ସମ୍ବାଦ ପ୍ରଭାବ: ଆନ୍ଧ୍ର ଚାଷୀଙ୍କ କବ୍‌ଜାରେ ଆଦିବାସୀଙ୍କ ଜମି ପ୍ରସଙ୍ଗ, ରାଜସ୍ବ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ

Advertisment
ସମ୍ବାଦ ପ୍ରଭାବ: ଆନ୍ଧ୍ର ଚାଷୀଙ୍କ କବ୍‌ଜାରେ ଆଦିବାସୀଙ୍କ ଜମି ପ୍ରସଙ୍ଗ, ରାଜସ୍ବ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ

ଲାଞ୍ଜିଗଡ଼: କଳହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ ବାତେଲିମା ପଞ୍ଚାୟତର ବୁରିଙ୍ଗପଦର ଗାଁରେ ଜଣେ ଆନ୍ଧ୍ର ଚାଷୀ ତଥା ଆନ୍ଧ୍ର ଜମି ମାଫିଆ ଆଦିବାସୀଙ୍କ ଜମି ହଡ଼ପ କରିଥିବା ଅଭିଯୋଗ ସାମ୍ନାକୁ ଆସିଥିଲା। ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ସରପଞ୍ଚ କରୁଣା ମାଝୀ ପ୍ରମୁଖ ଜବରଦଖଲ ଜମି ଅଞ୍ଚଳକୁ ଯାଇ ତଦନ୍ତ କରିଥିଲେ। ଗତ ୧୫ ତାରିଖ ଏହି ଖବର ‘ସମ୍ବାଦ’ ରେ ପ୍ରକାଶ ପାଇଥିଲା। ଏହା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଆଜି ଲାଞ୍ଜିଗଡ଼ ତହସିଲଦାର ମୁନିନ୍ଦ୍ର ହୋନ୍ନାଙ୍ଗାଙ୍କ ନିର୍ଦ୍ଦେଶକ୍ରମେ ନଙ୍ଗଲବେଡ଼ା ଆର୍‌ଆଇ ସରୋଜ ସାହୁ ବୁରିଙ୍ଗପଦର ଗାଁକୁ ଯାଇ ଗାଁର ଆଧିବାସୀଙ୍କ ସହ ଆଲୋଚନା କରିଛନ୍ତି। ଜବରଦଖଲ ଅଞ୍ଚଳ ବୁରିଙ୍ଗପଦର ଜମି ଖାତା ନଂ ୬୧/୬୨ର ତଦନ୍ତ ଆରମ୍ଭ କରିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ ଆନ୍ଧ୍ରର ବଡ଼ ବଡ଼ ଚାଷୀ, ବେପାରୀମାନେ ଓଡ଼ିଶାର ଲକ୍ଷ ଲକ୍ଷ ଏକର ଜମି ନିଜ କବ୍‌ଜାକୁ ନେଇ ସାରିଲେଣି। ବିଶେଷ କରି ଗ୍ରାମାଞ୍ଚଳରେ ଥିବା ଅବ୍ୟବହୃତ ଜମିକୁ ସେମାନେ ଅତି କମ୍ ଦରରେ କିଣି ନେଉଥିବା ବେଳେ ସ୍ଥାନୀୟ ଦଲାଲଙ୍କୁ ହାତ କରି ଅତି ସୁବିଧାରେ ରେଜିଷ୍ଟ୍ରେସନ ଓ ମ୍ୟୁଟେସନ୍ କରାଇ ନେଉଛନ୍ତି। ଏହିପରି ଭାବେ କଳାହାଣ୍ଡି ଜିଲ୍ଲାର ହଜାର ହଜାର ଏକର ଜମିର ମାଲିକାନା ଏବେ ଆନ୍ଧ୍ର ବାସିନ୍ଦାଙ୍କ ହାତକୁ ଚାଲିଗଲାଣି। ଏହିପରି ଭାବେ ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ଆନ୍ଧ୍ର ବେପାରୀ ଜମି କିଣି ସାରିଥିବା ବେଳେ ଲାଞ୍ଜିଗଡ଼ ବ୍ଲକ୍‌ ବାତେଲିମା ପଞ୍ଚାୟତ  ଅଧୀନରେ ଥିବା ବୁରିଙ୍ଗପଦର ଗାଁରେ ଜଣେ ଆନ୍ଧ୍ର ଜମି ମାଫିଆ ଆଧିବାସୀଙ୍କ ଜମି ହଡ଼ପ୍‌ କରିଥିବା ଅଭିଯୋଗ ସାମ୍ନାକୁ ଆସିଥିଲା। ଗାଁର ୩ ଜଣ ଆଦିବାସୀ ଡୁସା ମାଝୀ, ପୂର୍ଣ୍ଣ ମାଝୀ ଓ ଗଦନ ମାଝୀଙ୍କ  ୪ ଏକର ଜମି ସମେତ ଗାଁର ୧୦୦ ଏକର ସରକାରୀ ଜମି ଜଣେ ଆନ୍ଧ୍ର ଜମି ମାଫିଆ ନିଜ କବ୍‌ଜାରେ କରିଥିବା ଏହି ବ୍ୟକ୍ତିମାନେ ସରପଞ୍ଚ କରୁଣା ମାଝୀ ନିକଟରେ ଅଭିଯୋଗ କରିଥିଲେ।

