ମେ’୨୬ରୁ ଦେଶରେ ଆରମ୍ଭ ହେବ ହିନ୍ଦୁ ରୋଜଗାର ଯୋଜନା

Advertisment

ସୋନପୁରରେ ବୟନଶିଳ୍ପ ହବ୍‌ କରାଯାଉ: ପ୍ରବୀଣ ଭାଇ ତୋଗାଡ଼ିଆ

ସୋନପୁରରେ ବୟନଶିଳ୍ପ ହବ୍‌ କରାଯାଉ: ପ୍ରବୀଣ ଭାଇ ତୋଗାଡ଼ିଆ

ମେ’୨୬ରୁ ଦେଶରେ ଆରମ୍ଭ ହେବ ହିନ୍ଦୁ ରୋଜଗାର ଯୋଜନା

ସୋନପୁର: ହିନ୍ଦୁ ସବୁଠୁ ଆଗରେ ରହୁ। ଏହା ଆମର ଲକ୍ଷ୍ୟ ବୋଲି ଶନିବାର ସୋନପୁର ସର୍କିଟହାଉସରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ. ପ୍ରବୀଣ ଭାଇ  ତୋଗାଡ଼ିଆ। ସେହିପରି ସମୃଦ୍ଧ ହିନ୍ଦୁ, ସୁରକ୍ଷିତ ହିନ୍ଦୁ ଓ ସମ୍ମାନିତ ହିନ୍ଦୁ ଆମର ଲକ୍ଷ୍ୟ। ଗରିବମୁକ୍ତ ହିନ୍ଦୁ, ମହାଙ୍ଗାମୁକ୍ତ ଗୃହିଣୀ, ବେରୋଜଗାର ମୁକ୍ତ ହିନ୍ଦୁ, କରଜମୁକ୍ତ କିଷାନ ଆମର ଲକ୍ଷ୍ୟ ବୋଲି କହିଛନ୍ତି ଡ. ତୋଗାଡ଼ିଆ। କେନ୍ଦ୍ର ଓ ରାଜ୍ୟ ସରକାରରେ ଖାଲିଥିବା ୧ କୋଟି ନିଯୁକ୍ତି ଶୀଘ୍ର ପୂରଣ କରିବା ଦିଗରେ ଉଭୟ କେନ୍ଦ୍ର  ଓ ରାଜ୍ୟ ସରକାର ତ୍ବରିତ ପଦକ୍ଷେପ ନେବାକୁ ଡ. ତୋଗାଡ଼ିଆ ଦାବି କରିଛନ୍ତି। ସରକାର ଇ-ଶ୍ରମ କାର୍ଡ ପ୍ରଚଳନ କରିଛନ୍ତି। ଇ-ଶ୍ରମକାର୍ଡଧାରୀଙ୍କୁ ବ‌ାର୍ଷିକ ୬ ହଜାର ଟଙ୍କା ଦେବାକୁ ମଧ୍ୟ ସେ ଦାବି କରିଛନ୍ତି। ଆସନ୍ତା ମେ ୨୬ରୁ ସାରା ଭାରତ ବର୍ଷରେ ହିନ୍ଦୁ ରୋଜଗାର ଯୋଜନା ଆରମ୍ଭ କରିବେ ବୋଲି ସୂଚନା ଦେବା ସହ ଏହି ଯୋଜନାରେ ଦେଶର ପ୍ରାୟ ୧୦ ହଜାର ଲୋକଙ୍କୁ ରୋଜଗାର ଦିଆଯିବ ଏବଂ  ଏଥିରେ ଅଧା ମହିଳାଙ୍କୁ ସାମିଲ କରାଯିବ।

ଏହି ଯୋଜନାରେ ଓଡ଼ିଶାର ୧ ହଜାର ଲୋକଙ୍କୁ ରୋଜଗାର ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି। ସୋନପୁରର ବୁଣାକାରମାନେ ଅଧିକ କୁଶଳୀ। ଏଠାରେ କିନ୍ତୁ ବୁଣାକାର ତାର ଉପଯୁକ୍ତ ପ୍ରାପ୍ୟ ପାଉନାହିଁ। ଏଣୁ ଉତ୍ପାଦନକାରୀ ଏବଂ କ୍ରେତାଙ୍କୁ ସିଧାସଳଖ ଯୋଡିଲେ ଉତ୍ପାଦନକାରୀ ଲାଭ ପାଇବେ ବୋଲି ଡ.ତୋଗାଡ଼ିଆ କହିଥିଲେ। ସେହିପରି ସମ୍ବଲପୁରୀ ଶାଢିର କପି କରି ମେସିନ୍‌ରେ ପ୍ରସ୍ତୁତ କରି ବ୍ୟବସାୟୀ ଅଧିକ ଲାଭ ପାଉଛି। ଏହାକୁ ରୋକିବାକୁ କପି ରାଇଟ ଆଇନକୁ କଡ଼ାକଡ଼ି କରିବାକୁ ସରକାର ପଦକ୍ଷେପ ନେବା ଜରୁରି ବୋଲି କହିଥିଲେ। ସୁବର୍ଣ୍ଣପୁର ଜିଲ୍ଲାର ବୁଣାକାରମାନଙ୍କ ପାଇଁ ଦେଶରେ ୧ହଜାର ସ୍ଥାନରେ ବିକ୍ରି କରିବା ପାଇଁ ସରକାର ପ୍ଲାଟଫର୍ମ ସୃ‌ଷ୍ଟି କରିବା ଆବଶ୍ୟକ ବୋଲି କହିଥିଲେ। ସବୁ ଦୃ‌ଷ୍ଟିକୁ ଦେଖିଲେ ସୋନପୁରରେ ବୟନଶିଳ୍ପର ହବ୍‌ କରାଯିବା ଆବଶ୍ୟକ ଏବଂ ଏଥିପାଇଁ ସରକାର ପଦକ୍ଷେପ ନେବା ଜରୁରି ବୋଲି କହିଥିଲେ।

ଗୋଟିଏ ମୋବାଇଲରେ ୧ ହଜାର ଦୋକାନ ସୃଷ୍ଟି କରାଯିବ ବୋଲି ସେ ସୂଚନା ଦେଇଥିଲେ। ସେହିପରି ହିନ୍ଦୁ ଆମାଜନ ସୃଷ୍ଟି କରିବାକୁ ଯାଉଛୁ ବୋଲି ଡ. ତୋଗାଡ଼ିଆ ସୂଚନା ଦେଇଥିଲେ। ଡ.ତୋଗାଡ଼ିଆ କହିଲେ ଯେ ଦେଶରେ ଦଙ୍ଗା ହେଉଛି ଚିନ୍ତାର ବିଷୟ। ରାଜ୍ୟ ସରକାର ରଥଯାତ୍ରା ଏବଂ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ବହୁତ ଭଲ ଭାବରେ କରୁଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ଓଡ଼ିଶାଠାରୁ ଆମେରିକା ମଧ୍ୟ ଶିଖିବା ଉଚିତ ବୋଲି ଡ.ତୋଗାଡ଼ିଆ ମତ ଦେଇଥିଲେ। ତେବେ ଓଡ଼ିଶାରେ ଗୋହତ୍ୟା ଏବଂ ଧର୍ମାନ୍ତରୀକରଣ ଚିନ୍ତାର କାରଣ ବୋଲି ସେ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦର ସାଧାରଣ ସମ୍ପାଦକ ମନୋଜ ସାହୁ, ରାଷ୍ଟ୍ରୀୟ ବଜରଙ୍ଗ ଦଳର ପ୍ରାନ୍ତ ସଭାପତି ସଞ୍ଜୟ ସାହୁ, ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦର ସହ ପ୍ରାନ୍ତ ସଙ୍ଗଠନ ମନ୍ତ୍ରୀ ହେମନ୍ତ ମେହେର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe