ଅସହାୟ ଅରୁଣଙ୍କୁ ମିଳିଲା ୫ ଲକ୍ଷ ଟଙ୍କା ସହାୟତା

Advertisment
ଅସହାୟ ଅରୁଣଙ୍କୁ ମିଳିଲା ୫ ଲକ୍ଷ ଟଙ୍କା ସହାୟତା

IndiaMART

ସାରନଗରୀ: ଦେଓଗାଁ ମୁଣ୍ଡାବସ୍ତିରେ ରହୁଥିବା ସାଧୁ ହାଁସଦାଙ୍କ ପୁଅ ଅସହାୟ ଅରୁଣ(୧୦)ଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ମିଳିଛି। ସୂଚନାଯୋଗ୍ୟ ଯେ, ୨୦୨୧ ସେପ୍ଟେମ୍ବର ମାସ ୧୬ ତାରିଖ ସନ୍ଧ୍ୟା ସମୟରେ ଘରପାଖରେ ଥିବା ଏକ କ୍ରସର ନିକଟରେ ଅରୁଣ ଖେଳୁଥିବା ବେଳେ କ୍ରସର ଉପର ଦେଇ ଯାଇଥିବା ଉଚ୍ଚଶକ୍ତିସମ୍ପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ତାଙ୍କ ଶରୀରର ୬୦ ଭାଗ ଜଳି ଯାଇଥିଲା। ପରିବାର ଓ ସ୍ଥାନୀୟ ଲୋକ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ନେଇଥିଲେ। ପରେ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ବୁର୍ଲା ନେବାକୁ ପରାମର୍ଶ ଦିଆଯାଇଥିଲା।

ମାତ୍ର ଗରିବ ପରିବାର ସେଥିରେ ସକ୍ଷମ ହୋଇନଥିଲେ। କମ୍ପାନିର କ୍ରସରରେ ସୁରକ୍ଷା ବ୍ୟବସ୍ଥା ନ ଥିବା ଯୋଗୁ ଏପରି ଘଟିଲା ବୋଲି ପରିବାର ଲୋକେ ଜଲଦା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ହସ୍ତକ୍ଷେପ ପରେ କମ୍ପାନି ଅରୁଣଙ୍କର ସମ୍ପୂର୍ଣ୍ଣ ଚିକିତ୍ସା କରିବା ପାଇଁ ରାଜି ହୋଇଥିଲା। ଅରୁଣଙ୍କର ଚିକିତ୍ସା ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ହୋଇଥିଲା। ଏହି ଚିକିତ୍ସା ମଧ୍ୟରେ ଅରୁଣଙ୍କର ଗୋଟିଏ ହାତ ଓ ୨ଟି ଯାକ ଗୋଡ଼ କଟା ହୋଇଥିଲା। ଏଥିରେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଥିଲେ ଅରୁଣଙ୍କ ବାପା ସାଧୁ ଓ ମା’ ଗୁରୁବାରୀ। ପରବର୍ତ୍ତୀ ଚିକିତ୍ସା ପାଇଁ କମ୍ପାନି ବି ଧରାଛୁଆଁ ଦେଇ ନଥିଲା। ଏପରି ସମୟରେ ଦେଓଗାଁ ଅଞ୍ଚଳର ଯୁବ ସମାଜସେବୀ ରବୀନ୍ଦ୍ର କୁମାର ସାବତ, ସୁଶାର ବସ୍ତିଆ, ଦାଦୁ ଯାଦବ ଅରୁଣଙ୍କୁ ସହାୟତା କରିବା ପାଇଁ ଆଗେଇ ଆସିଥିଲେ। ସେମାନେ ଏ ବିଷୟରେ ‘ସମ୍ବାଦ’କୁ ଜଣାଇବା ସହ କମ୍ପାନି ଉପରେ ଚାପ ପ୍ରୟୋଗ କରିଥିଲେ। ‘ସମ୍ବାଦ’ରେ ଏହି ଖବର ପ୍ରକାଶିତ ହେବାପରେ ଜଲଦା ଫାଣ୍ଡି ଅଧିକାରୀ ମୁକେଶ ସାହାଣୀ କମ୍ପାନି କର୍ତ୍ତୃପକ୍ଷଙ୍କୁ ଡକାଇ ପିଲାର ସମ୍ପୂର୍ଣ୍ଣ ଭବିଷ୍ୟତ ନଷ୍ଟ ହୋଇଯାଇଥିବା ବେଳେ ତା’ର ଭରଣପୋଷଣ ନିମନ୍ତେ କିଛି ଆର୍ଥିକ ସହାୟତା ପ୍ରଦାନ କରିବାପାଇଁ ଚାପ ପକାଇବା ପରେ କମ୍ପାନି କର୍ତ୍ତୃପକ୍ଷ ୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe