ବାଲିଯାତ୍ରାକୁ ବିଶ୍ବ ଐତିହ୍ୟ ମାନ୍ୟତା ପ୍ରସଙ୍ଗ: ଜିଲ୍ଲା ପ୍ରଶାସନର ଉଦାସୀନତା ପାଇଁ ଏଥର ବି ବଞ୍ଚିତ ହେଲା

Advertisment

ଐତିହାସିକ କଟକ ବାଲିଯାତ୍ରାକୁ ୟୁନେସ୍କୋ ତରଫରୁ ବିଶ୍ବ ଐତିହ୍ୟ(ଜୀବନ୍ତ ମେଳା)ର ମାନ୍ୟତା ମିଳିବା ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ପାଇଁ ବିଭିନ୍ନ ସ୍ତରରେ ଦାବି ହୋଇଛି। ଚଳିତବର୍ଷ ବାଲିଯାତ୍ରାକୁ ଏହି ମାନ୍ୟତା ମିଳିବା ଦିଗରେ ପ୍ରଶାସନ...

ଐତିହାସିକ କଟକ ବାଲିଯାତ୍ରାକୁ ୟୁନେସ୍କୋ ତରଫରୁ ବିଶ୍ବ ଐତିହ୍ୟ(ଜୀବନ୍ତ ମେଳା)ର ମାନ୍ୟତା ମିଳିବା ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ପାଇଁ ବିଭିନ୍ନ ସ୍ତରରେ ଦାବି ହୋଇଛି। ଚଳିତବର୍ଷ ବାଲିଯାତ୍ରାକୁ ଏହି ମାନ୍ୟତା ମିଳିବା ଦିଗରେ ପ୍ରଶାସନ...

baliyatra

କଟକ: ଐତିହାସିକ କଟକ ବାଲିଯାତ୍ରାକୁ ୟୁନେସ୍କୋ ତରଫରୁ ବିଶ୍ବ ଐତିହ୍ୟ(ଜୀବନ୍ତ ମେଳା)ର ମାନ୍ୟତା ମିଳିବା ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ପାଇଁ ବିଭିନ୍ନ ସ୍ତରରେ ଦାବି ହୋଇଛି। ଚଳିତବର୍ଷ ବାଲିଯାତ୍ରାକୁ ଏହି ମାନ୍ୟତା ମିଳିବା ଦିଗରେ ପ୍ରଶାସନ ପକ୍ଷରୁ କୌଣସି ଉଦ୍ୟମ କରାଯାଇ ନଥିବା ବେଳେ ଆସନ୍ତାବ‌ର୍ଷ ପାଇଁ ୟୁନେସ୍କୋ ମାଗିଥିବା ସମସ୍ତ ତଥ୍ୟ ପ୍ରସ୍ତୁତ କରିବାକୁ ଦାବି ହୋଇଛି। ୨୦୨୩ରୁ ବାଲିଯାତ୍ରାକୁ ଏହି ମାନ୍ୟତା ଦେବା ଦିଗରେ ଉଦ୍ୟମ ଆରମ୍ଭ ହୋଇଥିଲା। ମାତ୍ର ପ୍ରାଶାସନିକ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ଏହା ହୋଇପାରୁ ନଥିବା ଅଭିଯୋଗ ହୋଇଛି। 

କଟକ ବାଲିଯାତ୍ରାକୁ ବିଶ୍ବ ଐତିହ୍ୟ ମାନ୍ୟତା ପ୍ରଦାନ କରିବା ପାଇଁ ୟୁନେସ୍କୋ ଓ କେନ୍ଦ୍ର ସଂସ୍କୃତି ବିଭାଗ ପକ୍ଷରୁ ଗତବର୍ଷରୁ ଉଦ୍ୟମ ହୋଇଥିଲା। ବାଲିଯାତ୍ରାର ସମସ୍ତ ତଥ୍ୟ ପ୍ରଦାନ କରିବା ପାଇଁ ୟୁନେସ୍କୋର ନୋଡାଲ୍‌ ଏଜେନ୍ସି କେନ୍ଦ୍ର ସଂଗୀତ ନାଟକ ଏକାଡେମି ପକ୍ଷରୁ କଟକ ଜିଲ୍ଲାପାଳ ଓ ପୌର ନିଗମର କମିସନ୍‌ଙ୍କୁ ୨୦୨୩ ନଭେମ୍ବରରେ ଚିଠି କରାଯାଇଥିଲା। ବାଲିଯାତ୍ରା ସହିତ ଯୋଡ଼ି ହୋଇଥିବା ୨ ହଜାର ବର୍ଷର ନୌବାଣିଜ୍ୟ ଇତିହାସ, ବୋଇତ ବନ୍ଦାଣ, ଯାତ୍ରା ଆୟୋଜନର ତଥ୍ୟ ସହିତ ବାଲିଯାତ୍ରା ଉପରେ ପ୍ରାମାଣିକ ଚିତ୍ର, ଯାତ୍ରାକୁ ନେଇ ବିଶିଷ୍ଠ ବ୍ୟକ୍ତି ବିଶେଷଙ୍କ ମତାମତ ପରି ବିଭିନ୍ନ ବିଷୟ ଦେବାକୁ କୁହାଯାଇଥିଲା। ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ଉକ୍ତ ରିପୋର୍ଟ ଦେବାକୁ କୁହାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ଏଦିଗରେ ବିଫଳ ହୋଇଥିଲା। ଏହାକୁ ନେଇ ସଂସ୍କୃତିପ୍ରେମୀଙ୍କ ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଥିଲା।

୨୦୨୩ରୁ ବାଲିଯାତ୍ରା ଉପରେ ମଗାଯାଇଛି ତଥ୍ୟ
କମିଟି ଗଠନର ୮ମାସରେ ଥରେ ବସିଛି ବୈଠକ
କ୍ଷୋଭ ପ୍ରକାଶ କଲେ ଜାତିସଂଘ ଭାରତୀୟ ସଂଘର ସଦସ୍ୟ

ପ୍ରଶାସନ ପକ୍ଷରୁ ଚଳିତବର୍ଷ ଏପ୍ରିଲ୍‌ରେ ଉପ-ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ୭ଜଣିଆ କମିଟି ଗଠନ କରାଯାଇ ବାଲିଯାତ୍ରା ଉପରେ ୟୁନେସ୍କୋ ତରଫରୁ ମଗାଯାଇଥିବା‌ ସମସ୍ତ ତଥ୍ୟ ପ୍ରସ୍ତୁତ କରିବାକୁ କୁହାଯାଇଥିଲା। ମାତ୍ର କମିଟି ଗଠନ ହେବା ପରଠାରୁ ଆଜି ସୁଦ୍ଧା ଜିଲ୍ଲା ପ୍ରଶାସନ ତରଫରୁ ଗୋଟିଏ ବୈଠକ କରି କର୍ତ୍ତୃପକ୍ଷ ହାତ ଟେକି ଦେଇଛନ୍ତି। ବାଲିଯାତ୍ରାକୁ ବିଶ୍ବ ଐତିହ୍ୟ ମାନ୍ୟତା ଦିଗରେ ପ୍ରଶାସନ କର୍ତ୍ତୃପକ୍ଷଙ୍କ ଉଦାସୀନତାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଥିବା ବେଳେ ୨୦୨୫ରେ ବାଲିଯାତ୍ରାକୁ ଯେପରି ଏହି ମାନ୍ୟତା ମିଳିବ ସେ ଦିଗରେ କାମ କରିବାକୁ କଟକବାସୀଙ୍କ ପକ୍ଷରୁ ଦାବି ହୋଇଛି। ବାଲିଯାତ୍ରାକୁ ୟୁନେସ୍କୋ ବିଶ୍ବ ଐତିହ୍ୟ ମାନ୍ୟତା ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଉଦ୍ୟମ ଆରମ୍ଭ ହୋଇନାହିଁ। ଗତ ୮ ମାସରେ ଗୋଟିଏ ବୈଠକ ଡାକି ତାର ଦାୟିତ୍ବ ଶେଷ କରିଦେଇଛି। ଚଳିତ ମାସ ଏଦିଗରେ ଉଦ୍ୟମ ଆରମ୍ଭ କରିବାକୁ ଜିଲ୍ଲା ପ୍ରଶାସନକୁ ଚିଠି ଲେଖିଛି। ହେଲେ କିଛି କାର୍ଯ୍ୟ ଆରମ୍ଭ ହୋଇନାହିଁ ବୋଲି ଜାତିସଂଘ ଭାରତୀୟ ସଂଘର ଜାତୀୟ କାର୍ଯ୍ୟକାରୀ ସଦସ୍ୟ ତଥା କମିଟିର ସଦସ୍ୟ ଡକ୍ଟର ଦ୍ବୀପାୟନ ପଟ୍ଟନାୟକ କ୍ଷୋଭର ସହ କହିଛନ୍ତି। 

