ଭଗବାନ ଦାସ
ବାହାନଗା: ସମୁଦ୍ର ଉପକୂଳ ଅଞ୍ଚଳକୁ ସୁରକ୍ଷା ଦେବାପାଇଁ ବନ ବିଭାଗ ପକ୍ଷରୁ ଝାଉଁ ଜଙ୍ଗଲ ସୃଷ୍ଟି କରାଯାଇଛି। ବିଭିନ୍ନ ସମୟରେ ନୂଆ ଚାରାରୋପଣ ବି ହେଉଛି। ହେଲେ ରକ୍ଷଣାବେକ୍ଷଣ ଏବଂ ତଦାରଖ ଅଭାବରୁ ଜଙ୍ଗଲ ଏବେ ମରୁଭୂମିରେ ପରିଣତ ହେବାକୁ ବସିଛି। ଯାହାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏପରି ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବାହାନଗା ଓ ରେମୁଣା ବ୍ଲକ୍ ଅଞ୍ଚଳରେ। ରେମୁଣା ବ୍ଲକ୍ ଅଧୀନ ତାଳପଦାରୁ ବାହାନଗା ବ୍ଲକ୍ ଅଧୀନ ବରଜଦେଉଳି ଯାଏ; ମୋଟ ୮ କିଲୋମିଟର ରହିଛି ସମୁଦ୍ର ଉପକୂଳ ଅଞ୍ଚଳ। ଏହି ଅଞ୍ଚଳ ୪ଟି ପଞ୍ଚାୟତ, ଯଥା; ରେମୁଣା ବ୍ଲକ୍ ଅଧୀନ ତାଳପଦା ଏବଂ ବାହାନଗା ବ୍ଲକ୍ ଅଧୀନ ବରିପଦା, ଆରୁହାବାଡ଼ ଓ ଖରାସାହାପୁର ଅଧୀନରେ ରହିଛି। ଯେଉଁ ପଞ୍ଚାୟତଗୁଡ଼ିକର ମୋଟ ୧୦ଟିରୁ ଅଧିକ ଗାଁ ପ୍ରତି ସାମୁଦ୍ରିକ ବିପଦ ଦେଖାଦେଇଛି। ଜୁଆର ସମୟରେ ଅଧିକାଂଶ ଗାଁ ଯାଏ ସମୁଦ୍ର ପାଣି ମାଡ଼ିଯାଏ। ବିପଦକୁ ପ୍ରତିହତ କରିବା ପାଇଁ ପ୍ରାୟ ୪୦ ବର୍ଷ ତଳେ ସଂପୃକ୍ତ ୮ କିଲୋମିଟର ଅଞ୍ଚଳରେ ଝାଉଁ ଜଙ୍ଗଲ ସୃଷ୍ଟି କରାଯାଇଥିଲା। ହେଲେ ସମୟକ୍ରମେ ଜୁଆର ମାଡ଼ ଓ ବାତ୍ୟା ଯୋଗୁଁ ଅନେକ ଗଛ ଧରାଶାୟୀ ହୋଇଗଲା। ଜଙ୍ଗଲ ଲୋପ ପାଇବାକୁ ବସିଲା। ଫଳରେ ଅଞ୍ଚଳବାସୀ ବିପଦ ଆଶଙ୍କା କରି ଭୟଭୀତ ହୋଇପଡ଼ିଲେ।
ସେମାନେ ବାରମ୍ବାର ବନ ବିଭାଗ ପାଖରେ ସମସ୍ୟାର ସମାଧାନ ପାଇଁ ଗୁହାରି କଲେ। ତେବେ ୨୦୧୩ ମସିହାରେ ଚାନ୍ଦିପୁର ବନଖଣ୍ଡ କାର୍ଯ୍ୟ କରିବା ପରେ ନୂତନ ଝାଉଁ ଜଙ୍ଗଲ ସୃଷ୍ଟି କରିବା ପାଇଁ ପଦକ୍ଷେପ ନିଆଗଲା। ବିଭିନ୍ନ ସମୟରେ ବିଭାଗ ପକ୍ଷରୁ ଉକ୍ତ ଅଞ୍ଚଳରେ ୧୨,୫୦୦ରୁ ଅଧିକ ଝାଉଁ ଚାରା ରୋପଣ କରାଗଲା। କିନ୍ତୁ ବିଡ଼ମ୍ବନାର ବିଷୟ; ସ୍ଥାନୀୟ ଲୋକଙ୍କୁ ନେଇ ଗଠନ କରାଯାଇଥିବା ଝାଉଁ ଜଙ୍ଗଲ ସୁରକ୍ଷା କମିଟିଗୁଡ଼ିକ ନିଷ୍କ୍ରିୟ ହୋଇଯିବା ଏବଂ ବନ ବିଭାଗ ତଦାରଖ ନକରିବା ଯୋଗୁଁ ଅଧିକାଂଶ ଚାରା ମରିଯାଇଛି। ସେହିପରି ପୂର୍ବରୁ ଯେଉଁସବୁ ବଡ଼ ବଡ଼ ଗଛ ଥିଲା, ସେଗୁଡ଼ିକୁ ମଧ୍ୟ ମାଫିଆମାନେ କାଟି ନେଉଛନ୍ତି। ଫଳରେ ଝାଉଁ ଜଙ୍ଗଲ ଏବେ ଏକ ପ୍ରକାର ମରୁଭୂମିରେ ରୂପାନ୍ତରିତ ହେବାରେ ଲାଗିଛି। ଏପରି ସମୟରେ ସମୁଦ୍ର ଦିନକୁ ଦିନ କୂଳ ଖାଉଛି ଏବଂ ସ୍ଥଳଭାଗ ଆଡ଼କୁ ମାଡ଼ିଆସୁଛି। ଲୋକଙ୍କ ଆଗରେ ପୂର୍ବରୁ ଯେଉଁ ସମସ୍ୟା ଥିଲା, ଏବେ ବି ସେଇ ସମସ୍ୟା ଛିଡ଼ା ହୋଇଛି। ଦେଖିବାକୁ ଗଲେ, ସମସ୍ୟା ଆହୁରି ଅଧିକ ଜଟିଳ ହୋଇପଡ଼ିଛି। ତେଣୁ ବନ ବିଭାଗ ଏନେଇ ଗୁରୁତ୍ବ ଦେବା ସହ ସଂପୃକ୍ତ ଅଞ୍ଚଳରେ ତୁରନ୍ତ ଅଧିକରୁ ଅଧିକ ଝାଉଁ ଗଛ ଲଗାଇବା ସହ ଜଙ୍ଗଲ ସୃଷ୍ଟି ଦିଗରେ ଗୁରୁତ୍ବ ଦେବାର ଆବ୍ୟକତା ରହିଛି ବୋଲି ବରିପଦାର ରମାକାନ୍ତ ଦାଶ, ଆରୁହାବାଡ଼ର କାଳନ୍ଦ୍ରୀ ମହାପାତ୍ର ଓ ବରଜଦେଉଳିର ଅନାଦି ବେହେରା କହିଛନ୍ତି।
ଏନେଇ ଚାନ୍ଦିପୁର ବନଖଣ୍ଡ ଅଧିକାରୀ ଗଣେଶ ଚନ୍ଦ୍ର ଲେଙ୍କାଙ୍କ ପ୍ରିତିକ୍ରିୟା ନିଆଯାଇଥିଲା। ସେ ଲଗାଯାଉଥିବା​ ଝାଉଁ ଚାରା ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ମରୁଥିବା କଥାକୁ ସ୍ବୀକାର କରିଥିବା ବେଳେ ମାଫିଆମାନେ ଗଛ କାଟି ନେଇଯାଉଥିବା କଥା ଜାଣିନାହାନ୍ତି ବୋଲି କହିଛନ୍ତି। ତେବେ ସମସ୍ୟାର କିପରି ଶୀଘ୍ର ତଥା ଦୀର୍ଘକାଳୀନ ସମାଧାନ ହୋଇପାରିବ, ସେନେଇ ଶ୍ରୀ ଲେଙ୍କା ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଅବଗତ କରିବେ ବୋଲି ‘ସମ୍ବାଦକୁ ସୂଚନା ଦେଇଛନ୍ତି।
Follow Us