ଯାଜପୁର/ସଦର : ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ର ବହୁଚର୍ଚ୍ଚିତ ନଗଡ଼ା ଗାଁରେ ବିକାଶ ଅପହଞ୍ଚ। ୨୦୧୬ ମସିହାରେ ୧୯ ଜଣ ଜୁଆଙ୍ଗ ଶିଶୁଙ୍କ ମତ୍ୟୁପରେ ଏହି ଅଖ୍ୟାତ ପଲ୍ଲୀ ରାଜ୍ୟ ଓ ଜାତୀୟ ଗଣମାଧ୍ୟମର ପ୍ରମୁଖ ଶିରୋନାମାରେ ଆସିଥିଲା। ଏହାପରେ ରାଜ୍ୟ ସରକାର ସେଠାରେ ତତ୍କାଳ ବିକାଶ ପାଇଁ ଅଣ୍ଟା ଭିଡ଼ିଥିଲେ। କୋଟିକୋଟି ଟଙ୍କା ପାଣି ପରି ବୁହାଇ ଦେଇଥିଲେ। କିଛି କାମ ଆରମ୍ଭ ହୋଇଥିଲା। ଅଗମ୍ୟ ଗାଁକୁ ରାସ୍ତାଟିଏ ମଧ୍ୟ ହୋଇଥିଲା। ବିଜୁଳି ପହଞ୍ଚିଥିଲା। କିନ୍ତୁ, ୫ବର୍ଷ ପରେ ମଧ୍ୟ ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ଜୀବନରେ କୌଣସି ଉନ୍ନତି ହୋଇନଥିବାରୁ ଜାତୀୟ ମାନବାଧିକାର କମିସନ ଚିନ୍ତା ବ୍ୟକ୍ତ କରିବାସହ ଏସଂକ୍ରାନ୍ତରେ ରିପୋର୍ଟ ଦେବାପାଇଁ ଯାଜପୁର ଜିଲ୍ଲାପାଳଙ୍କୁ ନୋଟିସ୍ ଜାରି କରିଛନ୍ତି। ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡଙ୍କ ପିଟିସନ୍ ଉପରେ ବିଚାର କରି କମିସନ ୪ ସପ୍ତାହ ମଧ୍ୟରେ ସବିଶେଷ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
NewsNationଆବେଦନକାରୀଙ୍କ ଅଭିଯୋଗ ଅନୁସାରେ, ଏବେ ବି ନଗଡ଼ାରେ ଶିଶୁମାନେ ଅପପୁଷ୍ଟିର ଶିକାର ହୋଇଥିବା ଦେଖିବାକୁ ମିଳୁଛି। ଅନେକ ପିଲା ସ୍କୁଲ ମାଡୁନାହାନ୍ତି। ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍କୁଲ୍ ଠିକ୍ ଭାବେ କାମ କରୁନାହିଁ। ଏବେ ବି ଭାତ ଓ ଲୁଣକୁ ହିଁ ସେଠାକାର ଅଧିବାସୀଙ୍କ ମୁଖ୍ୟ ଖାଦ୍ୟ। ଅନେକ ସଚେତନତା ପରେ ବି ବାଲ୍ୟବିବାହ ଦେଖିବାକୁ ମିଳୁଛି। ବିଶୁଦ୍ଧ ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା ସୁଧାରିବାରେ ପ୍ରଶାସନ ଫେଲ୍ ମାରିଛି। ତିଆରି ହୋଇଥିବା ରାସ୍ତାର ଅବସ୍ଥା ମଧ୍ୟ ଠିକ୍ ନାହିଁ। ମନରେଗାରେ ଲୋକଙ୍କୁ କାମ ମିଳିପାରୁନାହିଁ। ପ୍ରଶାସନିକ ଅଧିକାରୀମାନେ ଏହି ଦୁର୍ଗମ ଗାଁକୁ ଯାଉନଥିବାରୁ ଲୋକମାନେ ସେମିତି ଆଦିମ ଅଧିବାସୀ ଭଳି କାଳାତିପାତ କରୁଛନ୍ତି।
/sambad/media/post_attachments/wp-content/uploads/2018/11/Nagada-6-300x171.jpg)
ନଗଡ଼ାକୁ ନେଇ ଆଗରୁ ମଧ୍ୟ ଶ୍ରୀ ଅଖଣ୍ଡଙ୍କ ପକ୍ଷରୁ ଏନଏଚଆରସିରେ ଦୁଇଟି ମାମଲା ହୋଇଥିଲା ଏବଂ ସରକାରଙ୍କୁ ନୋଟିସ୍ ହୋଇଥିଲା। କାମ କରିବାର ପ୍ରତିଶ୍ରୁତି ଦେଇ ପ୍ରଶାସନ ଏହି ଦୁଇ ମାମଲାରୁ ଖସି ଯାଇଥିଲା। ଏବେ ପୁଣିଥରେ ଜିଲ୍ଲାପାଳଙ୍କୁ ନୋଟିସ୍ ଜାରି ହୋଇଛି। କମିସନଙ୍କ ତଦନ୍ତ ଟିମ୍ କିମ୍ବା ସ୍ୱତନ୍ତ୍ର ରାପୋର୍ଟିୟରଙ୍କ ଦ୍ୱାରା ନଗଡ଼ାର ସ୍ଥିତି ସମ୍ପର୍କରେ ଅନୁସନ୍ଧାନ କରିବାକୁ ଅଖଣ୍ଡ କମିସନଙ୍କୁ ନିବେଦନ କରିଛନ୍ତି । ସେହିପରି, ସେଠାକାର ବିକାଶ ପାଇଁ ଏକ ମନିଟରିଂ କମିଟି ଗଠନ ଲାଗି ନିର୍ଦ୍ଦେଶ ଦେବାକୁ ମଧ୍ୟ ସେ କମିସନଙ୍କୁ ଅନୁରୋଧ କରିଛନ୍ତି।
ଏ ବିଷୟରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ଯୋଗାଯୋଗ କରିବାରୁ ଆମ ପାଖରେ ଏଯାଏ ଚିଠି ପହଞ୍ଚି ନାହିଁ। ତାହା ପାଇବା ପରେ ପ୍ରଶାସନ ପକ୍ଷରୁ ନଗଡ଼ାରେ ଯାହା କିଛି ପଦକ୍ଷେପ ନିଆଯାଇଛି କମିସନଙ୍କୁ ଅବଗତ କରାଯିବ ବୋଲି ସୂଚନା ଦେଇଛନ୍ତି।
Follow Us