ସୂଚନାଯୋଗ୍ୟ, ଆସନ୍ତା ମାସ ୨ରୁ ୭ ତାରିଖ ମଧ୍ୟରେ ୟୁନେ‌ସ୍କୋର ପକ୍ଷରୁ ପାରାଗୋଏରେ ବିଶ୍ବ ଐତିହ୍ୟକୁ ନେଇ ଏକ ବୈଠକ ବସିବାକୁ ଯାଉଛି। ଏଥିରେ ୧୨୦ଟି ଦେଶ ଅଂଶଗ୍ରହଣ କରିବା ସହ ସେମାନଙ୍କ ଦେଶର ବିଭିନ୍ନ ବିଷୟକୁ ନେଇ ପ୍ରସ୍ତାବ ରଖିବେ। ତେବେ ୨୦୨୨ରୁ ୨୦୨୬ ମଧ୍ୟରେ ଭାରତ ୨୧ଟି ଦେଶ ସହିତ ନିଷ୍ପତ୍ତି ନେବାର କମିଟି ମଧ୍ୟରେ ରହିଛି।ଏହା ମଧ୍ୟରେ ପଶ୍ଚମବଙ୍ଗର ଦୁର୍ଗାପୂଜା ଓ ଗୁଜୁରାଟର ଗର୍‌ବା ଏହି ମାନ୍ୟତା ପାଇଛି। ଅନ୍ୟପଟେ ବାଲିଯାତ୍ରାକୁ ଏହି ମାନ୍ୟତା ମିଳିଲେ, କେନ୍ଦ୍ର ସରକାର ବାଲିଯାତ୍ରା ଆୟୋଜନର ମୁଖ୍ୟ ପୃଷ୍ଠପୋଷକ ହେବା ସହ ୟୁନେସ୍କୋ ପକ୍ଷରୁ ଯାତ୍ରା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏପରିକି ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ କଟକ ବାଲିଯାତ୍ରା ସ୍ଥାନ ପାଇବା ସହ ବିଦେଶରୁ ବହୁ ପର୍ଯ୍ୟଟକ ବାଲିଯାତ୍ରାକୁ ଆସିବାକୁ ସୁଯୋଗ ପାଇବେ। ବାଲିଯାତ୍ର ଓ ଏହାର ଇତିହାସ ଉପରେ ବିଦେଶର ଛାତ୍ରଛାତ୍ରୀ ଗବେଷଣା କରିବାକୁ ମଧ୍ୟ ବାଟ ଖୋଲିବ। ମାତ୍ର ଅଧିକାରୀଙ୍କ ଅବହେଳା ପାଇଁ ବାଲିଯାତ୍ରା ଏହି ମାନ୍ୟତାରୁ ବଞ୍ଚିତ ହେବା ସହ ବିଶ୍ବରେ ଏହାର ପ୍ରଚାର ଓ ପ୍ରସାର ଦିଗରେ ବାଧା ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe