ଜାତୀୟ ରାଜପଥ ପ୍ରସଙ୍ଗ ତେଜିଲା: ଏକାଠି ହେଲେ ସବୁ ଦଳ, ଅନୁଗୁଳରେ ହେବ ଅର୍ଥନୈତିକ ଅବରୋଧ

Advertisment
ଜାତୀୟ ରାଜପଥ ପ୍ରସଙ୍ଗ ତେଜିଲା: ଏକାଠି ହେଲେ ସବୁ ଦଳ, ଅନୁଗୁଳରେ ହେବ ଅର୍ଥନୈତିକ ଅବରୋଧ

ଅନୁଗୁଳ: ସହର ଦେଇ ଯ‌ାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଅବସ୍ଥା ନେଇ ଅନୁଗୁଳବାସୀଙ୍କ କ୍ଷୋଭ ଆଜି ଫୁଟି ବାହାରିଛି। ଏହି ରାଜପଥ ମରାମତି ଦାବିରେ ଅନୁଗୁଳ ସଚେତନ ନାଗରିକଙ୍କ ପକ୍ଷରୁ ଚାଲିଥିବା ଗଣଧାରଣା ସ୍ଥଳରେ ଆଜି ରାଜନେତା ଓ ବୁଦ୍ଧିଜୀବୀ ଏକାଠି ହୋଇ ରାସ୍ତାର ଅବସ୍ଥା ନେଇ ଉଦ୍‌ବେଗ ପ୍ରକାଶ କରି ଅର୍ଥନୈତିକ ଅବରୋଧ କରିବାକୁ ଖସଡ଼ା ପ୍ରସ୍ତୁତ କରିଛନ୍ତି। ଜାତୀୟ ରାଜପଥର ମରାମତି ଓ ଅନୁଗୁଳରେ ମେଡିକାଲ୍‌ କଲେଜ ପ୍ରତିଷ୍ଠା ଦାବିରେ ଅନୁଗୁଳର ସଚେତନ ନାଗରିକଙ୍କ ପକ୍ଷରୁ ଅନୁଗୁଳ ଷ୍ଟାଡିୟମ୍‌ ପାଖରେ ୧୨ ଦିନ ହେଲା ଗଣଧାରଣା ଦିଆଯାଉଛି। ଏହି ଗଣଧାରଣା ସ୍ଥଳରେ ଆଜି ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ଏକ ସାଧାରଣ ସଭା କରାଯାଇଥିଲା। ଏଥିରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସମେତ ଆଇନ୍‌ଜୀବୀ, ବ୍ୟବସାୟୀ, ସାମ୍ବାଦିକ, ଗାଁ ମୁରବୀ ଓ ସାଧାରଣ ଲୋକେ ଯୋଗ ଦେଇଥିଲେ। ରାସ୍ତାର ଅବସ୍ଥା ନେଇ ସମସ୍ତେ ସମାଲୋଚନା କରିଥିଲାବେଳେ ଏହାର ପ୍ରତିକାର ପାଇଁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ଗଣ ଧାରଣାକୁ ୧୨ ଦିନ ବିତି ଯାଇଥିଲେ ମଧ୍ୟ କୌଣସି ଲୋକ ପ୍ରତିନିଧି, ବିଭାଗୀୟ ଅଧିକାରୀ ଓ ପ୍ରାଶାସନିକ ଅଧିକାରୀ ଆଲୋଚନାକୁ ଆସିନଥିବା କାରଣରୁ ବିଭିନ୍ନ ସଂଗଠନ ତରଫରୁ ଦୃଢ଼ ନିନ୍ଦା କରାଯାଇଥିଲା। ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ତରଫରୁ ଜାତୀୟ ରାଜପଥ ଦୁରାବସ୍ଥା ବିରୋଧରେ ଆନ୍ଦୋଳନ କରିଆସିଥିଲେ ମଧ୍ୟ ତାହା ଏଯାବତ ସମ୍ପୂର୍ଣ୍ଣ ହେଇପାରିଲା ନାହିଁ। ମରାମତି ଆଳରେ ବିଭିନ୍ନ ପାଣ୍ଠିରୁ ଅର୍ଥ ବିନିଯୋଗ ହୋଇ କାମ ହୋଇଥିଲେ ମଧ୍ୟ ନିମ୍ନମାନର କାମ ପାଇଁ ଏହା ବର୍ଷେ ବି ଯାଇନି। ଏପଟେ ଏହି ରାସ୍ତାରେ ଦୈନିକ ହଜାର ହଜାର ଭାରୀଯାନ ଚଳାଚଳ କାରଣରୁ ନିତି ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଛି।

ରାଜପଥ ନେଇ ଆଜି ଉପସ୍ଥିତ ଜନତାଙ୍କଠାରୁ ମତାମତ ସଂଗ୍ରହ କରାଯାଇଛି। ସହର ମଧ୍ୟରେ ଚଳାଚଳ କରୁଥିବା ଭାରୀଯାନର ବେଗ ଉପରେ ଅଙ୍କୁଶ ଲଗାଇବା ପାଇଁ ବୁଦ୍ଧିଜୀବୀମାନେ ମତ ରଖିଥିଲେ। ସେହିପରି ବାଇପାସ୍‌ ରାସ୍ତାରେ ଅସ୍ଥାୟୀ ଭାବେ ଭାରୀଯାନ ଚଳାଚଳ ବ୍ୟବସ୍ଥା ପ୍ରସ୍ତାବ ଦିଆଯାଇଛି। ଏପଟେ ବାଇପାସ୍‌ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ନହେବା ଯାଏଁ ଜାତୀୟ ରାଜପଥ ମରାମତି କାର୍ଯ୍ୟ ନିୟମିତ ଭାବେ କରାଯିବାକୁ ଦାବି କରାଯାଇଛି। ଜିଲ୍ଲା ବଣିକ ସଂଘ, ଜିଲ୍ଲା ବସ ମାଲିକ ସଂଘ, ନାଲକୋ କର୍ମଚାରୀ ସଂଘ, ବରିଷ୍ଠ ଶିକ୍ଷାବିତ, ଅବସରପ୍ରାପ୍ତ ପ୍ରାଶାସନିକ ଅଧିକାରୀ, ଜିଲ୍ଲା ଠିକାଦାର ସଂଘ, ଗୋ ସୁରକ୍ଷା ସମିତି, ବିଭିନ୍ନ ସାହି ପୂଜା କମିଟି, ଡ୍ରାଇଭର ମହାସଂଘର ସଦସ୍ୟ, ସାମାଜିକ ସଂଗଠନର ସଦସ୍ୟମାନେ ଏହି ସଭାରେ ଯୋଗଦେଇ ଜାତୀୟ ରାଜପଥ ଅନୁଗୁଳର ସାମାଜିକ ଓ ଅର୍ଥନୈତିକ ଅବସ୍ଥାକୁ ଦୋହଲାଇ ଦେଇଥିବା କହିଥିଲେ। ସେହିପରି ଅନୁଗୁଳରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରି କାର୍ଯ୍ୟକ୍ଷମ କରା ଯାଉନଥିବାରୁ ଏହାକୁ ଦୃଢ଼ ନିନ୍ଦା କରାଯାଇଥିଲା। ଏ ଦିଗରେ ଉଭୟ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଅନୁଗୁଳରେ ଅର୍ଥନୈତିକ ଅବରୋଧ କରିବାକୁ ସଚେତନ ନାଗରିକଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହାସହ ଅନୁଗୁଳ ବନ୍ଦ ଡାକରା ଦେବା ପାଇଁ ସଚେତନ ନାଗରିକ ଚେତାବନୀ ଦେଇଛନ୍ତି। ଏପଟେ ସରକାରଙ୍କ ପାଖରେ ଅନୁଗୁଳବାସୀଙ୍କ ଉଦ୍‌ବେଗ ଜଣାଇବା ପାଇଁ ବିଜେଡି ଓ ବିଜେପିର ଜିଲ୍ଲା ସଭାପତିଙ୍କୁ ଅନୁରୋଧ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe