ଲଗାଣ ବର୍ଷାରେ ଘର ଭୁଶୁଡ଼ିଲା; ‌ବାସହରା ୧୦ ପରିବାର

ଲଗାଣ ବର୍ଷାରେ ଘର ଭୁଶୁଡ଼ିଲା; ‌ବାସହରା ୧୦ ପରିବାର

ବଡ଼ସାହି/କୁଆମରା/ଚିତ୍ରଡ଼ା: ଲଘୁଚାପ ଲଗାଣ ବର୍ଷା ବଡ଼ସାହି ବ୍ଲକ୍‌ ଅଞ୍ଚଳରେ କାହା ପାଇଁ ଖୁସି ଆଣିଛି ତ’ କାହାର ସର୍ବନାଶ କରିଛି। ବିଲବାଡ଼ିରେ ପାଣି ହେବାରୁ ଚାଷୀଙ୍କ ମନ ଖୁସି ଥିବା ବେଳେ ଏହି ବ୍ଲକ୍‌ ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ଓ ଗଙ୍ଗାହାର ନଦୀର ଜଳସ୍ତର ବଢୁଥିବାରୁ ନଦୀକୂଳବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। ସେହିପରି ବୀରେଶ୍ୱରପୁର ପଞ୍ଚାୟତ କୁଳଡ଼ିହା ଗ୍ରାମର ସମୀର ରାୟଙ୍କ ମାଟିଘର ଲଗାଣ ବର୍ଷାରେ ଭୁଶୁଡ଼ି ପଡ଼ିଛି। ବିପର୍ଯ୍ୟସ୍ତ ଡ୍ରେନେଜ୍‌ ବ୍ୟବସ୍ଥା ପାଇଁ ବର୍ଷାପାଣି ତାଙ୍କ ଘର କାନ୍ଥ ମୂଳରେ ଜମିରହିବାରୁ ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ତେବେ ଭାଗ୍ୟକୁ ପରିବାରର କାହାରି କିଛି କ୍ଷତି ହୋଇନି। ଶ୍ରୀ ରାୟ ମଧୁମେହ ରୋଗରେ ପୀଡ଼ିତ ଥାଇ ଚିକିତ୍ସାଧୀନ ଥିବାବେଳେ ଘର ଭୁଶୁଡ଼ି ପଡ଼ିବାରୁ ତାଙ୍କ ପରିବାର ଏକ ପ୍ରକାର ବାସହରା ହୋଇପଡ଼ିଛି। ଗତ କରୋନାରେ ତାଙ୍କ ଏକମାତ୍ର ରୋଜଗାରକ୍ଷମ ପୁଅଙ୍କ ମୃତ୍ୟୁ ଘଟିଥିଲା। ଆଉ ଏବେ ଘର ଭାଙ୍ଗିବା ପରେ ସତେଯେମିତି ଏହି ପରିବାର ଉପରେ ଦୁଃଖର ପାହାଡ଼ ଲଦି ହୋଇଯାଇଛି। ବ୍ଲକ୍‌ ପ୍ରଶାସନ ଏହି ଅସହାୟ ପରିବାରକୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଅନୁରୋଧ କରୁଛନ୍ତି।

ସେହିପରି ଗୋପବନ୍ଧୁନଗର ବ୍ଲକ୍‌ ଆରପଟା ପଞ୍ଚାୟତ ଖିରିପଦା ଗ୍ରାମର ୫ଟି ଘର ଭୁଶୁଡ଼ି ପଡ଼ିଛି। ଜଗବନ୍ଧୁ ଦଳେଇ, ଦମୟନ୍ତୀ ଦଳେଇ, ଗୋପାଳ ଦଳେଇ, ଉର୍ମିଳା ବେହେରିଣିଆ ଓ ସରସ୍ବତୀ ଦଳେଇଙ୍କ ଚାଳ ଛପର ଘର ଭୁଶୁଡ଼ି ପଡ଼ିଥିଲେ ମଧ୍ୟ କାହାର କିଛି କ୍ଷତି ହୋଇନାହିଁ। ଲଗାଣ ବର୍ଷା ଯୋଗୁଁ ଘରର କାନ୍ଥ ଦୁର୍ବଳ ଥିବାରୁ ଏହି ଅଘଟଣ ଘଟିଛି। ଏମାନେ ସମସ୍ତେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ଘର ଭାଙ୍ଗିଯିବା ପରେ ଏବେ ପର ପିଣ୍ଡାରେ ଆଶ୍ରୟ ନେଇଛନ୍ତି। ଏମାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ସମିତିସଭ୍ୟ ଦିବାକର ଦାସ। ଏଥିସହ ଖୁବ୍‌ଶୀଘ୍ର ସମସ୍ତଙ୍କୁ ଆବାସ ଯୋଜନାରେ ସାମିଲ କରାଯିବ ବୋଲି କହିଛନ୍ତି।

ଲଗାଣ ବର୍ଷାରେ ଗଛ ପଡ଼ି ମୋରଡ଼ା ବ୍ଲକ୍‌ ବରକନ୍ଦ ପଞ୍ଚାୟତ ଚମ୍ପାଖୁଣ୍ଟା ଗ୍ରାମରେ ୩ଟି ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ଆଜି ପାଖାପାଖି ଥିବା ଏକ ତାଳ ଓ ଚୁରୁଡ଼ା ଗଛ ଉପୁଡ଼ି ପଡ଼ି ଗ୍ରାମର ନାଲୁ ନାଏକ, ଚମ୍ପା ନାଏକ ଓ ଯମୁନା ନାଏକଙ୍କ ଘର ଉପରେ ପଡ଼ିଥିଲା। ଘର ଭାଙ୍ଗିଯିବା ପରେ ଏହି ୩ ପରିବାର ବାସହରା ହୋଇଯାଇଛନ୍ତି। ଖବର ପାଇ ବରକନ୍ଦ ସରପଞ୍ଚ ରଘୁନାଥ ମୁର୍ମୁ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ କ୍ଷତିଗ୍ରସ୍ତ ପରିବାରଙ୍କୁ ପଞ୍ଚାୟତ ପକ୍ଷରୁ ଚାଉଳ ଓ ଶୁଖିଲା ଖାଦ୍ୟ ଯୋଗାଇ ଦେଇଛନ୍ତି। ଏନେଇ ରାଜସ୍ବ ବିଭାଗର ଦୃଷ୍ଟି ଆକର୍ଷଣ କରିବା ସହ କ୍ଷତିଗ୍ରସ୍ତ ପରିବାରଙ୍କୁ ଉପଯୁକ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe