କାଳବୈଶାଖୀ ବର୍ଷାରେ ବୁଡ଼ିଗଲା ରାଜପଥ: କୋରାପୁଟ-ରାୟଗଡ଼ା ‌ଗମନାଗମନ ପ୍ରଭାବିତ

Advertisment
କାଳବୈଶାଖୀ ବର୍ଷାରେ ବୁଡ଼ିଗଲା ରାଜପଥ: କୋରାପୁଟ-ରାୟଗଡ଼ା ‌ଗମନାଗମନ ପ୍ରଭାବିତ

କୋରାପୁଟ: କାଳବୈଶାଖୀ ବର୍ଷା ଯୋଗୁଁ କୋରାପୁଟ ଓ ରାୟଗଡ଼ା ଜିଲ୍ଲା ମଧ୍ୟରେ ଯୋଗଯୋଗ ବିଚ୍ଛିନ୍ନ ହୋଇଛି। ୩୨୬ ନମ୍ବର ଜାତୀୟ ରାଜପଥରେ ତଥା ଲେନ୍ଦିରିମାଳିଗୁଡ଼ା ନିକଟସ୍ଥ ବଙ୍ଗଳାଗୁଡ଼ା ଅସ୍ଥାୟୀ ପୋଲ ବୁଡ଼ିଯିବାରୁ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡ଼ି ଅଟକି ରହିଥିଲା। ପୋଲ ଉପର ଦେଇ ୪ଫୁଟ୍‌ ଉଚ୍ଚ ପାଣି ଚାଲିଥିବା ସୂଚନା ମିଳିଛି। କୋରାପୁଟ ଜିଲ୍ଲାକୁ ରାୟଗଡ଼ା ଜିଲ୍ଲା ସହ ଯୋଡ଼ିବା ପାଇଁ ଛମାରୀ ନଦୀରେ ବଙ୍ଗଳାଗୁଡ଼ା ପୋଲ ନିର୍ମାଣ କରାଯାଇଥିଲା। ତେବେ ଦୁଇ ବର୍ଷ ତଳେ ବର୍ଷା ମାଡ଼ରେ ଏହି ପୋଲର ଗୋଟିଏ ଭାଗ ଭୁଶୁଡ଼ି ଯାଇଥିଲା। ଯାହାଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଯାତାୟାତକୁ ସ୍ବାଭାବିକ ରଖିବା ପାଇଁ ପୋଲ ତଳେ ହ୍ୟୁମ୍‌ ପାଇପ୍‌ ପକାଇ ଅସ୍ଥାୟୀ ପୋଲ ସହ ରାସ୍ତା କରାଯାଇଥିଲା। ସେହି ରାସ୍ତାରେ ହିଁ ଦୁଇ ବର୍ଷ ହେଲା ଗାଡ଼ି ଚଳାଚଳ କରୁଛି।

ତେବେ ଆଜି ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଏହି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ଯାହାଫଳରେ ଛମାରୀ ନଦୀ ହଠାତ୍‌ ଫୁଲିଯାଇ ଅସ୍ଥାୟୀ ରାସ୍ତା ତଥା ପୋଲକୁ ସଂପୂର୍ଣ୍ଣ ବୁଡ଼ାଇ ଦେଇଥିଲା। ଏଥିଯୋଗୁ ୪ଘଣ୍ଟା ଧରି ଯୋଗାଯୋଗ ବାଧାପ୍ରାପ୍ତ ହୋଇ ଶହ ଶହ ଗାଡ଼ି ଅଟକି ଯାଇଥିଲା। ରାତି ପ୍ରାୟ ୮ଟାରେ ପାଣି କମିବା ପରେ ଯାତାୟାତ ସ୍ବାଭାବିକ ହୋଇଛି। ଏହି ସ୍ଥାନରେ ନୂଆ ପୋଲ ନିର୍ମାଣ ପାଇଁ ବର୍ଷକ ତଳେ ୭କୋଟି ୯୨ ଲକ୍ଷ ଟଙ୍କାର ଡିପିଆର୍‌ ପ୍ରସ୍ତୁତ କରାଯାଇଥିଲା। ଏହାପରେ ୩ଥର ଟେଣ୍ଡର ଆହ୍ବାନ ହୋଇଥିଲେ ସୁଦ୍ଧା କେହି ଭାଗ ନେଉନଥିବା ଜଣାପଡ଼ିଛି। ଆଗକୁ ବର୍ଷା ଦିନ ରହିଥିବାରୁ ପୁଣି ସମସ୍ୟା ହେବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe