iStock
ଜଳେଶ୍ବର: ୩ ଲକ୍ଷ ଟଙ୍କା ଅଧିକ ଯୌତୁକ ଦେଇ ପାରିଲୁନି ବୋଲି ଆମ ଝିଅକୁ ସେମାନେ ପିଟିପିଟି ମାରିଦେଲେ। ଝିଅ ହତ୍ୟାକାଣ୍ଡରେ ସମ୍ପୃକ୍ତ ଶାଶୂଶ୍ବଶୁରଙ୍କୁ ପୁଲିସ ଗିରଫ କଲା। ହେଲେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ନଣନ୍ଦେଇ ଓ ଅନ୍ୟ ୪ ଜଣଙ୍କୁ ପୁଲିସ ଗିରଫ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛି। ଆମର ଆଉ ପୁଲିସ ଉପରେ ଭରସା ପାଉନାହିଁ। ଏହି ମାମଲାର ତଦନ୍ତ ଭାର ଅବିଳମ୍ବେ କ୍ରାଇମବ୍ରାଞ୍ଚକୁ ଦିଆଯାଉ। ଝିଅର ହତ୍ୟାକାରୀକୁ କଠୋର ଦଣ୍ଡ ମିଳୁ ବୋଲି ହତ୍ୟାକାଣ୍ଡର ଶିକାର ହୋଇଥିବା ଜଣେ ନବବିବାହିତା ମହିଳାଙ୍କ ବାପାମା' ଆଜି ଜଳେଶ୍ବର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆକୁଳ ନିବେଦନ କରିଛନ୍ତି।
ସିପିଏମର ଜଳେଶ୍ବର ଲୋକାଲ କମିଟି ତରଫରୁ ଜଳେଶ୍ବରସ୍ଥିତ ପାର୍ଟି ଅଫିସ ନିକଟରେ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଲୋକାଲ କମିଟିର ସମ୍ପାଦକ ଦିଲ୍ଲୀପ କୁମାର ଗିରି ଅଧ୍ୟକ୍ଷତା କରିଥିଲେ। ଅଭିଯୋଗ ଅନୁଯାୟୀ, ଜଳେଶ୍ବର ଥାନା ନାମ୍ପୋ ଗ୍ରାମର ସେକ ଇସମାଇଲଙ୍କ ଝିଅ ମୁସକାନ ବିବିଙ୍କ ସହ ୨୦୨୧ ମସିହାରେ ଫେବ୍ରୁଆରି ମାସରେ ଭୋଗରାଇ ବ୍ଲକ ତାଳସାରି ସାମୁଦ୍ରିକ ଥାନାର ଗାଜିପୁର ଗ୍ରାମର ସେକ ଅଲ୍ଲୀଙ୍କ ପୁଅ ସେକ ରାଜେଶ ସହ ବିବାହ ହୋଇଥିଲା।
ବିବାହ ସମୟରେ ବରପକ୍ଷର ଦାବି ମୁତାବକ କନ୍ୟାପକ୍ଷ ୧୦ ଲକ୍ଷ ଟଙ୍କାର ଯୌତୁକ ଦେଇଥିଲେ। ତେବେ ବିବାହ ପରେ ଆଉ ୩ ଲକ୍ଷ ଟଙ୍କା ଦାବି କରି ମୁସକାନ ବିବି ଉପରେ ଆରମ୍ଭ ହୋଇଥଲା ନିର୍ଯାତନା। ଏପରିକି ପଶ୍ଚିମବଙ୍ଗ ରାମନଗର ଅଞ୍ଚଳର ମୁସକାନଙ୍କ ନଣନ୍ଦେଇ ମୁସକାନଙ୍କ ସହ ମନ୍ଦ ଉଦ୍ଦେଶ୍ୟ ସାଧନ ନହେବାରୁ ଅନ୍ୟମାନଙ୍କୁ ତାଙ୍କ ବିରୋଧରେ ଉସୁକାଉଥିଲେ। ମୁସକାନଙ୍କ ସ୍ବାମୀ କୁଏତରେ ରହୁଥିଲେ ମଧ୍ୟ ଏସବୁ ପଛରେ ତାଙ୍କର ହାତ ରହିଥିଲା। ଗତ ମେ ୮ ତାରିଖରେ ରାଜେଶଙ୍କ ପ୍ରରୋଚନାରେ ମୁସକାନଙ୍କ ଶାଶୂ, ଶ୍ବଶୁର, ସ୍ବାମୀ, ଦିଅର, ନଣନ୍ଦ ଓ ନଣନ୍ଦେଇ ତାଙ୍କୁ ପିଟିପିଟି ହତ୍ୟା କରିଥିଲେ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ମୁସକାନଙ୍କ ବାପା ସେକ ଇସମାଇଲ ଓ ମା ହାସରାତୁନ ବିବି ଅଭିଯୋଗ କରିଛନ୍ତି। ଘଟଣାର ଦିନକ ପରେ ଅର୍ଥାତ୍ ମେ ୯ ତାରିଖରେ ତାଳସାରି ସାମୁଦ୍ରିକ ଥାନାରେ ମୁସକାନଙ୍କ ବଡ଼ବାପା ଲିଖିତ ଅଭିଯୋଗ କରିଥିବା ବେଳେ ପୁଲିସ କେବଳ ଶାଶୂ ଓ ଶ୍ବଶୁରଙ୍କୁ ଗିରଫ କରି କାମ ସାରି ଦେଇଛି। ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ କୁହାଯାଉଥିବା ମୁସକାନଙ୍କ ନଣନ୍ଦେଇ, ନଣନ୍ଦ, ଦିଅର ଓ ସ୍ବାମୀଙ୍କୁ ପୁଲିସ ଅବିଳମ୍ବେ ଗିରଫ କରୁ ନହେଲେ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଉ ବୋଲି ଦାବି କରା ଯାଇଛି।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବାମପନ୍ଥୀ ନେତା ଦିପ୍ତୀମାନ ଆଚାର୍ଯ୍ୟ, ସେକ ଅବଦୁଲ ସାଦ୍ଦିକ, ପୂର୍ଣ୍ଣ ସିଂ, ମନତାଜ ଖାଁ, ସେକ ସାଜିଦ ବକ୍ସ ପ୍ରମୁଖ ଉପସ୍ଥିତ ଥିଲେ। ଦୁଇ ସପ୍ତାହ ଭିତରେ ଦାବି ପୂରଣ ନହେଲେ ମୁସକାନଙ୍କ ସମ୍ପର୍କୀୟମାନେ ଏସପିଙ୍କ ଅଫିସ ସମ୍ମୁଖରେ ଅନଶନରେ ବସିବେ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି।
Follow Us