ଆରପାରିରେ ଥାଟରାଜା ରଣାର୍ଣ୍ଣବ ଦେବ: ଅଶୌଚ ହେବେ ନାହିଁ ଗଜପତି ମହାରାଜ

ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଭାଇ ଥାଟରାଜା ରଣାର୍ଣ୍ଣବ ଦେବଙ୍କର ହୃଦ୍‌ଘାତରେ ପରଲୋକ ହୋଇଛି। ରବିବାର ବିଳମ୍ବିତ ରାତି ୧୨ଟା ୬ ମିନିଟ୍‌ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।

sssdsdd

ପୁରୀ: ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଭାଇ ଥାଟରାଜା ରଣାର୍ଣ୍ଣବ ଦେବଙ୍କର ହୃଦ୍‌ଘାତରେ ପରଲୋକ ହୋଇଛି। ରବିବାର ବିଳମ୍ବିତ ରାତି ୧୨ଟା ୬ ମିନିଟ୍‌ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ଗଜପତି ମହାରାଜ ବୀରକିଶୋର ଦେବଙ୍କ ଦୁଇ ପୁଅ ମଧ୍ୟରୁ ସାନ ଥିଲେ ରଣାର୍ଣ୍ଣବ। ୧୯୫୭ ମସିହାରେ ସେ ଜନ୍ମଲାଭ କରିଥିଲେ। ତାଙ୍କର ଶ୍ରୀମନ୍ଦିରରେ କୌଣସି ନୀତିକାନ୍ତି ନଥିଲା। କିନ୍ତୁ ସୁନିଆ ଓ ସ୍ନାନପୂର୍ଣ୍ଣିମାରେ ଛେରା ପହଁରା ବେଳେ ଗଜପତି ମହାରାଜଙ୍କ ସହ ସାମିଲ ହେଉଥିଲେ। ଆଜି ହସ୍ପିଟାଲରେ ମୃତ୍ୟୁ ପରେ ତାଙ୍କ ମର ଶରୀରକୁ ଶ୍ରୀନଅରକୁ ଅଣାଯାଇଥିଲା। ରଣାର୍ଣ୍ଣବଙ୍କ ମର ଶରୀର ନିକଟରେ ଥାଟରାଣୀ ସାହେବା ସୋମା ଦେବୀ ଓ ପୁତ୍ର ଦେବରାଜ ଦେବ ଓ ଅନ୍ୟ ପରିବାରବର୍ଗ ଉପସ୍ଥିତ ଥିଲେ।

ତାଙ୍କ ପାଇଁ ଶ୍ରୀମନ୍ଦିର ରୋଷଘରୁ ବୈଷ୍ଣବାଗ୍ନି ତଥା ଚମ୍ପା ଆସି ଅନ୍ତ୍ୟେଷ୍ଟିକ୍ରିୟା ସମାପନ ହୋଇଥିଲା। ଷୋଳ କରଣଙ୍କ ସହାୟତାରେ ଥାଟରାଜାଙ୍କୁ ସ୍ବର୍ଗଦ୍ବାର ନିଆଯାଇଥିଲା। ତଢ଼ଉକରଣ ସେବକ ସୁଧାଂଶୁ ପଟ୍ଟନାୟକଙ୍କ କହିବା ମୁତାବକ, ଥାଟରାଜା ସ୍ବର୍ଗବାସ କରିଥିଲେ ହେଁ ଗଜପତି ମହାରାଜ ଅଶୌଚ ହେବେ ନାହିଁ। ତେଣୁ ଗଜପତିଙ୍କର ରଥଯାତ୍ରାରେ କୌଣସି ନୀତିକାନ୍ତି ବାଧାପ୍ରାପ୍ତ ହେବ ନାହିଁ। ଥାଟରାଜାଙ୍କ ସମ୍ପର୍କୀୟ ଭାଇ ଅନଙ୍ଗ ଭାସ୍କର ଦେବଙ୍କ ସୂଚନା ମୁତାବକ, ରଣାର୍ଣ୍ଣବ ଦେବ ବହୁତ ମେଳାପୀ ବ୍ୟକ୍ତି ଥିଲେ। ସେ ୧୯୯୮ ମସିହା ଖୋର୍ଦ୍ଧା ବିଧାନସଭା ଉପନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ଶ୍ରୀଚନ୍ଦନଙ୍କଠାରୁ ପରାସ୍ତ ହୋଇଥିଲେ। ରଣାର୍ଣ୍ଣବଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,  କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୋକପ୍ରକାଶ ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe