ହାଇକୋର୍ଟରେ ଜେଲ୍‌ ସଂସ୍କାର ପ୍ରସଙ୍ଗ: ୪ ମୁକ୍ତାକାଶ କାରାଗାର ସମ୍ପର୍କରେ ତଥ୍ୟ ରଖିବେ ସରକାର

Advertisment

ଖୋର୍ଦ୍ଧା ମୁକ୍ତାକାଶ କାରାଗାରରେ ରହୁଛନ୍ତି କ୍ଷମତାଠୁ କମ୍ କଏଦୀ

ଖୋର୍ଦ୍ଧା ମୁକ୍ତାକାଶ କାରାଗାରରେ ରହୁଛନ୍ତି କ୍ଷମତାଠୁ କମ୍ କଏଦୀ

ହାଇକୋର୍ଟରେ ମାଞ୍ଜାସୂତା ବ୍ୟବହାର ଉପରେ କଟକଣା ନେଇ ଜନସ୍ବାର୍ଥ ମାମଲା

Sambad

କଟକ: ଆଜି ହାଇକୋର୍ଟରେ ଜେଲ୍‌ ସଂସ୍କାର ସଂପର୍କିତ ମାମଲାର ଶୁଣାଣି ହୋଇଛି। ଶୁଣାଣି ସମୟରେ ତିନି ସପ୍ତାହରେ ଥରେ ଉଚ୍ଚସ୍ତରୀୟ କମିଟି ବୈଠକ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ, ପ୍ରସ୍ତାବିତ ୪ ମୁକ୍ତାକାଶ କାରାଗାର ସମ୍ପର୍କରେ ସରକାର ତଥ୍ୟ ରଖିବେ ବୋଲି କହିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆଜି ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ଆମିକସ୍ କ୍ୟୁରୀଙ୍କ ତରଫରୁ ହାଇକୋର୍ଟଙ୍କ ୨୦୨୧, ଡିସେମ୍ବର ୨୩ ନିର୍ଦ୍ଦେଶ ପରେ ଜେଲ୍‌ ସଂସ୍କାର ପ୍ରସଙ୍ଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ଏବଂ ଏବେ ରହିଥିବା ସ୍ଥିତି ସଂପର୍କରେ ଅବଗତ କରାଯାଇଥିଲା। କେତେକ ଜେଲରେ ଏବେ ମଧ୍ୟ ନିର୍ଦ୍ଧାରିତ ସଂଖ୍ୟା ଠାରୁ ଅଧିକ ସଂଖ୍ୟକ କଏଦୀ ରହିଛନ୍ତି ବୋଲି ଆମିକସ୍ କ୍ୟୁରୀଙ୍କ ତଥ୍ୟରୁ ସ୍ପଷ୍ଟ ହୋଇଥିଲା। କେତେକ ଜେଲ୍‌ରେ ଅସ୍ଥାୟୀ ଭାବେ ନିର୍ଦ୍ଧାରିତ ସଂଖ୍ୟା ବୃଦ୍ଧି କରାଯାଇଥିବା ବେଳେ ଭଦ୍ରକ, ମାଲକାନାଗିରି, କୋରାପୁଟ, ଯାଜପୁର,ବାଲିଗୁଡା, ଜେଲ୍‌ରେ ନିର୍ଦ୍ଧାରିତ ସଂଖ୍ୟା ତୁଳନାରେ ଯଥେଷ୍ଟ ଅଧିକ ସଂଖ୍ୟକ କଏଦୀ ଥିବା ନେଇ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା। ନିର୍ଦ୍ଧାରିତ ସଂଖ୍ୟା ଠାରୁ ଅଧିକ ସଂଖ୍ୟକ ‌କଏଦୀ ଥିବା ଜେଲ୍‌ ଗୁଡିକରେ ଏପରି ସମସ୍ୟା କିଭଳି ଭାବେ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଦୂର କରାଯାଇ ପାରିବ, ତା’ ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଥିଲେ। ଉଚ୍ଚସ୍ତରୀୟ କମିଟି ନିକଟରେ ଏହି ପ୍ରସଙ୍ଗରେ ପ୍ରସ୍ତାବ ଉପସ୍ଥାପନ କରି ସମାଧାନ ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରାଯିବ ବୋଲି ହାଇକୋର୍ଟ କହିଛନ୍ତି।

ହାଇକୋର୍ଟରେ ଉପସ୍ଥାପିତ ତଥ୍ୟରୁ ଜଣାପଡ଼ିଛି, ଖୋର୍ଦ୍ଧାସ୍ଥିତ ବିଜୁପଟ୍ଟନାୟକ ମୁକ୍ତାକାଶ କାରାଗାରରେ ୧୨୫ଜଣ କଏଦୀଙ୍କୁ ରଖିବା ପାଇଁ ବ୍ୟବସ୍ଥା ଥିବାବେଳେ ଏବେ ୨୦ ଜଣ ରହିଛନ୍ତି। ମୁକ୍ତାକାଶ କାରାଗାରରେ ରହିଥିବା ବ୍ୟବସ୍ଥାର ଉପଯୋଗ କରି ଅଧିକ ସଂଖ୍ୟକ ବନ୍ଦୀଙ୍କୁ ଏଠାରେ ରଖାଯିବା ଉପରେ ହାଇକୋର୍ଟ ଆଜି ଗୁରୁତ୍ବାରୋପ କରିଛନ୍ତି। ବ୍ରହ୍ମପୁର ଓ ବାରିପଦା ସମେତ ଚାରିଟି ସ୍ଥାନରେ ନୂଆ ମୁକ୍ତାକାଶ କାରାଗାର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରହିଛି। ଏହି ପ୍ରସଂଗରେ ଅଗ୍ରଗତି ସଂକ୍ରାନ୍ତରେ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବା ପାଇଁ ଜେଲ ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି, ଜେଲ୍‌ ଶିଳ୍ପର ବିକାଶ ଉପରେ ହାଇକୋର୍ଟ ଗୁରୁତ୍ୱାରୋପ କରିଛନ୍ତି। କଏଦୀଙ୍କ କର୍ମ ଦକ୍ଷତା ବିକାଶ ପ୍ରସଂଗରେ ଗ୍ରହଣ କରାଯାଉଥିବା ପଦକ୍ଷେପ ନେଇ ଜେଲ୍‌ ବିଭାଗ ପକ୍ଷରୁ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଜେଲ୍‌ ବିଭାଗ କଏଦୀମାନଙ୍କ ଅାର୍ଥିକ ଉପାର୍ଜନ ବୃଦ୍ଧି ପାଇଁ ଜେଲ୍‌ର ବିକାଶ ନିମିତ୍ତ ଅର୍ଥ ବିଭାଗକୁ ଦୁଇ ସପ୍ତାହ ଭିତରେ ପ୍ରସ୍ତାବ ଦେବ ବୋଲି ହାଇକୋର୍ଟ କହିଛନ୍ତି। ଏହି ପ୍ରସଂଗରେ ପରବର୍ତ୍ତୀ ଶୁଣାଣି ସମୟରେ ଅର୍ଥ ବିଭାଗ ଜବାବ ରଖିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ସବୁ ପୁଲିସ ଥାନାରେ ଡ୍ୟୁଟି ଲୟର ବ୍ୟବସ୍ଥା କାର୍ଯ୍ୟକାରୀ ପାଇଁଁ ହାଇକୋର୍ଟ କହିଛନ୍ତି। ସେହିପରି ଜେଲ୍‌ ଅନ୍ତେବାସୀଙ୍କ ମାନସିକ ଓ ଶାରିରୀକ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ କ୍ଲିନିକ ନିୟମିତ ପରିଦର୍ଶନ ଓ ଅାବଶ୍ୟକ ଚିକିତ୍ସା ଯୋଗାଇବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ମେ ୧୭ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆମିକସ କ୍ୟୁରୀ ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe