କଲବଲ କଲା ତାତି: ଆସନ୍ତା ୩ ଦିନ ଅଭ୍ୟନ୍ତର ଜଳିବ

Advertisment

୪୧ଂ ଡେଇଁଲା ଦ୍ବୈତନଗରୀ, ଅନୁଗୁଳ ରାଜ୍ୟର ଉତ୍ତପ୍ତ ସହର

୪୧ଂ ଡେଇଁଲା ଦ୍ବୈତନଗରୀ, ଅନୁଗୁଳ ରାଜ୍ୟର ଉତ୍ତପ୍ତ ସହର

ଏ ବର୍ଷ ସ୍ବାଭାବିକ ମୌସୁମୀ: ସୋନପୁର ଦେଶର ସବୁଠୁ ଉତ୍ତପ୍ତ ସହର, ୪୦ଂ ଉପରେ ୧୬ ଜିଲ୍ଲା ତାପମାତ୍ରା

photo by : Times of India

ଭୁବନେଶ୍ବର: ଚଳିତ ବର୍ଷ ରାଜ୍ୟର ସ‌ର୍ବୋଚ୍ଚ ଦିନ ତାପମାତ୍ରା ୪୪ ଡିଗ୍ରି ଅତିକ୍ରମ କରିସାରିଛି। ସାମୁଦ୍ରିକ ପବନ ଯୋଗୁଁ କମ ଗରମ ଥିବା ଉପକୂଳ ଓଡ଼ିଶା ଗତକାଲିଠାରୁ ତାତିବା ଆରମ୍ଭ ହୋଇଥିଲା। ଆଜି ଏହା ଆହୁରି ବଢ଼ିଛି। ରାତି ପାହୁ ପାହୁ ରୌଦ୍ରତାପରେ ଦ୍ବୈତନଗରୀବାସୀ (କଟକ ଓ ଭୁବନେଶ୍ବର) ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ। ଦିନ ବଢ଼ିବା ସହ ପାରଦ ଉପରମୁହାଁ ହେବାରେ ଲାଗିଲା। ସ୍ଥିତି ଏମିତି ହେଲା ଯେ ଦିନ ସାଢ଼େ ୧୧ଟା ସୁଦ୍ଧା ରାଜଧାନୀର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଗଲା। ଏଥିସହ ଚଳିତ ବର୍ଷ ପ୍ରଥମ ଥର ପାଇଁ ଦ୍ବୈତନଗରୀର ତାପମାତ୍ରା ୪୧ ଡିଗ୍ରି ରେକର୍ଡ କରାଯାଇଛି।

ଖାଲି ଉପକୂଳ ନୁହେଁ, ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଆଜି ରାଜ୍ୟର ୨୧ ସହର ତାପମାତ୍ରା ୪୦ ଡିଗ୍ରି ବା ଏହାଠାରୁ ଅଧିକ ‌ରେକର୍ଡ ହୋଇଛି। ୯ ସ୍ଥାନର ତାପମାତ୍ରା ୪୧ ଡିଗ୍ରି ଅତିକ୍ରମ କରିଛି। ୪୨.୧ ଡିଗ୍ରି ସହ ଅନୁଗୁଳ ରାଜ୍ୟର ଉତ୍ତପ୍ତ ସହର ହୋଇଥିବା ବେଳେ ଏହା ପଛକୁ ରହିଛି ଭୁବନେଶ୍ବର। ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୧.୭ ଡିଗ୍ରି ରେକର୍ଡ ହୋଇଛି। କଟକର ସର୍ବୋଚ୍ଚ ତାପମାତ୍ରା ଆଜି ୪୧ ଡିଗ୍ରି ରହିଥିଲା। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଉତ୍ତର-ପଶ୍ଚିମ ତଥା ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବେଶ କରୁଥିବା ଉତ୍ତପ୍ତ ଶୁଷ୍କ ବାୟୁ ଓ ଅତ୍ୟଧିକ ସୂର୍ଯ୍ୟ ଉତ୍ତାପ ପ୍ରଭାବ‌ରେ ଆଭ୍ୟନ୍ତରୀଣ ଓଡ଼ିଶାର ଦିନ ତାପମାତ୍ରା ଆଗାମୀ ୩ ଦିନ ମଧ୍ୟରେ ୩ରୁ ୫ ଡିଗ୍ରି ଯାଏ ବଢ଼ିବାର ସମ୍ଭାବନା ରହିଛି। ଫଳରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଆସନ୍ତା ୩ ଦିନ ପ୍ରଚଣ୍ଡ ଖରା ହେବ। କିନ୍ତୁ ଉପକୂଳର ତାପମାତ୍ରା ସ୍ଥିର ରହିବ। କିନ୍ତୁ ତାତିରୁ ତ୍ରାହି ମିଳିବ ନାହିଁ।

ଆସନ୍ତା ସୋମବାର ଯାଏ ଉପକୂଳର ସର୍ବୋଚ୍ଚ ତାପମାତ୍ରା ୪୧ରୁ ୪୨ ଡିଗ୍ରି ମଧ୍ୟରେ ରହିବ ବୋଲି କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ୨୫ରୁ ୨୭ ତାରିଖ ଯାଏ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ରାଜ୍ୟବାସୀଙ୍କୁ କଲବଲ କରିବ। ଏଣୁ ଏହି ୩ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ହିଟ୍‌ ୱେଭ୍‌ଜନିତ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୫ ତାରିଖ ଦିନ ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲା ପାଇଁ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ ଜାରି କରାଯାଛି। ଏଥିସହ ୨୬ ତାରିଖ ପାଇଁ ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ ମୟୂରଭଞ୍ଜ ତଥା ୨୭ ତାରିଖ ପାଇଁ ସୋନପୁର, ‌ବୌଦ୍ଧ, ବଲାଙ୍ଗୀର, ମୟୂରଭଞ୍ଜ ଓ କଳାହାଣ୍ଡି ଆଦି ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜନିତ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ଏଣୁ ଏହି ସବୁ ଜିଲ୍ଲାରେ ଦିନ ୧୧ଟାରୁ ଅପରାହ୍ନ ୪ଟା ଯାଏ ଖରାକୁ ନ ବାହାରିବାକୁ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ଆସନ୍ତାକାଲି ମଧ୍ୟ ଭୁବନେଶ୍ବର ଓ ସଂଲଗ୍ନ ଅଞ୍ଚଳଗୁଡ଼ିକର ତାପମାତ୍ରା ୪୨ ଡିଗ୍ରି ପାଖାପାଖି ରହିବ। ଆକାଶ ନିର୍ମଳ ଯୋଗୁଁ ଖରା ଅସହ୍ୟ ହେବ। ଅପରାହ୍ନ ଆଡ଼କୁ ଆକାଶ ଆଂଶିକ ମେଘାଚ୍ଛନ୍ନ ହୋଇପାରେ। ରାତ୍ରି ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରି ମଧ୍ୟରେ ରହିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe