Bhubaneswar Buzz
ବରଗଡ଼: ସୋହେଲା ବ୍ଲକ୍ ଅନ୍ତର୍ଗତ କୁଚିପାଲିର ପ୍ରସିଦ୍ଧ କାଳୀପୂଜା ଉପଲକ୍ଷେ ଜୁଗାର ଯାତ୍ରା ଆରମ୍ଭ ହୋଇଛି। ଏହି ଉପଲକ୍ଷେ ସୋମବାର ମାନସିକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। କୁଚିପାଲି ତଥା ଆଖପାଖ ଅଂଚଳର ଶତାଧିକ ଝିଅ, ବୋହୂ ମାନସିକ ରଖି ଶକ୍ତିପୀଠ ବାଟତେର୍ମା ନାଳାରୁ ଜଳପୂର୍ଣ୍ଣ କଳସ ଆଣି ମାଉଳି ମନ୍ଦିରଠାରେ ପହଂଚି ଥିଲେ। ସେଠାରେ ପଣ୍ତିତ ଗୌରୀଶଙ୍କର ଦେବତାଙ୍କ ପୈାରହିତ୍ୟରେ ପୂଜାର୍ଚ୍ଚନା ହୋଇଥିଲା। କାର୍ତ୍ତିକ ମେହେର ଏବଂ ଆନନ୍ଦିନୀ ମେହେର ସପତ୍ନୀକ କର୍ତ୍ତା ଦାୟିତ୍ବ ତୁଲାଇଥିଲେ।
ପରେ ଘଂଟବାଦ୍ୟ, ଦୁଲଦୁଲି ବାଜା ତାଳେ ତାଳେ ଏକ ବିରାଟ ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା। ପାରମ୍ପରିକ ରୀତିନୀତି ଅନୁସାରେ କୁଚିପାଲି ଗାଁର ପ୍ରମୋଦ ବେହେରା, ରଂଜନ ବେହେରା, ରମେଶ ବେହେରା, ପ୍ରେମାନନ୍ଦ ବେହେରା, ଚିତ୍ତରଂଜନ ଚୌହାନ, କୃଷ୍ଣଚନ୍ଦ୍ର ପଣ୍ତାଙ୍କ ଘରୁ ବାହାରିଥିବା ପାଟଖଣ୍ତା ଶୋଭାଯାତ୍ରାରେ ସାମିଲ ହୋଇଥିଲା। ଉକ୍ତ ଶୋଭାଯାତ୍ରାକୁ ବାଟତେର୍ମା, ସନିମାଲ ଏବଂ କୁଚିପାଲି ଗ୍ରାମରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଚଳିତ ବର୍ଷ ୧୫୦୦ ମାନସିକ କଳସ ସ୍ଥାନ ପାଇଥିଲା। ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ୍ଲ ପଧାନ, ପୂର୍ବତନ ବିଧାୟକ ରଫିକ ମହମ୍ମଦ, ବିଜେପି ଜିଲ୍ଲା ଉପସଭାପତି ସୁଶାନ୍ତ ମିଶ୍ର ପ୍ରମୁଖ କଳସ ଶୋଭାଯାତ୍ରାରେ ଅତିଥି ଭାବେ ସାମିଲ ହୋଇଥିଲେ। ପୂଜା କମିଟି ସଭାପତି କୃଷ୍ଣଚନ୍ଦ୍ର ପଣ୍ତା, ଉପସଭାପତି ମହେଶ ସାହୁ, ସଂପାଦକ ସୁଶାନ୍ତ ବାରିକ, ସହ ସମ୍ପାଦକ ଅମୃତଲାଲ ସାହୁ, କୋଷାଧ୍ୟକ୍ଷ ପ୍ରଶାନ୍ତ ପଧାନଙ୍କ ସମେତ ପୂଜା କମିଟିର ସଦସ୍ୟବୃନ୍ଦ ଏବଂ ଗ୍ରାମବାସୀ ଶୋଭାଯାତ୍ରାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।
Follow Us