ଜମି ମାଫିଆ ଆଜିକୁ ୫ ବର୍ଷ ତଳେ କିଛି ଆଦିବାସୀଙ୍କୁ ପଇସାର ଲୋଭ ଦେଖାଇ ସେମାନଙ୍କ ଠାରୁ ୧୨ ଏକରରୁ ଊର୍ଦ୍ଧ୍ବ ଜମି କିଣିଥିବା ଗାଁଲୋକେ ପ୍ରକାଶ କରିଥିଲେ। ସେହି ଜମିରେ ଗତ ସପ୍ତାହ ତଳେ ଜେସିବି ଓ ଟ୍ରାକ୍ଟର ଲଗାଇ ଜମି ସମତୁଳ କରିଥିବା ବେଳେ ଏହି ତିନି ଜଣ ଚାଷୀଙ୍କ ମଧ୍ୟ ୪ ଏକର ପଟ୍ଟା ଜମିକୁ ଦଖଲ କରି ଗ୍ରାମରେ ଥିବା ଜଙ୍ଗଲ ଜମି ଓ ସରକାରୀ ଜମି ପ୍ରାୟ ୧୦୦ ଏକର ନିଜ ଦେଖଲକୁ ନେଇଥିବା ଲୋକେ ସ୍ଥାନୀୟ ସରପଞ୍ଚ ନିକଟରେ ଅଭିଯୋଗ କରିଥିଲେ। ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ ରଖି ଲାଞ୍ଜିଗଡ଼ ବ୍ଲକ୍‌ ଅଧ୍ୟକ୍ଷା କମଳା ପାତ୍ର, ବତେଲିମା ସରପଞ୍ଚ କରୁଣା ମାଝୀ, ବିଧାୟକ ପ୍ରତିନିଧି ପ୍ରଦୀପ ଘଡ଼େଇ, ଜିଲ୍ଲା ପରିଷଦ ସଭ୍ୟ ପରୀକ୍ଷିତ ନାଏକ, ବ୍ଳକ ଉପାଧ୍ୟକ୍ଷ ସଞ୍ଜୀବ ନାଏକ, ବତେଲିମା ସମିତିସଭ୍ୟ ଗୋବିନ୍ଦ ନାଏକ, ବିଜେଡି ବ୍ଳକ ସଭାପତି ଗୋବିନ୍ଦ ପ୍ରଧାନୀ ପ୍ରମୁଖ ବୁରିଙ୍ଗପଦର ଗାଁକୁ ଯାଇ ଲୋକଙ୍କ ସହ ଆଲୋଚନା କରିବା ପରେ ଦଖଲ କରିଥିବା ଅଞ୍ଚଳକୁ ଯାଇ ବୁଲି ଦେଖିଥିଲେ। ଏହାର ତଦନ୍ତ ପରେ ଏହାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧ୍ୟକ୍ଷା ଶ୍ରୀମତୀ ପାତ୍ର ପ୍ରକାଶ କରିଥିଲେ। ତେବେ ଘଟଣା ସମ୍ପର୍କରେ ଆର୍‌ଆଇ ସରୋଜ ସାହୁଙ୍କୁ ପଚାରିବାରୁ ଆଜି ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ଜମିକୁ ଆଦିବାସୀଙ୍କ ଉପସ୍ଥିତିରେ ମପା ଯାଇଥିଲା। ଜମିର ପରିମାଣ ଅଧିକ ଯୋଗୁଁ ଆଉ ଦୁଇ ଦିନ ଲାଗିବ। ଜମିକୁ ସମ୍ପୂର୍ଣ୍ଣ ଭାବେ ମାପିବା ପରେ କାହାର କେତେ ଅଛି ସଠିକ୍‌ ଭାବେ ଜଣାପଡ଼ିବ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe