ଅଣଆଦିବାସୀ ପ୍ରାର୍ଥୀଙ୍କୁ କଂଗ୍ରେସ ଟିକେଟ ଅଭିଯୋଗ ପ୍ରସଙ୍ଗ: ଖଣ୍ଡନ କଲେ ଫୁଲବାଣୀର କଂଗ୍ରେସ ପ୍ରାର୍ଥୀ

ମୁଁ କୁଇ ସମ୍ପ୍ରଦାୟର

ଅଣଆଦିବାସୀ ପ୍ରାର୍ଥୀଙ୍କୁ କଂଗ୍ରେସ ଟିକେଟ ଅଭିଯୋଗ ପ୍ରସଙ୍ଗ: ଖଣ୍ଡନ କଲେ ଫୁଲବାଣୀର କଂଗ୍ରେସ ପ୍ରାର୍ଥୀ

ଫୁଲବାଣୀ: ଫୁଲବାଣୀ ଏବଂ ବାଲିଗୁଡ଼ା ବିଧାନସଭାରେ କଂଗ୍ରେସ ଅଣଆଦିବାସୀ ପ୍ରାର୍ଥୀଙ୍କୁ ଟିକେଟ ପ୍ରଦାନ କରିଥିବା ଅଭିଯୋଗରେ କୁଇ ସମାଜ ସେବା ସମିତି ଆସନ୍ତା ୧୬ ତାରିଖରେ କନ୍ଧମାଳ ବନ୍ଦ ଡାକରା ଦେଇଛି। ତେବେ କୁଇ ସମାଜ ସେବା ସମିତିର ଏଭଳି ଅଭିଯୋଗକୁ ଆଜି ଜିଲ୍ଲା କଂଗ୍ରେସ କମିଟି ଏବଂ ଫୁଲବାଣୀ ବିଧାନସଭା ଆସନରୁ ଲଢ଼ୁଥିବା କଂଗ୍ରେସ ପ୍ରାର୍ଥିନୀ ପ୍ରତିଭା କହଁର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଖଣ୍ଡନ କରିଛନ୍ତି। ଏହାସହ ମିଥ୍ୟା ଓ ବିଭ୍ରାନ୍ତିକର ଅପପ୍ରଚାରରୁ ଦୂରେଇ ରହିବାକୁ ଆହ୍ବାନ ଦେଇଛନ୍ତି। ଆଜି କନ୍ଧମାଳ ଜିଲ୍ଲା କଂଗ୍ରେସ ଭବନ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରତିଭା କହିଛନ୍ତି, ‘ମୁଁ ଜଣେ କନ୍ଧ କୁଇ ସମ୍ପ୍ରଦାୟର ଝିଅ। ମୁଁ ଅଣଆଦିବାସୀ ନୁହେଁ।

ଗତ କିଛିଦିନ ଧରି କିଛି ନିର୍ଦ୍ଦିଷ୍ଟ ସଂଗଠନ ଓ ବ୍ୟକ୍ତିବିଶେଷ ମୋ’ ବି‌ରୋଧରେ ମିଥ୍ୟା ପ୍ରଚାର କରି ଅଯଥାରେ ବଦନାମ କରୁଛନ୍ତି। ଲୋକଙ୍କ ମଧ୍ୟରେ ଭ୍ରମ ଧାରଣା ସୃଷ୍ଟି କରୁଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ମୁଁ ଆଦିବାସୀଙ୍କ ପାଇଁ ସଂରକ୍ଷିତ କଟ୍ରିଙ୍ଗିଆ ପଞ୍ଚାୟତରେ ସରପଞ୍ଚ ପଦବି ପାଇଁ ପ୍ରତିଦ୍ବନ୍ଦ୍ବିତା କରି ବିଜୟୀ ହୋଇଛି। ଏହା ହିଁ ‌‌ମୁଁ ଜଣେ ଆଦିବାସୀ ବୋଲି ପରିଚୟର ପ୍ରମାଣ’ ବୋଲି ପ୍ରତିଭା ଦୃଢ଼ ଯୁକ୍ତି ଉପସ୍ଥାପନ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଚନ୍ଦ୍ରଶେଖର ପରିଡ଼ା, ଦଳୀୟ ନେତା ଘନ କୁମାର ଶବର, ସୁଡ୍ରୁକୁମ୍ପା ସରପଞ୍ଚ ଦଶରଥ ଜାନି, ସୁଡ୍ରେଜୁ ସମିତିସଭ୍ୟ ଦମୟନ୍ତୀ ଜାନି, ଫିରିଙ୍ଗିଆ ଜନ ସଭାପତି ଭୀମସେନ କହଁର, ଘାସିରାମ କହଁର, କୁଇ ସମାଜନେତା ଭରତ କହଁର, କୁଇ ସମାଜନେତା ଭଞ୍ଜଦେବ କହଁର, ମାନଭଞ୍ଜ କହଁର, ଗଜେନ୍ଦ୍ର କହଁର, ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ହେମନ୍ତ କର, ଉପସଭାପତି ରଜତ ମହାନ୍ତି, କଂଗ୍ରେସର ମିଡିଆ ସେଲ୍‌ ଅଧ୍ୟକ୍ଷ ବସନ୍ତ ପାଢ଼ୀ ଓ ଖଜୁରୀପଡ଼ା ବ୍ଲକ୍ କଂଗ୍ରେସ ସଭାପତି ସ୍ବାଧୀନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe