ଜବତ ୭୫ ଲକ୍ଷର ହିସାବ ମାଗିଲା ଆୟକର ବିଭାଗ

Advertisment
ଜବତ ୭୫ ଲକ୍ଷର ହିସାବ ମାଗିଲା ଆୟକର ବିଭାଗ

Image Courtesy of India Today

ଭୁବନେଶ୍ବର: ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗତ ଶୁକ୍ରବାର ଦିନ ଜବତ ହୋଇଥିବା ମୋଟ୍‌ ୭୫ ଲକ୍ଷ ଟଙ୍କାର ହିସାବ ଖୋଜୁଛି ଆୟକର ବିଭାଗ। ଓଡ଼ିଶାକୁ ଏତେ ପରିମାଣର ଟଙ୍କା ଅଣାଯିବା ପଛରେ ଉଦ୍ଦେଶ୍ୟ କ’ଣ? ସାଧାରଣ ବ୍ୟାବସାୟିକ କାମପାଇଁ ନା ନିର୍ବାଚନ ପାଇଁ? ଏହାକୁ ନେଇ ଖୋଳତାଡ଼ ଚାଲିଛି। ଯେଉଁ ବ୍ୟକ୍ତିମାନଙ୍କଠାରୁ ଟଙ୍କା ଜବତ ‌ହୋଇଛି, ସେମାନେ ପୂର୍ବରୁ କେଉଁ ସ୍ଥାନଗୁଡ଼ିକୁ ଯାତ୍ରା କରିଥିଲେ, ଆୟକର ବିଭାଗ ପକ୍ଷରୁ ତା’ର ଯାଞ୍ଚ କରାଯାଉଛି। ଟଙ୍କାର ଉତ୍ସ ଜଣାଇବାଲାଗି ଉକ୍ତ ବ୍ୟକ୍ତିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କଠାରୁ ସନ୍ତୋଷଜନକ ଓ ପ୍ରମାଣଯୋଗ୍ୟ ଉତ୍ତର ନମିଳିଲେ, ଆୟକର ବିଭାଗ ପକ୍ଷରୁ ସବୁତକ ଟଙ୍କାକୁ ଜବତ କରାଯିବ। ପୁଣି ସେତିକି ଟଙ୍କାର ଆୟକର ଜରିମାନା ମଧ୍ୟ ଆଦାୟ କରାଯିବ ବୋଲି ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ ଯେ ଗୋଟିଏ ଦିନରେ ଚେନ୍ନାଇ ଓ ଦିଲ୍ଲୀ ବିମାନବନ୍ଦରରୁ କିଛି ଲୋକ ଏହି ଟଙ୍କା ନେଇ ଆସୁଥିବା ଜଣାପଡ଼ିଥିଲା। ସେମାନଙ୍କ ଭିତରୁ ୨୫ ଲକ୍ଷ ଟଙ୍କା ନେଇ ଆସୁଥିବା ୫ ଜଣ ଲୋକ ଥିଲେ ରାଜ୍ୟର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ସଂସ୍ଥାର କମର୍ଚାରୀ। ସେହିପରି ଦିଲ୍ଲୀରୁ ଜଣେ ସ୍ଥାନୀୟ ବ୍ୟବସାୟୀ ଏକାକୀ ୫୦ ଲକ୍ଷ ଟଙ୍କା ନେଇ ଆସୁଥିଲେ। ସେମାନଙ୍କ ଗନ୍ତବ୍ୟସ୍ଥଳ ଭୁବନେଶ୍ବର ଥିବାରୁ ଉପରୋକ୍ତ ଦୁଇ ବିମାନବନ୍ଦର ପକ୍ଷରୁ ଭୁବନେଶ୍ବର ବିମାନବନ୍ଦରକୁ ଟଙ୍କା ସଂପର୍କରେ ଆଗୁଆ ସୂଚନା ଦିଆଯାଇଥିଲା। ଖବର ପାଇ ସ୍ଥାନୀୟ ଆୟକର ବିଭାଗର ଅଧିକାରୀମାନେ ବିମାନବନ୍ଦରରେ ଜଗି ରହିଥିଲେ। ବ୍ୟାଗେଜ୍‌ ସ୍କାନ୍‌ ସମୟରେ ଟଙ୍କା ଥିବା ଜଣାପଡ଼ିବାରୁ ଆୟକର ଟିମ୍‌ ବ୍ୟାଗ୍‌ ଭିତରେ ଥିବା ନଗଦ ଟଙ୍କାକୁ ଜବତ କରିଥିଲା। ସେତେବେଳେ ସେହି ଟଙ୍କାର ଉତ୍ସ ସଂପର୍କରେ ତାହାକୁ ଆଣିଥିବା ଦୁଇ ବ୍ୟବସାୟୀ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ତେଣୁ ତାହାକୁ ଜବତ କରାଯାଇଥିଲା।

ଉଲ୍ଲେଖନୀୟ କଥା ହେଉଛି ଯେ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭୁବନେଶ୍ବର ବିମାନବନ୍ଦରରୁ ବିପୁଳ ନଗଦ ଟଙ୍କା ସହିତ ସୁନା ଜବତ ହେଉଛି। ଆଶ୍ଚର୍ଯ୍ୟଜନକ ଭାବରେ ଏହି ପରିମାଣ ବଢ଼ି ବଢ଼ି ଚାଲିଛି। ଏହା ପଛରେ କେବଳ ନିୟମିତ ବ୍ୟବସାୟିକ କାରଣ ଥିବ ‌ବୋଲି କାହାରେ ବିଶ୍ବାସ ହେଉନାହିଁ। ରାଜନୀତି ସହିତ ଏସବୁର ନିଶ୍ଚିତ ଭାବେ କୌଣସି ଲିଙ୍କ୍‌ ଥିବ ବୋଲି ସନ୍ଦେହ କରାଯାଉଛି। ତଦନ୍ତକାରୀ ସଂସ୍ଥାମାନେ ମଧ୍ୟ ସେହି ଦିଗକୁ ଗୁରୁତ୍ବ ଦେଇ ଖୋଳତାଡ଼ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe