ଟଙ୍କା ଲୋଭରେ ସ୍ତ୍ରୀକୁ ବାହାଦେଲେ ସ୍ବାମୀ, ଅଭିଯୁକ୍ତ ସ୍ବାମୀ ଅଟକ

Advertisment
ଟଙ୍କା ଲୋଭରେ ସ୍ତ୍ରୀକୁ ବାହାଦେଲେ ସ୍ବାମୀ, ଅଭିଯୁକ୍ତ ସ୍ବାମୀ ଅଟକ

କେସିଙ୍ଗା/ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ନେଇ ଦାଦନ ଯାଇଥିବା ବେଳେ ଟଙ୍କା ଲୋଭରେ ଦିଲ୍ଲୀର ଜଣେ ବ୍ୟକ୍ତିଙ୍କ ସହ ବିବାହ କରାଇବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ବର୍ତ୍ତମାନ ବିବାହ ସମୟର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଅନ୍ୟପକ୍ଷରେ, ଘଟଣାକୁ ନେଇ ଯୁବତୀଙ୍କ ପରିବାର ଲୋକ ନର୍ଲା ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ସ୍ୱାମୀଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।

ପୁଲିସ୍ ସୂତ୍ରରୁ ପ୍ରକାଶ ଯେ, ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ମୁଣ୍ଡାଗାଁର କୁଳମଣି ଭୋଇଙ୍କ ଝିଅ ପୂର୍ଣ୍ଣିମା (୨୨)ଙ୍କୁ ମସ୍କାଗୁଡ଼ା ଗ୍ରାମର କ୍ଷୀରା ବେରୁକ ପ୍ରେମ ବିବାହ କରିଥିଲେ। ଗତ ମାସ ୩୦ ତାରିଖ ଦାଦନ ଖଟିବାକୁ କ୍ଷୀରା ଏବଂ ପୂର୍ଣ୍ଣିମା ଦୁହେଁ ଦିଲ୍ଲୀ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ୨ ତାରିଖ ଦିନ ସ୍ବାମୀ କ୍ଷୀରା ବେରୁକ୍ କିଛି ଟଙ୍କା ଲୋଭରେ ଦିଲ୍ଲୀର ଜଣେ ବ୍ୟକ୍ତିଙ୍କ ସହ ନିଜର ସ୍ତ୍ରୀ ପୂର୍ଣ୍ଣିମା ଭୋଇଙ୍କୁ ବିବାହ କରାଇ ଦେଇଥିବା ଅଭିଯୋଗ ହୋଇଛି। ପରେ ସେଠାରୁ କ୍ଷୀରା ନିଜଘରକୁ ଚାଲି ଆସିଥିଲେ। କୌଣସି ସୂତ୍ରରୁ ଦିଲ୍ଲୀରେ ହୋଇଥିବା ବିବାହ ସମୟର ଭିଡିଓ ପାଇବା ପରେ ଗତ ୫ ତାରିଖ ପୂର୍ଣ୍ଣିମା ବାପା କୁଳମଣି ଭୋଇଙ୍କୁ ଫୋନ୍ କରି ସବୁକଥା ଜଣାଇବା ସହ ଭିଡିଓ ପଠାଇଥିଲେ। ୬ ତାରିଖ ଦିନ କୁଳମଣି ନିଜର ଜ୍ବାଇଁ କ୍ଷୀରାଙ୍କ ବିରୋଧରେ ନର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ନର୍ଲା ପୁଲିସ୍ ଅଭିଯୋଗ ପରେ ଏକ ମାମଲା ରୁଜୁ କରିବା ସହ କ୍ଷୀରାଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ବାପା କୁଳମଣି ଭୋଇ ଓ କକା କାଳାମଣି ଭୋଇ ପ୍ରଥମେ ବାହାଘରର ଭିଡିଓ ଭାଇରାଲ ଓ ପରେ ଝିଅଠାରୁ ଖବରପାଇ ନର୍ଲା ଥାନାରେ ଅଭିଯୋଗ କରିଥିବା କହିଛନ୍ତି। ଏହି ଘଟଣାରେ ପୁଲିସ୍ କିଛି କହୁ ନଥିଲେ ବି ମାମଲା ରୁଜୁ କରି ତଦନ୍ତ ପାଇଁ ଟିମ୍‌ ଗଠନ କରିଛି। ପୂର୍ଣ୍ଣିମାଙ୍କୁ ଉଦ୍ଧାର କରିବାକୁ ପ୍ରକ୍ରିୟା ଜାରି ରଖିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe