ବିଜେପି ନେତା ହତାଶ ଓ ବିଚଳିତ ହୋଇ ବିଭ୍ରାନ୍ତିକର ମନ୍ତବ୍ୟ ଦେଉଛନ୍ତି: ବିଜେଡି

ବର୍ଷାଙ୍କ ପ୍ରତି ବିଜେପି ନେତାଙ୍କ ଅଶାଳୀନ ମନ୍ତବ୍ୟ ପ୍ରସଙ୍ଗ

ବିଜେପି ନେତା ହତାଶ ଓ ବିଚଳିତ ହୋଇ ବିଭ୍ରାନ୍ତିକର ମନ୍ତବ୍ୟ ଦେଉଛନ୍ତି: ବିଜେଡି

ଭୁବନେଶ୍ବର : ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ପ୍ରଚାର ସରିଥିଲେ ବି ପ୍ରଚାର ସମୟରେ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହାଙ୍କ ପ୍ରତି ବିଜେପି ନେତାମାନେ ଦେଇଥିବା ମନ୍ତବ୍ୟକୁ ବିଜେଡି କଡ଼ା ନିନ୍ଦା କରିଛି। ବିଜେପି ନେତ୍ରୀ ସୁଲତା ଦେଓ, ଏଲିନା ଦାସ, ଇପ୍ସିତା ସାହୁ ଶନିବାର ଦିନ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ବିଜେପି ନେତାମାନେ ପଦ୍ମପୁରରେ ନିଶ୍ଚିତ ହାରିବା ଜାଣି ହତାଶ ଓ ବିଚଳିତ ହୋଇ ବର୍ଷାଙ୍କ ବିରୋଧରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଉଛନ୍ତି।

ବିଜେଡି ପକ୍ଷରୁ କୁହାଯାଇଛି ଯେ ଧର୍ମ ଓ ପରମ୍ପରାର କଥା କହୁଥିବା ବିଜେପି ଓଡ଼ିଶାର କିଛି ନେତା ଏବେ ନାରୀଙ୍କୁ ସମ୍ମାନ ଦେବା ଦୂରେ ଥାଉ ନାରୀଙ୍କ ପ୍ରତି ଆଚରଣ ଓ ଉଚ୍ଚାରଣରେ ଶାଳୀନତାର ସବୁ ସୀମା ଟପି ଯାଇଛନ୍ତି। ବର୍ଷାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅତି ନିମ୍ନସ୍ତରର କୁତ୍ସାରଟନା କରୁଛନ୍ତି। ସଭାସମିତି ଓ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ ଦେଉଛନ୍ତି। ସାଂସଦ ଜୁଏଲ ଓରାମ, ବିଧାୟକ ଜୟନାରାୟଣ ମିଶ୍ର ଓ ପଦ୍ମପୁରରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏଥିରେ ସାମିଲ୍‌ ହୋଇଛନ୍ତି।

ସାଂସଦ ଜୁଏଲ ଓରାମ ନିଶାସକ୍ତ ଅବସ୍ଥାରେ ପୂର୍ବରୁ ଜଣେ ନାରୀନେତ୍ରୀଙ୍କୁ ଅସଦାଚରଣ କରିଥି‌ଲେ। ଏଥିପାଇଁ ପୀଡ଼ିତା ତାଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ। ତାଙ୍କ ଭଳି ଜଣେ କୁତ୍ସିତ ମାନସିକତା ସମ୍ପନ୍ନ ନେତାଙ୍କ ଠାରୁ ଆଉ ଅଧିକ କ’ଣ ଆଶା କରାଯାଇପାରେ? ସେହିପରି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଜଣେ ଅଭ୍ୟାସଗତ ଅପରାଧୀ। ସେ ତାଙ୍କ ପୁରୁଣା ଅଭ୍ୟାସ ଛାଡ଼ି ନପାରି ବର୍ଷାଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇ ପୁଣି ଥରେ ତାଙ୍କର ଘୋର ନାରୀ ବିରୋଧୀ ମାନସିକତାର ପରିଚୟ ଦେଇଛନ୍ତି। ଅନ୍ୟପକ୍ଷରେ ପରାଜୟ ଭୟରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ବର୍ଷାଙ୍କ ବ୍ୟକ୍ତିଗତ ଜୀବନକୁ ଆକ୍ଷେପ କରି ଅଶାଳୀନ ମନ୍ତବ୍ୟ ଦେଉଛନ୍ତି। ଯିଏ ନାରୀଙ୍କୁ ସମ୍ମାନ ଦେବା ଜାଣି ନାହିଁ ସେଭଳି ନେତାଙ୍କୁ ସ୍ବାଭିମାନୀ ପଦ୍ମପୁରବାସୀ କେବେବି ନିଜର ପ୍ରତିନିଧି ରୂପେ ବାଛିବେ ନାହିଁ। ପଦ୍ମପୁରବାସୀ ସେମାନଙ୍କୁ କ୍ଷମା ଦେବେ ନାହିଁ। ଆଗାମୀ ନିର୍ବାଚନରେ ଏହାର ଉଚିତ ଜବାବ୍ ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe