ETEnergyworld.com
ଭୁବନେଶ୍ବର: ଆବେଦନ ଗୋଟିଏ ଦିନ ବିଳମ୍ବ ହେବାରୁ ଗ୍ରିଡ୍କୋ ଆବେଦନ ଖାରଜ ହେବା ମାମଲାର ଶୁଣାଣି ସ୍ଥଗିତ ରହିଛି। ଗତକାଲି ଓଇଆରସିରେ ଭର୍ଚୁଆଲ୍ରେ ହେବାକୁ ଥିବା ଶୁଣାଣି କୋରମ୍ ଅଭାବରୁ ହୋଇପାରିନାହିଁ। ଏହାର ଶୁଣାଣି ପାଇଁ ଅଧ୍ୟକ୍ଷଙ୍କ ସମେତ ତିନିଜଣିଆ ଖଣ୍ଡପୀଠର ଆବଶ୍ୟକତା ରହିଛି। ଏବେ ଅଧ୍ୟକ୍ଷ ପଦ ଖାଲି ପଡ଼ିଥିବାରୁ କୋରମ୍ ହେଉ ନାହିଁ। ଏଣୁ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଏପ୍ରିଲ ୧୪ ତାରିଖରେ ହେବ ବୋଲି ଓଇଆରସି ଆଦେଶ ଦେଇଛନ୍ତି। ଏଣୁ ବେଦାନ୍ତଠାରୁ ଶସ୍ତାରେ ବିଜୁଳି ପାଇବାକୁ ଯେଉଁ ଆଶା ସଞ୍ଚାର ହୋଇଥିଲା, ତାହା ଅନ୍ତତଃ ଏପ୍ରିଲ ୧୨ତାରିଖ ପର୍ଯ୍ୟନ୍ତ ମଉଳି ଯାଇଛି। ୧୨ତାରିଖରେ ଯଦି ଗ୍ରିଡ୍କୋ ସପକ୍ଷରେ ରାୟ ଯାଏ, ତେବେ ବେଦାନ୍ତଠାରୁ ଗ୍ରିଡ୍କୋ ବିଜୁଳି କିଣିବ। କେନ୍ଦ୍ରୀୟ ସୂତ୍ରରୁ କିଣାଯାଉଥିବା ବିଜୁଳି ଦରଠାରୁ ଅପେକ୍ଷାକୃତ କମ୍ ରହିବ ବୋଲି କୁହାଯାଉଛି।
ଶସ୍ତା ବିଜୁଳି ପାଇବାକୁ ନେଇ ଗ୍ରିଡକୋ ବେଦାନ୍ତକୁ ଚିଠି ଲେଖିଥିଲା। ମାତ୍ର ସର୍ତ୍ତ ଅନୁଯାୟୀ ଗ୍ରିଡ୍କୋ ନିର୍ଦ୍ଧାରିତ ସମୟସୀମାର ଗୋଟିଏ ଦିନ ବିଳମ୍ବରେ ଆବେଦନ କରିବାରୁ ବେଦାନ୍ତ ଗ୍ରିଡକୋକୁ ବିଜୁଳି ଦେବାକୁ ମନା କରିଥିଲା। ଏଣୁ ଗ୍ରିଡକୋ ଓଇଆରସିଙ୍କ ଦ୍ବାରସ୍ଥ ହୋଇଥିଲା। ଓଇଆରସିଙ୍କ ରାୟ ବେଦାନ୍ତ ସପକ୍ଷରେ ଯାଇଥିଲା। ଓଇଆରସିଙ୍କ ଆଦେଶକୁ ଚାଲେଞ୍ଜ କରି ଗ୍ରିଡ୍କୋ ହାଇକୋର୍ଟ ଯାଇଥିଲା। ହାଇକୋର୍ଟ ମାମଲାର ବିଚାର କରି ଓଇଆରସି ନିକଟରେ ଆବେଦନ କରିବାକୁ ଆଦେଶ ଦେଇଥିଲେ। ଓଇଆରସି ୧୫ଦିନ ଭିତରେ ଶୁଣାଣି କରିବାକୁ ଆଦେଶ ହୋଇଥିଲା।
Follow Us