ଶ୍ରୀମନ୍ଦିର ଚାରିଦ୍ବାର ବନ୍ଦ ପ୍ରସଙ୍ଗ: ସେବାୟତଙ୍କ ମୁଣ୍ଡରେ ଅଠା ବୋଳି ଖସିବା ଯୋଜନା

ପୁରୀରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥକାଠ

ପୁରୀ : ଶ୍ରୀମନ୍ଦିର ଚାରିଦ୍ବାର ଦର୍ଶନ ବନ୍ଦ ପ୍ରସଙ୍ଗକୁ ଝୁଲାଇ ରଖିବାକୁ ସୁଚିନ୍ତିତ ଯୋଜନା କରାଯାଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ନଡାକି ଛତିଶାନିଯୋଗ ବୈଠକ ଡାକିବା ପଛରେ ଶ୍ରୀମନ୍ଦିର ପ୍ରଶାସନର ମନ୍ଦ ଉଦ୍ଦେଶ୍ୟ ରହିଥିବା ଧୀରେଧୀରେ ସାଧାରଣ ଲୋକ ଓ ଶ୍ରଦ୍ଧାଳୁଙ୍କ ମନରେ ଧାରଣା ବସା ବାନ୍ଧିବାରେ ଲାଗିଲାଣି। ରାଜନେତା, ସେବାୟତ, ଆଇନଜୀବୀ ଓ ବିଭିନ୍ନ ସଂଗଠନର ଚାପ ଆଗରେ ମୁଣ୍ଡ ନୁଆଁଇ ଶ୍ରୀମନ୍ଦିର ପ୍ରଶାସନ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଛତିଶାନିଯୋଗ ବୈଠକ ଡାକି ସେବାୟତଙ୍କ ମୁଣ୍ଡରେ ଅଠାବୋଳି ଖସିଯିବାକୁ ଯୋଜନା ଚଳାଇଛି। ଏହା ବିରୋଧରେ ଲୋକେ ତାତିଲେଣି। ଚାରିଦ୍ବାର ଖୋଲିବା ଦାବିରେ ଆନ୍ଦୋଳନ ନେଇ ସଜବାଜ ହେଲେଣି।

ଅପରପକ୍ଷରେ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବାକୁ ଦାବିକରୁଥିବା ସେବାୟତଙ୍କ ସ୍ବରକୁ ଚାପିଦେବା ପାଇଁ ଅନ୍ୟ ବିକଳ୍ପ ବାଟ ବି ଖୋଜିଛି ପ୍ରଶାସନ। ସେବାୟତ ଗତକାଲି ନିଜ ନିଜ ଯାତ୍ରୀ ଗୁମାସ୍ତାଙ୍କ ପାଇଁ ସ୍ବତନ୍ତ୍ର ଧାଡ଼ି ବ୍ୟବସ୍ଥା କରିବାକୁ ଦାବି ଉଠାଇଥିଲେ। ଆଉ ଏହାକୁ ଆଳ କରି ଶ୍ରୀମନ୍ଦିର ପ୍ରଶାସନ ସେବାୟତଙ୍କ ଯାତ୍ରୀ ଗୁମାସ୍ତା ଓ ଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ଧାଡ଼ି କରିବାକୁ ଜଘନ୍ୟ ଷଡ୍‌ଯନ୍ତ୍ର ଚଳାଇଥିବା ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବାକୁ ବିଭିନ୍ନ ମହଲରୁ ଚାପ ପରେ ଶ୍ରୀମନ୍ଦିର ପ୍ରଶାସନ ତରବରିଆ ଭାବେ ଗତକାଲି ଛତିଶାନିଯୋଗ ବୈଠକ ଡାକିଲା। ବୈଠକ ବସିଲା ସତ, ଚାରିଦ୍ବାର ଖୋଲିବା ଉପରେ କୌଣସି ନିଷ୍କର୍ଷ ବାହାରିଲା ନାର୍ହି। ଶ୍ରୀମନ୍ଦିର ପରିଚାଳନା କମିଟିର ୫ଜଣ ସେବାୟତ ପ୍ରତିନିଧି ଓ ଦୁଇଜଣ ବରିଷ୍ଠ ସେବାୟତଙ୍କୁ ନେଇ ଏକ ୮ଜଣିଆ କମିଟି ଗଠନ କରି ଶ୍ରୀମନ୍ଦିର ପ୍ରଶାସନ ନିଜ ଦାୟିତ୍ବ ସାରି ଦେଇଛି। କମିଟି ରିପୋର୍ଟ ଆଧାରରେ ଚାରିଦ୍ବାର ଖୋଲିବ କି ଖୋଲିବନି ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe