Law Insider India
ସମ୍ବଲପୁର: ସଂସଦରେ ପୁଣି ଉଠିଛି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ପ୍ରସଂଗ। ବରଗଡ଼ ସାଂସଦ ସୁରେଶ ପୂଜାରୀ ମଙ୍ଗଳବାର ସଂସଦରେ ପରିବାର ଅଦାଲତ (ସଂଶୋଧନ) ବିଲ୍-୨୦୨୨ ଉପରେ ଆଲୋଚନା ସମୟରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ପ୍ରସ୍ତାବ ସଂପର୍କରେ ଜାଣିବାକୁ ଚାହିଥିଲେ। ଏହାର ଉତ୍ତର ରଖି କେନ୍ଦ୍ର ଆଇନ ମନ୍ତ୍ରୀ କରଣ ରିଜିଜୁ ପ୍ରାୟତଃ ପୂର୍ବ ଭଳି ସମାନ ଉତ୍ତର ରଖିଥିଲେ। କେନ୍ଦ୍ର ଆଇନ ମନ୍ତ୍ରୀ ସ୍ପଷ୍ଟ ଭାବେ କହିଥିଲେ, ଓଡ଼ିଶା ସରକାର ହାଇକୋର୍ଟ ବେଞ୍ଚ ସଂପର୍କରେ ଏକ ପ୍ରସ୍ତାବ ଦେଇଥିଲେ। କେନ୍ଦ୍ରରୁ ମଧ୍ୟ ଏ ସଂକ୍ରାନ୍ତରେ ଚିଠି ଦିଆଯାଇଛି। ଅନେକ ଥର ଚିଠି ଦିଆନିଆ ହୋଇଛି। କିନ୍ତୁ, ଓଡ଼ିଶା ହାଇକୋର୍ଟକୁ ବି ଚିଠି ଲେଖାଯାଇଛି। ଓଡ଼ିଶା ହାଇକୋର୍ଟଠାରୁ ସ୍ଥାୟୀ ବେଞ୍ଚ ସ୍ଥାପନ ନେଇ ସମ୍ମତି ପତ୍ର ଏପର୍ଯ୍ୟନ୍ତ ଆସି ନାହିଁ। ଓଡ଼ିଶା ସରକାରଙ୍କଠାରୁ ପୂର୍ଣ୍ଣାଂଗ ପ୍ରସ୍ତାବ ଆସିନାହିଁ। ଯେ ପର୍ଯ୍ୟନ୍ତ ଓଡ଼ିଶା ହାଇକୋର୍ଟ କିମ୍ବା ଓଡ଼ିଶା ସରକାରଙ୍କଠାରୁ ଓଡ଼ିଶା ହାଇକୋର୍ଟ ରାଜି ଥିବା ନେଇ ସମ୍ମତି ପତ୍ର ନଆସିଛି, ସେପର୍ଯ୍ୟନ୍ତ ସ୍ଥାୟୀ ବେଞ୍ଚ ସ୍ଥାପନ ନେଇ ଗୃହରେ କୌଣସି ସକରାତ୍ମକ କିମ୍ବା ଚୂଡ଼ାନ୍ତ ଉତ୍ତରରେ ରଖିପାରିବା ସ୍ଥିତିରେ ସେ ନାହାନ୍ତି ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ କହିଥିଲେ।
ହାଇକୋର୍ଟର ସ୍ଥାୟୀ ସ୍ଥାପନ ସଂକ୍ରାନ୍ତରେ କେନ୍ଦ୍ରକୁ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପଠାଇବା ପାଇଁ ରାଜ୍ୟ ସରକାରଙ୍କୁ ୩୦ ଜୁନ୍ ପର୍ଯ୍ୟନ୍ତ ମହଲତ ଦେଇଥିଲା ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି। ଏହି ଅବଧି ପୂରିବା ସତ୍ତ୍ବେ ସରକାରଙ୍କ ପକ୍ଷରୁ ସକରାତ୍ମକ ପଦକ୍ଷେପ ନିଆଯାଇନଥିଲା। ଏପଟେ ମୁଖ୍ୟମନ୍ତ୍ରୀ ଓ ଓଡ଼ିଶାର ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଭେଟିବା ପାଇଁ ସମୟ ଦେବାକୁ ଅନୁରୋଧ କରାଯାଇଥିଲେ ହେଁ ଏପର୍ଯ୍ୟନ୍ତ ସମୟ ମିଳିନି। ଏଭଳି ସ୍ଥିତିରେ ପୂର୍ବ ଘୋଷଣା ଅନୁଯାୟୀ ଗତ ୮ ଜୁଲାଇରେ ପଶ୍ଚିମ ଓଡ଼ିଶାର ଓକିଲ ସଂଘଗୁଡ଼ିକ ଚେତାବନୀ ଦିବସ ପାଳନ କରିଥିଲେ। ହାଇକୋର୍ଟ ବେଞ୍ଚ ସ୍ଥାପନ ସଂକ୍ରାନ୍ତରେ ଶୀର୍ଘ ସକାରାତ୍ମକ ନିଷ୍ପତ୍ତି ନିଆନଗଲେ ଆଗାମୀ ଦିନରେ ପୁଣି କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ବୈଠକ ଡାକି ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଭାପତି ସୁରେଶ୍ବର କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଗତ ୨୦୦୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ସଂପର୍କରେ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ପତ୍ର ଦେଇଥିଲେ। ଗତ ୨୮ ସେପ୍ଟେମ୍ବର ୨୦୧୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟରେ ସ୍ଥାୟୀ ବେଞ୍ଚ ସ୍ଥାପନ ସକାଶେ ତତ୍କାଳୀନ ୟୁପିଏ ସରକାରଙ୍କୁ ଚିଠି ଲେଖିଥିଲେ। ୟୁପିଏ ସରକାର ସମୟରେ ତତ୍କାଳୀନ କେନ୍ଦ୍ର ଆଇନ ମନ୍ତ୍ରୀ ପୁଣି ଓଡ଼ିଶା ସରକାରଙ୍କୁ ପତ୍ର ଲେଖି ହାଇକୋର୍ଟର ସ୍ଥାପନ ପାଇଁ ଭିତ୍ତିଭୂମି ସଂପର୍କରେ ବିସ୍ତୃତ ତଥ୍ୟ ମାଗିଥିଲେ। ଇତିମଧ୍ୟରେ ଏଭଳି ଅନେକ ଥର କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଚିଠି ଦିଆନିଆ ହୋଇଛି। ଗତ ୨୦ ଏପ୍ରିଲରେ ପୁଣି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଆବଶ୍ୟକ ପରାମର୍ଶ ସହିତ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ଭିତ୍ତିଭୂମି, ଜଜ୍ ଓ କର୍ମଚାରୀମାନଙ୍କ ରହଣି ବ୍ୟବସ୍ଥା ଆଦି ସଂକ୍ରାନ୍ତରେ ବିସ୍ତୃତ ଭାବେ ଜଣାଇବାକୁ କହିଥିଲେ।
Follow Us