Advertisment

ଉତ୍କଳ ବିଶ୍ବବିଦ୍ୟାଳୟ ନାକ୍‌ ଗ୍ରେଡ୍‌ ଖସିବା ପ୍ରସଙ୍ଗ: ପାଣିରେ ପଡ଼ିଲା ୨୦୦ କୋଟି

Advertisment
ଉତ୍କଳ ବିଶ୍ବବିଦ୍ୟାଳୟ ନାକ୍‌ ଗ୍ରେଡ୍‌ ଖସିବା ପ୍ରସଙ୍ଗ: ପାଣିରେ ପଡ଼ିଲା ୨୦୦ କୋଟି

Alumni Association - Utkal University

ଭୁବନେଶ୍ବର, (କେଶବ ପାଣି): ୨୦୧୬ରେ ଯେଉଁ ଉତ୍କଳ ବିଶ୍ବବିଦ୍ୟାଳୟ ‘ଏ+’ ଗ୍ରେଡ୍‌ ପାଇଥିଲା, ୭ ବର୍ଷ ଭିତରେ ଏମିତି କ’ଣ ଅବନତି ହେଲା ଯେ ନାକ୍‌ ପ୍ରତିନିଧି ଦଳ ଗ୍ରେଡ୍‌ ବଦଳାଇଦେଲେ? ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସମେତ ପୂର୍ବତନ କୁଳପତିମାନେ ମଧ୍ୟ ଏହି ଘଟଣାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଗତ ୭ବର୍ଷ ମଧ୍ୟରେ ବିଶ୍ବବିଦ୍ୟାଳୟ ଭିତ୍ତିଭୂମି, ଶିକ୍ଷାଦାନ, ଗବେଷଣା ଲାଗି ହାତ ଖୋଲା ଅର୍ଥ ଅଜାଡ଼ିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର। ‘ଏ+’ ଗ୍ରେଡ୍‌ ମାନ୍ୟତା ପାଇବା ପରେ ରୁସା-୨, ବିଶ୍ବବ୍ୟାଙ୍କ ପରି ସଂସ୍ଥାରୁ ବିଶ୍ବବିଦ୍ୟାଳୟକୁ ପାଖାପାଖି ୧୪୦ କୋଟି ଟଙ୍କା ମିଳିଛି। ଯେଉଁଥିରେ ଅଧ-ଡଜନ୍‌ରୁ ଅଧିକ କୋଠା ଛିଡ଼ା ହୋଇଛି। ନୂତନ ପ୍ରଶାସନିକ ଭବନ, ଇ-ଲାଇବ୍ରେରି, ଏକାଧିକ ହଷ୍ଟେଲ, ଗବେଷଣା ବିଲ୍‌ଡିଂ ବି ହୋଇଛି। ଅଧ୍ୟାପକଙ୍କ ଦକ୍ଷତା ବିକାଶ ଲାଗି ମଧ୍ୟ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ୩୦ରୁ ଅଧିକ ସ୍ମାର୍ଟ କ୍ଲାସରୁମ୍‌ ନିର୍ମାଣ ହୋଇଛି। ଏଇ ୭ ବର୍ଷ ଭିତରେ ପାଖାପାଖି ୨୦୦ କୋଟି ଟଙ୍କାର ଭିତ୍ତିଭୂମି ବିକାଶ ହୋଇଥିଲେ ମଧ୍ୟ କ’ଣ ପାଇଁ ଗ୍ରେଡ୍‌ କମିଲା, ତାହାକୁ ନେଇ ବିବାଦ ମୁଣ୍ଡ ଟେକିଛି।

୭ବର୍ଷରେ ଖର୍ଚ୍ଚ କରିଥିଲେ, ୩୭ ପଏଣ୍ଟ ହରାଇଲେ
ରୁସା-୨ ଓ ବିଶ୍ବବ୍ୟାଙ୍କରୁ ମିଳିଛି ୧୪୦କୋଟି
ରାଜ୍ୟ ସରକାର ମଧ୍ୟ ଅଜାଡ଼ି ଦେଇଛନ୍ତି ଅର୍ଥ

ଜଣେ ପୂର୍ବତନ କୁଳପତି କହିଛନ୍ତି ଯେ ନାକ୍‌ ଟିମ୍‌ କ୍ୟାମ୍ପସରେ ବଡ଼ ବଡ଼ ବିଲଡିଂ ଦେଖେ ନାହିଁ, ବରଂ ଭିତ୍ତିଭୂମି ସହ ପାଠପଢ଼ା ଓ ଗବେଷଣାକୁ ଗୁରୁତ୍ବ ଦେଇଥାଏ। ‌ଗରିବ ପିଲାଙ୍କୁ ଏଠାରେ କେଉଁ ସବୁ ସୁବିଧା ମିଳୁଛି କି ନାହିଁ। ଆଲୁମିନି କିଭଳି ରହିଛି। କ୍ରୀଡ଼ା ଭିତ୍ତିଭୂମି, ଗବେଷଣା, ଛାତ୍ର ସଂସଦ ନିର୍ବାଚନ ଆଦି ବିଷୟ ଉପରେ ଆଲୋଚନା ପର୍ଯ୍ୟାଲୋଚନା କରିଥାଏ। ଆଲୁମିନି ଦୃଷ୍ଟିରୁ ଉତ୍କଳ ବିଶ୍ବବିଦ୍ୟାଳୟ ସମୃଦ୍ଧ, ଯେଉଁଥିପାଇଁ ୨୦୧୬ରେ ‘ଏ+’ ଗ୍ରେଡ୍‌ ମିଳିଥିଲା। ଏଥର କ’ଣ ପାଇଁ ପଛରେ ପଡ଼ିଲା, ତାହା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି। ଅବଶ୍ୟ ସେତେବେଳେ ଯେଉଁ ସ୍କୋର୍‌ ପାଇଥିଲା, ତାହା ଏବେର ‘ଏ++’ ସହ ସମାନ। କାରଣ ବର୍ତ୍ତମାନର ନିୟମ ଅନୁଯାୟୀ ୩.୫୧ରୁ ୪.୦୦ ମଧ୍ୟରେ ସ୍କୋର୍‌ ରହିଲେ ‘ଏ++’ ବୋଲି ଦର୍ଶାଯାଉଛି। ୨୦୧୬ରେ ୩.୫୩ ସ୍କୋର ମିଳିଥିଲା। ହଠାତ୍‌ ଏତେ ତଳକୁ ଖସିଥିବା ଆଦୌ ଗ୍ରହଣୀୟ ନୁହେଁ। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ହାତରେ ପୁଣିଥରେ ଅପିଲ୍‌ କରିବା ଲାଗି ସୁଯୋଗ ରହିଛି। ସେମାନେ ଚାହିଲେ ଆବଶ୍ୟକ ସମସ୍ତ ତଥ୍ୟ, ପ୍ରମାଣ ସହ ଆବେଦନ କରି ନିଜର ଯୁକ୍ତି ଉପସ୍ଥାପନ କରିପାରିବେ।

publive-image representetional immage -utkaluniversity.ac.in

ବିଶ୍ବବିଦ୍ୟାଳୟ ପାଖରେ ଅର୍ଥର କୌଣସି ଅଭାବ ନାହିଁ। ଭୂ-ତତ୍ତ୍ବ ବିଭାଗର ବିକାଶ ଲାଗି ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ଓଡ଼ିଶା ମାଇନିଂ କର୍ପୋରେସନ(ଓଏମ୍‌ସି)କୁ ଆର୍ଥିକ ସହାୟତା ମଗାଯିବା ପରେ ୨୦୨୨ ମେ’ରେ ତତ୍‌କାଳୀନ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ବର୍ତ୍ତମାନ ବିଶ୍ବବିଦ୍ୟାଳୟ ପାଖରେ ୫୦୦ କୋଟିରୁ ଅଧିକ ଟଙ୍କା ପଡ଼ି ରହିଛି, ଯେଉଁଥିରେ ଭିତ୍ତିଭୂମି ଉନ୍ନତି କରାଯାଇପାରିବ।

ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଓଏମ୍‌ସି କିମ୍ବା ଅନ୍ୟ କୌଣସି ସଂସ୍ଥା ନିକଟରେ ଅର୍ଥିକ ସହାୟତା ଲାଗି ହାତ ପତାଇବା ଠିକ୍‌ ନୁହେଁ। ଉକ୍ତ ଚିଠିରୁ ହିଁ ଜଣାପଡ଼ିଥିଲା ଯେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପାଖରେ ପ୍ରଚୁର ଅର୍ଥ ରହିଛି। ତା’ସତ୍ତ୍ବେ ବି କେଉଁ କାରଣ ଲାଗି କ୍ୟାମ୍ପସରେ ସୀମିତ ପରାମର୍ଶଧର୍ମୀ କାର୍ଯ୍ୟକ୍ରମ ହେଉଛି, ସେନେଇ ପ୍ରଶ୍ନ ଉଠିଛି।

ନାକ୍‌ ପ୍ରତିନିଧି ଦଳ ବିଶ୍ବବିଦ୍ୟାଳୟ ଦୁର୍ବଳତାରେ ଦର୍ଶାଇଛନ୍ତି ଯେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିବିଧତାର ଅଭାବ ପରିଲକ୍ଷିତ ହେଉଛି। ବିଶ୍ୱବିଦ୍ୟାଳୟ ଓ ଶିଳ୍ପ ସଂଯୋଗ ବହୁ ସୀମିତ ପରିଧି ମଧ୍ୟରେ ରହିଛି। ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକ ସହ ବହୁତ କମ୍‌ ରାଜିନାମା ସ୍ବାକ୍ଷରିତ ହୋଇଛି। ଯଦି କର୍ତ୍ତୃପକ୍ଷ ଚାହିଥା’‌ନ୍ତେ, ଏହି ସମୟ ମଧ୍ୟରେ ଅଧିକ ବିଦେଶୀ ବିଶ୍ବବିଦ୍ୟାଳୟ ସହ ରାଜିନାମା କରିବା ସହ ଶିଳ୍ପ ସଂଯୋଗ ବି ବଢ଼ାଇ ପାରିଥା’ନ୍ତେ। ମାତ୍ର ନାକ୍‌ ‘ଏ+’ ଗ୍ରେଡ୍‌ ମାନ୍ୟତା ପରେ ତତ୍କାଳୀନ କୁଳପତି ସେତେଟା ଗୁରୁତ୍ବ ଦେଇ ନଥିଲେ। ‌ରୁସା-୧ ଓ ରୁସା-୨‌ରେ ବିଶ୍ବବିଦ୍ୟାଳୟକୁ ପ୍ରଚୁର ଟଙ୍କା ଆସିଥିଲା। ଭିତ୍ତିଭୂମି ବିକାଶ ଲାଗି ରାଜ୍ୟ ସରକାର ବି ଟଙ୍କା ମୁଣି ଖୋଲି ଦେଇଥିଲେ। ଯେଉଁଥିରେ ମାଳମାଳ କୋଠା ଛିଡ଼ା ହେଲା ସିନା, ମାତ୍ର କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ।

publive-image

ନାକ୍‌ ଟିମ୍‌ ଆସିବାର କିଛି ମାସ ପୂର୍ବରୁ ବର୍ତ୍ତମାନର କୁଳପତିଙ୍କ ସମୟରେ ତାହାକୁ କାର୍ଯ୍ୟକ୍ଷମ କରାଯାଇଛି। ଦୁଇରୁ ତିନି ବର୍ଷ ପିଏଚ୍‌ଡି ବନ୍ଦ ରହିଥିଲା, ଯାହାକି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିଲା। ଏମିତିକି ଲଗାତାର ୫ ବର୍ଷ ହେଲା ଛାତ୍ର ସଂସଦ ନିର୍ବାଚନ ହେଉ ନଥିବାରୁ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ପ୍ରତିନିଧି ହିଁ ନାହାନ୍ତି। ୨୦୨୨-୨୩ ଶିକ୍ଷାବର୍ଷରେ ଉତ୍କଳ ବିଶ୍ବବିଦ୍ୟାଳୟରେ କୌଣସି ନୂତନ ପାଠ୍ୟକ୍ରମ ଖୋଲି ନ ଥିବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଗତ ବିଧାନସଭା ଅଧିବେଶନ ସମୟରେ ସୂଚନା ଦେଇଥିଲେ। ବିଦେଶୀ ଛାତ୍ରଛାତ୍ରୀ ଆଦୌ ନ ଥିବା ବି କୁହାଯାଇଛି। ଯେଉଁଥିପାଇଁ ଏବେ ନାକ୍‌ରେ ଗ୍ରେଡ୍‌ ହରାଇବାକୁ ପଡ଼ିଲା ବୋଲି ଶିକ୍ଷାବିତ୍‌ମାନେ ମତପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe