Pratidin Time
କଟକ: କରୋନା କଟକଣା ଭିତରେ ସ୍କୁଲ ଖୋଲିବା ପ୍ରସଂଗରେ ଆଇନସମ୍ମତ ନିଷ୍ପତ୍ତି ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଆବେଦନକାରୀଙ୍କ ଯୁକ୍ତି ଓ ନଥିପତ୍ରକୁ ବିଚାରକୁ ନେଇ ଆଇନ ସମ୍ମତ ନିଷ୍ପତ୍ତି ନେବାକୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ମାସ ଭିତରେ ଏହି ପ୍ରସଂଗରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ରଂଜିତା ମହାପାତ୍ରଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
କରୋନା ସଂକ୍ରମଣ ସ୍ଥିତି ଯୋଗୁଁ ସ୍କୁଲ ବନ୍ଦ କରାଯିବା ନିଷ୍ପତ୍ତିକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଆବେଦନକାରୀ। ଆବେଦନରେ ଦର୍ଶାଯାଇଥିଲା ଯେ କରୋନା କଟକଣା ନାଁରେ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କଥା କେହି ଚିନ୍ତା କରୁ ନାହାନ୍ତି। ଦୁଇ ବର୍ଷ ହେବ କରୋନା ସଂକ୍ରମଣ ସ୍ଥିତି ଯୋଗୁଁ ଶିକ୍ଷାନୁଷ୍ଠାନ ବିଭିନ୍ନ ସମୟରେ ବନ୍ଦ ରଖାଯାଉଛି। ସ୍କୁଲ ବନ୍ଦ ରହୁଥିବାରୁ ଛାତ୍ରଛାତ୍ରୀମାନେ ପାଠ ପଢାରୁ ଏକ ପ୍ରକାର ଦୂରେଇ ଯାଇଛନ୍ତି। ପିଲାମାନଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଚାଲି ଯାଉଛି। ଯଦି ସ୍କୁଲରେ ଠିକ୍ ଭାବେ ପାଠ ପଢା ନ ହେବ ତେବେ ଆଗକୁ ଛାତ୍ରଛାତ୍ରୀଙ୍କ ବହୁତ ଅସୁବିଧା ହେବ। ସ୍କୁଲ ଖୋଲିଲେ ସଂକ୍ରମଣ ନିଶ୍ଚିତ ବଢିବ ବୋଲି କହି ହେବ ନାହିଁ। ବାର୍, ରେସ୍ତୁରାଁ, ସପିଂ ମଲ୍ ଓ ଅନ୍ୟାନ୍ୟ ଅନୁଷ୍ଠାନ କରୋନା କଟକଣା ଭିତରେ ଖୋଲା ରହିଛି।
କରୋନା ସଂକ୍ରମଣ ସ୍ଥିତିରେ ମଧ୍ୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ କରାଯିବା ଲାଗି ଅନୁମତି ଦିଆଯାଇଛି। ନିର୍ବାଚନ ଠାରୁ ଆରମ୍ଭ କରି ସବୁ କାର୍ଯ୍ୟ ପାଇଁ କଟକଣା ଭିତରେ ଅନୁମତି ଦିଆଯାଉଛି। ଏଭଳି ସ୍ଥିତିରେ ସ୍କୁଲ କାହିଁକି କରୋନା କଟକଣା ପାଳନ କରି ଖୋଲି ହେବ ନାହିଁ ବୋଲି ଆବେଦନକାରୀ ପ୍ରଶ୍ନ କରିଥିଲେ। ପିଲାମାନଙ୍କ ଟିକାକରଣ ପରେ ସ୍କୁଲ ଖୋଲିବ ବୋଲି କୁହାଯିବା ମଧ୍ୟ ଗ୍ରହଣୀୟ ନୁହେଁ। କରୋନା ସଂକ୍ରମଣ ସ୍ଥିତି ଯୋଗୁଁ ସ୍କୁଲ ବନ୍ଦ ରଖାଯିବା ଯୁକ୍ତିଯୁକ୍ତ ନୁହେଁ ବୋଲି ବିଶ୍ବବ୍ୟାଙ୍କର ଏହି ଟିମ୍ ମତ ଦେଇଛନ୍ତି। ତେଣୁ କରୋନା କଟକଣା ଭିତରେ ତୁରନ୍ତ ସ୍କୁଲ ଖୋଲାଯାଉ ବୋଲି ଆବେଦନକାରୀ ଦର୍ଶାଇଥିଲେ। ମାମଲାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ବିଦ୍ୟାଳୟ, ଗଣଶିକ୍ଷା ବିଭାଗ ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଆଶିଷ କୁମାର ମିଶ୍ର ମାମଲା ପରିଚାଳନା କରୁଥିଲେ।
Follow Us