ଜୀରା ନଦୀ ଅତିଶୟ ପ୍ରଦୂଷିତ: ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ପରେ ଚେଇଁଲେ

ବରଗଡ଼ର ଜୀରା ନଦୀ ଅତିଶୟ ପ୍ରଦୂଷିତ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ମୁତାବକ ଏହାର ପାଣି ଆଉ ବ୍ୟବହାର ଉପଯୋଗୀ ରହିନାହିଁ। ଖୋଦ୍‌ ପୌରପାଳିକା ଏଠାରେ କୁଢ଼କୁଢ଼ ଅଳିଆ ଆବର୍ଜନା ପକାଉଥିବା ବେଳେ ସହରର ନାଳନର୍ଦ୍ଦମା ପାଣି ସିଧାସଳଖ ନଦୀ ଭିତରକୁ ଯାଉଛି।

ddhghddgh

ବରଗଡ଼: ବରଗଡ଼ର ଜୀରା ନଦୀ ଅତିଶୟ ପ୍ରଦୂଷିତ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ମୁତାବକ ଏହାର ପାଣି ଆଉ ବ୍ୟବହାର ଉପଯୋଗୀ ରହିନାହିଁ। ଖୋଦ୍‌ ପୌରପାଳିକା ଏଠାରେ କୁଢ଼କୁଢ଼ ଅଳିଆ ଆବର୍ଜନା ପକାଉଥିବା ବେଳେ ସହରର ନାଳନର୍ଦ୍ଦମା ପାଣି ସିଧାସଳଖ ନଦୀ ଭିତରକୁ ଯାଉଛି। ଗତମାସରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପାଣିର ନମୁନା ପରୀକ୍ଷା କରି ପୌରପାଳିକାକୁ ରିପୋର୍ଟ ଦେଇଥିଲା। ରିପୋର୍ଟରେ ସ୍ପଷ୍ଟ ଭାବରେ ଜଣାପଡୁଛି ଯେ ଜୀରା ଜଳ ଗାଧୋଇବା ପାଇଁ ମଧ୍ୟ ଉପଯୁକ୍ତ ନୁହେଁ। କିନ୍ତୁ ପୌରପାଳିକା ଏଯାଏଁ ଚୁପ୍‌ ବସିଥିଲା। ଏସବୁ ଭିତରେ ଜୀରାନଦୀ ପଠାରୁ କାହିଁ କେତେ ବର୍ଷ ହେଲା ବାଲି ଚୋରି ହେଉଛି। ନଦୀ ଜମିକୁ ବି ଲୋକେ ଛାଡ଼ିନାହାନ୍ତି। ସରକାରୀ ବିଭାଗ ରାସ୍ତା ନିର୍ମାଣ କରିବାକୁ ମାଡ଼ି ବସିଥିବା ବେଳେ ଲୋକମାନେ ମଧ୍ୟ ତଞ୍ଚକତା କରି ନଦୀ ଜମିକୁ ମାଡ଼ି ବସିଥିବା ଅଭିଯୋଗ ଉଠିଛି। ପ୍ରଦୂଷଣର ବିଷବଳୟରୁ ଜୀରା ନଦୀକୁ ବଞ୍ଚାଇବା ଲାଗି ବର୍ତ୍ତମାନ ‘ମହାନଦୀ ବଞ୍ଚାଅ ଆନ୍ଦୋଳନ’ର କର୍ମକର୍ତ୍ତା ଆଗକୁ ଆସିଥିବା ବେଳେ ବରଗଡ଼ର ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ଏଥିରେ ସାମିଲ ହୋଇଛି। 

ଆରମ୍ଭ ହେଲା ଜୀରା ବଞ୍ଚାଅ ଆନ୍ଦୋଳନ
ସ୍ଥିତି ପରଖିଲେ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ

ଉଭୟ ସଙ୍ଗଠନର ମିଳିତ ସହଭାଗିତାରେ ଆଜିଠୁ ‘ଜୀରାନଦୀ ବଞ୍ଚାଅ ଆନ୍ଦୋଳନ’ ଆରମ୍ଭ ହୋଇଛି। ନଦୀ ଭିତରେ ପାଣି ଆଞ୍ଜୁଳା ଧରି କର୍ମକର୍ତ୍ତାମାନେ ଜୀରା ବଞ୍ଚାଇବାକୁ ଶପଥପାଠ କରିଛନ୍ତି। ଏହାସହ ଜୀରା ସୁରକ୍ଷା ପାଇଁ ଅଭିଯାନ ଜାରି ରହିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଜୀରାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇବା ପରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଉପଜିଲ୍ଲାପାଳ ପ୍ରସନ୍ନ ପାଣ୍ଡେ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅରୁଣ ପାଣ୍ଡେ, ପୌର ଅଧିକାରୀ ଦେବାନନ୍ଦ ସାହୁ ଆଜି ଗ୍ରାଉଣ୍ଡଜିରୋକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ନଦୀକୁ କିଭଳି ନର୍ଦ୍ଦମା ପାଣି ନ ଯିବ ଏବଂ ସବୁ ଡ୍ରେନ୍‌ ପାଣି ଗୋଟିଏ ଜାଗାକୁ ଯାଇ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ଜରିଆରେ ବିଶୋଧିତ ହୋଇ ନଦୀକୁ ଯିବାର ବ୍ୟବସ୍ଥା କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, କିଛି ମାସ ତଳେ ରିଂରୋଡ୍‌ ନିର୍ମାଣ ପାଇଁ ଜୀରାନଦୀ କଡ଼ରେ ଜମି ଦରକାର ପଡ଼ିଥିଲା। ଜଳସେଚନ ବିଭାଗର କେନାଲ୍‌ ଡିଭିଜନ୍‌ ଏବଂ ରାଜସ୍ୱ ବିଭାଗ ମିଳିତ ଭାବେ ଏଥିପାଇଁ ସର୍ଭେ କରିଥିଲେ। ତେବେ ଜୀରାନଦୀର ଜମି କେତେ ରହିଛି, ସେ ସଂପର୍କ‌ରେ କୌଣସି ତଥ୍ୟ ମିଳି ପାରି ନଥିଲା। ଫାଇଲ ହିଁ ଗାଏବ ହୋଇ ଯାଇଥିବା ଚର୍ଚ୍ଚା ହୋଇଥିଲା। ଯାହାର ଫାଇଦା ନେଇ କେତେକ ଲୋକ ନଦୀ ଜାଗାରେ ବାଡ଼ ବୁଜି ନିଜର ବୋଲି ଦାବି କରିଥିଲେ। ଏସବୁ ଭିତରେ ରିଂରୋଡ୍‌ ଜାଗା ଚିହ୍ନଟ ହୋଇ କାମ କିଛିଟା ଆରମ୍ଭ କରାଯାଇଥିଲା। ତେବେ ସର୍ଭେ ସମୟରେ ନଦୀ ଜମି ହଡ଼ପ କରାଯାଇଥିବା ନେଇ ଅଧିକାରୀମାନେ ଜାଣିବାକୁ ପାଇଥିଲେ ମଧ୍ୟ ଏ ବାବଦରେ କୌଣସି ପଦକ୍ଷେପ ନିଆଯାଇନାହିଁ। ପୂର୍ବବତ୍‌ ନଦୀରେ ମଇଳା ଆବର୍ଜନା ଫିଙ୍ଗିବା କାମ ଜାରି ରହିଛି। ଚାଲିଛି। ନର୍ଦ୍ଦମା ପାଣି ମଧ୍ୟ ପଶୁଛି। ପୂର୍ବରୁ ଅନେକଥର ପ୍ରଶାସନିକ ଅଧିକାରୀଙ୍କ ନଜରକୁ ଲୋକମାନେ ଆଣିଥିଲେ ମଧ୍ୟ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି। ତେବେ ଏଥର ନିଜେ ଜିଲ୍ଲାପାଳ ଯାଇ ସବୁ ଦେଖିଛନ୍ତି। ଏଭଳି ସ୍ଥିତିରେ ପ୍ରଶାସନ ଜୀରାନଦୀର ସୁରକ୍ଷା ପାଇଁ ଆଗକୁ କଣ ପଦକ୍ଷେପ ନେବ, ତା’ ଉପରେ ସମସ୍ତଙ୍କର ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe