନ ଯାପନ ସହ ଜୀବିକା ପାଇଁ ଏବେ ବନ୍ଧୁକ ଧରୁଥିବା ହାତରେ ଜମିରେ ଦାଆ ଧରି ଧାନ କାଟୁଛନ୍ତି ପୂର୍ବତନ ମାଓ ନେତା ବୁଦ୍ରା କବାସୀ ଓରଫ ଶୁକଦେବ। ଶୁକଦେବଙ୍କୁ ସହଯୋଗ କରୁଛନ୍ତି ପତ୍ନୀ ତଥା ପୂର୍ବତନ ମାଓନେତ୍ରୀ କାନି କବାସୀ ଓରଫ ଋକ୍ମଣୀ। 

୨୦୦୦ ମସିହାରେ ମାଓ ସଂଗଠନରେ ଯୋଗ ଦେଇଥିଲେ ପିଣ୍ଡିକୋଣ୍ଡା ଗ୍ରାମର କାନି କବାସୀ। ସେହିପରି ୨୦୦୩ ମସିହାରେ ମାଓ ସଂଗଠନରେ ସାମିଲ୍ ହୋଇଥିଲେ ଶୁକଦେବ। ମାଓବାଦୀ କାର୍ଯ୍ୟକଳାପରେ ସିଦ୍ଧହସ୍ତ ଋକ୍ମଣୀ ଖୁବ୍‌ କମ ଦିନ ମଧ୍ୟରେ ମାଓ ସଂଗଠନରେ ଏସିଏମ୍‌ କ୍ୟାଡରକୁ ପଦୋନ୍ନତି ହୋଇଥିଲେ। ଏସ୍‌ଏଲ୍‌ଆର୍‌ ପରି ସ୍ବଂୟ ଚାଳିତ ବନ୍ଧୁକ ଧରି ଜଙ୍ଗଲରେ ରାଜୁତି କରୁଥିଲେ। ଶୁକଦେବ ମଧ୍ୟ କିଛି କମ୍‌ ନଥିଲେ। ଅତ୍ୟନ୍ତ ହିଂସ୍ର ସ୍ବଭାବର ଶୁକଦେବ ଟପ୍‌ କ୍ୟାଡରଙ୍କ ନିର୍ଦ୍ଦେଶରେ ଓଡ଼ିଶା-ଆନ୍ଧ୍ର-ଛତିଶଗଡ଼ରେ ବହୁ ମାଓ ହିଂସାରେ ଜଡ଼ିତ ଥିଲେ। କୁଖ୍ୟାତ ମାଓବାଦୀ ହିଡ଼ମା ସହିତ ଶୁକଦେବ ଛତିଶଗଡ଼ରେ ଦୀର୍ଘ ଏକ ମାସ ଧରି ବନ୍ଧୁକ ଚାଳନା ସହ ଅନେକ କଠୋର ତାଲିମ ଗ୍ରହଣ କରିଥିଲେ। ମାଓ ସଂଗଠନରେ ଡିସିଏମ୍‌ ଭାବେ କାର୍ଯ୍ୟ କରୁଥିବା ଶୁକଦେବଙ୍କ ପ୍ରେମରେ ପଡ଼ିଥିଲେ ଋକ୍ମଣୀ। ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ମାଓ ସଂଗଠନର ନୀତି ଆଦର୍ଶ ସେମାନଙ୍କୁ ଏକାଠି ରହିବାକୁ ଅନୁମତି ଦେଇନଥିଲା। ଫଳରେ ଉଭୟେ ୨୦୧୬ରେ ମାଓ ସଂଗଠନ ଛାଡ଼ି ପୁଲିସ ନିକଟରେ ଆତ୍ମସର୍ମପଣ କରିଥିଲେ। ସମାଜର ମୁଖ୍ୟସ୍ରୋତକୁ ଫେରିବା ପରେ ଦୀର୍ଘ ୯ବର୍ଷ ହେଲା ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି ଶୁକଦେବ ଓ ଋକ୍ମଣୀ। ମାଓ ସଂଗଠନରେ ଥିବା ସମୟରେ ଋକ୍ମଣୀ ପରିବାର ନିୟୋଜନ ଅସ୍ତ୍ରୋପଚାର କରିଥିବାରୁ କୌଣସି ସନ୍ତାନ ନାହାନ୍ତି। ଫଳରେ ମାଓ ଦମ୍ପତି ସମ୍ପର୍କୀୟ ଭଉଣୀର ଏକ ପୁତ୍ରକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି ଲାଳନ ପାଳନ କରୁଛନ୍ତି।

ଆତ୍ମସମର୍ପଣ ପରେ ରାଜ୍ୟ ସରକାର ଉଭୟଙ୍କୁ ୯ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ। କିନ୍ତୁ ଥଇଥାନ ଲାଗି ଚାକିରି ଖଣ୍ଡିଏ ମିଳିନଥିବାରୁ ଶୁକଦେବ ଓ ଋକ୍ମଣୀ ପରିବାର ପ୍ରତିପୋଷଣ ପାଇଁ ଚାଷ କାର୍ଯ୍ୟକୁ ଆପଣାଇ ନେଇଛନ୍ତି। ଏପରିକି ଶୁକଦେବ କାଲିମେଳା ଲ୍ୟାମ୍ପର ପରିଚାଳନା ନିଦେର୍ଶକ ଭାବରେ କାର୍ଯ୍ୟ କରୁଛନ୍ତି। ପତ୍ନୀ ଋକ୍ମଣୀ ଘର ସହ ଜମିବାଡ଼ି ସମ୍ଭାଳୁଛନ୍ତି। ଧାନ ପାଚିବା ପରେ ଅମଳ ପାଇଁ ଉଭୟ ଏବେ ଧାନ କଟାରେ ବ୍ୟସ୍ତ। ଅର୍ଥ ଅଭାବରୁ ବଡ଼ିଗେଟା ପଂଚାୟତ ଟେକଗୁଡ଼ା କଲୋନୀରେ ଥିବା ନିଜ ଘରର ମରାମତି କରିପାରୁନାହାନ୍ତି ଶୁକଦେବ। ଜରାଜୀର୍ଣ୍ଣ ଘରେ ଶୁକଦେବଙ୍କ ମାଆ ରହୁଥିବା ବେଳେ ଶୁକଦେବ ଓ ଋକ୍ମଣୀ କାଲିମେଳା ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ପଛପଟେ ଥିବା ସରକାରୀ ଜମିରେ ଘର କରି ରହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe