ମରିଯିବ ଚିରସ୍ରୋତା ଭାସ୍କେଲ! ନଦୀ ଶଯ୍ୟା ପାଲଟୁଛି ପୋଖରୀ, ପ୍ରଶାସନ ନିରବ

ନବରଙ୍ଗପୁର ଜିଲ୍ଲାର ଚିରସ୍ରୋତା ଭାସ୍କେଲ ନଦୀ ଉପରେ ବାଲି ମାଫିଆଙ୍କ ନଜର। ନଈ ଗର୍ଭରୁ ବେଆଇନ ଭାବେ ଉଠାଯାଉଛି ବାଲି। ନଦୀଶଯ୍ୟା ଏବେ ପୋଖରୀ ପାଲଟିଛି। ଖରାଦିନେ ନଦୀରେ ପାଣି ରହୁନି।

ffsfshhsfhf

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଚିରସ୍ରୋତା ଭାସ୍କେଲ ନଦୀ ଉପରେ ବାଲି ମାଫିଆଙ୍କ ନଜର। ନଈ ଗର୍ଭରୁ ବେଆଇନ ଭାବେ ଉଠାଯାଉଛି ବାଲି। ନଦୀଶଯ୍ୟା ଏବେ ପୋଖରୀ ପାଲଟିଛି। ଖରାଦିନେ ନଦୀରେ ପାଣି ରହୁନି। ଏଭଳି ବାଲି ଚାଲାଣ ଜାରି ରହିଲେ ଭାସ୍କେଲ ନଦୀ ମରିଯିବ ବୋଲି ଚର୍ଚ୍ଚା ‌ହେଉଛି। ଫଳରେ ଭାସ୍କେଲ ନଦୀ ଉପରେ ନିର୍ଭର କରୁଥିବା ହଜାର ହଜାର ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହେବ ବୋଲି ଚାଷୀମାନେ କହିଛନ୍ତି।

ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ବ୍ଲକର ଆଟିଗାଁ ଠାରୁ ୪୦ କିମି ଅତିକ୍ରମ କରି ଘାଟବାସୁଲି ଠାରେ ଇନ୍ଦ୍ରାବଦୀରେ ସଂଯୋଗ ହୋଇ ଛତିଶଗଡ଼କୁ ଯାଇଛି। ଛତିଶଗଡ଼ ସରକାର ନଦୀରେ ଏକାଧିକ ବ୍ୟାରେଜ୍ ନିର୍ମାଣ କରି ଏହାର ପାଣିକୁ ସଦୁପଯୋଗ କରୁଛନ୍ତି। ତେବେ ଉପରମୁଣ୍ଡରେ ଥିବା ଓଡ଼ିଶା ସରକାର ଭାସ୍କେଲ ନଦୀର ବ୍ୟାରେଜ୍ ନିର୍ମାଣ ତ’ ଦୂରର କଥା ନଦୀର ସୁରକ୍ଷା ପ୍ରତି ମଧ୍ୟ ଦୃଷ୍ଟି ଦେଉନାହାନ୍ତି। ଏହି ୪୦ କିମି ମଧ୍ୟରେ ପ୍ରାୟ ୩୦ଟି ବାଲିଘାଟ ରହିଛି। ସେଥି ମଧ୍ୟରୁ ୬ଟି ଘାଟକୁ ସରକାରୀ ଲିଜ୍ ଦେଇଥିବା ବେଳେ ଅନ୍ୟ ଘାଟଗୁଡ଼ିକରୁ ବେଆଇନ ଭାବେ ବାଲି ଉଠୁଛି। ନିୟମ ଉଲ୍ଲଂଘନ କରି ସମସ୍ତ ଘାଟରୁ ଜେସିବି ମେସିନ୍ ଦ୍ବାରା ବାଲି ଉଠାଯାଉଥିବା ଅଭିଯୋଗ ହେଉଛି। ଏପରିକି ନଦୀ ଶଯ୍ୟାରୁ ମାଟି ଭାରିଲା ପର୍ଯ୍ୟନ୍ତ ବାଲି ଉଠାଯାଉଛି। ଏପରି ଗତ ୮ ବର୍ଷ ହେବ ଅନବରତ ବାଲି ଚାଲାଣ ହେଉଥିବାରୁ ବର୍ତ୍ତମାନ ନଦୀଶଯ୍ୟା ପୋଖରୀ ପାଲଟିବାରେ ଲାଗିଛି। ଫଳରେ ଗତ କିଛି ବର୍ଷ ହେବ ଗ୍ରୀଷ୍ମରେ ଚିରସ୍ରୋତା ନଦୀ ଶୁଖି ଯାଉଛି।

ଭାସ୍କେଲ ନଦୀକୂଳରେ ଆଟିଗାଁ, ଡଙ୍ଗାବେଡ଼ା, ସାନଗୁମୁଡ଼ା, ବଡ଼ଗୁମୁଡ଼ା, ଏକୋରୀ, ବେଲଗାଁ, ବରଗାଁ, ଦୁରାଗାଁ, କେରାଣ୍ଡିମାଳ, ବେଲଫୁଟି, ବଜରଗଡ଼, କୋଷାଗୁମୁଡ଼ା, ସନ୍ତୋଷପୁର, ଅଞ୍ଚଳା, ଉମରଗାଁ, ଧନସୁଲି, ଭଣ୍ଡାରିଗୁଡ଼ା, ଉମରଗାଁ, ଆଉଁଳି, ହରଦୁଲି, ଭଇଁଷିବେଡ଼ା, ଗଜାଗାଁ, ଉକିଆପଲ୍ଲୀ, ଘାଟବାସୁଲି ଭଳି ପ୍ରାୟ ୩୦ ରୁ ଊର୍ଦ୍ଧ୍ବ ଗାଁ ରହିଛି। ଭାସ୍କେଲ ନଦୀ କୂଳରେ ପ୍ରାୟ ୧୦୦ଟି ଉଠା ଜଳସେଚନ ପ୍ରକଳ୍ପ ରହିଛି। ଏଥିସହ ଜମିରେ ଚାଷୀଙ୍କ ନିଜର ଶହଶହ ସଂଖ୍ୟାରେ ଉଠା ଜଳସେଚନ ପ୍ରକଳ୍ପ ରହିଛି। ଏହି ଗାଁଗୁଡ଼ିକର ନଦୀ କୂଳରେ ପ୍ରାୟ ୪ ହଜାର ହେକ୍ଟର ଚାଷଜମି ରହିଛି। ଏହି ଚାଷ ଜମିରେ ଧାନ, ମକା, ପନିପରିବା ଓ ଆଖୁ ଚାଷ ହେଉଛି। ନଦୀର ସୁରକ୍ଷା ପ୍ରତି ପ୍ରଶାସନ ଦୃଷ୍ଟି ନ ଦେଲେ ଉଠା ‌ଜଳସେଚନ ପ୍ରକଳ୍ପରୁ ପାଣି ଝରିବ ନାହିଁ ବୋଲି ଚାଷୀମାନେ କହିଛନ୍ତି।  ବ୍ଲକ ଉପାଧ୍ୟକ୍ଷ ଯୋଗେନ୍ଦ୍ର ସ୍ବାଇଁ କହିଛନ୍ତି ଭାସ୍କେଲ ନଦୀରେ ବ୍ୟାରେଜ୍ ଓ ଚେକ୍‌ଡ୍ୟାମ ନିର୍ମାଣ କରିବା ପାଇଁ ଚାଷୀମାନେ ବାରମ୍ବାର ଦାବି କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ବାଲି ଚାଲାଣ ବନ୍ଦ ନହେଲେ ଆଉ କିଛି ବର୍ଷ ପରେ ଭାସ୍କେଲ ନଦୀ ମରିଯିବ ବୋଲି ସେ କହିଛନ୍ତି। ନଦୀରୁ ଯେଉଁ ପରିମାଣରେ ବାଲି ଚାଲାଣ ହୋଇଛି ସେତିକି ଭରଣା ପାଇଁ ଅତିକମ୍‌ରେ ୫ ବର୍ଷ ଆବଶ୍ୟକ; ତାହା ବି ନିୟମିତ ଭାବେ ବନ୍ୟା ହେବା ଦରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe