The Economic Times
ପୁରୀ: ବେଦାନ୍ତ ବିଶ୍ବବିଦ୍ୟାଳୟ ନାଁରେ ପୁରୀରୁ ଜମି ହାତେଇବାର ଲାଳସା ଏପର୍ଯ୍ୟନ୍ତ ବେଦାନ୍ତ କମ୍ପାନିର ଯାଇନାହିଁ। ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ୍ ବେଦାନ୍ତ ବିଶ୍ବବିଦ୍ୟାଳୟ ଜମି ଅଧିଗ୍ରହଣ ଉପରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ବି ଉଦ୍ୟମ ଜାରି ରଖିଛନ୍ତି। ଶ୍ରୀ ଅଗ୍ରୱାଲ୍ ନିଜ ‘ଏକ୍ସ’ ଆକାଉଣ୍ଟ୍ରେ ବେଦାନ୍ତ ବିଶ୍ବବିଦ୍ୟାଳୟ ତାଙ୍କ ସ୍ବପ୍ନର ପ୍ରକଳ୍ପ ଥିଲା ଓ ଏଥିପାଇଁ ଜନସମର୍ଥନ ଆବଶ୍ୟକ ବୋଲି ଲେଖି ଏହି ଘଟଣାକୁ ଏକ ନୂଆ ମୋଡ଼ ଦେବା ପାଇଁ ଉଦ୍ୟମ ଚଳାଇଛନ୍ତି। ‘ଯଦି ଏହି ବିଶ୍ବବିଦ୍ୟାଳୟ ପୂର୍ଣ୍ଣରୂପ ନିଏ, ତେବେ ଜୀବନସାରା ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ରେ ରହିବି ଓ ଏହାକୁ ଶ୍ରେଷ୍ଠତ୍ବର ଶୀର୍ଷରେ ପହଞ୍ଚାଇବି’ ବୋଲି ସେ କହିଛନ୍ତି। ଯାହା ଏବେ ଆଉ ଏକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ମାତ୍ର ବେଦାନ୍ତ ବିଶ୍ବବିଦ୍ୟାଳୟ ସଂଘର୍ଷ ସମିତି ଆବାହକ ତଥା ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ କିନ୍ତୁ ଏହାକୁ ବିରୋଧ କରିଛନ୍ତି। ଶ୍ରୀ ରଥ କହିଛନ୍ତି, ବେଦାନ୍ତ ବିଶ୍ବବିଦ୍ୟାଳୟକୁ ଆମର ଆପତ୍ତି ନାହିଁ। କିନ୍ତୁ ଚାଷୀମାନଙ୍କ ୧୦ହଜାର ଏକର ଜମି ଦଖଲକୁ ନେଇ ବିଶ୍ବସ୍ତରୀୟ ବିଶ୍ବବିଦ୍ୟାଳୟ ପରିକଳ୍ପନା ଏକ ଉଦ୍ଭଟ ଚିନ୍ତାଧାରା ବୋଲି ଶ୍ରୀ ରଥ କହିଛନ୍ତି।
ଗତକାଲି ନିଜ ‘ଏକ୍ସ’ ଆକାଉଣ୍ଟ୍ରେ ଅନିଲ ଅଗ୍ରୱାଲ୍ ଲେଖିଛନ୍ତି, ୧୬ଶହ ବର୍ଷ ପୂର୍ବେ ଭାରତର ନାଳନ୍ଦା, ତକ୍ଷଶୀଳା ଭଳି ବିଶ୍ବବିଦ୍ୟାଳୟକୁ ସାରା ବିଶ୍ବର ଛାତ୍ରଛାତ୍ର ଅଧ୍ୟୟନ ପାଇଁ ଆସୁଥିଲେ। କିନ୍ତୁ ଏବେ ଉଚ୍ଚଶିକ୍ଷା ତଥା ବିଶ୍ବବିଦ୍ୟାଳୟରେ ପାଠ ପଢ଼ିବା ପାଇଁ ଭାରତରୁ ପ୍ରତିବର୍ଷ ଲକ୍ଷାଧିକ ଛାତ୍ରଛାତ୍ରୀ ବିଦେଶ ଯାଉଛନ୍ତି। ୨୦୨୨-୨୩ରେ ବିଦେଶରେ ପଢ଼ୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୦ଲକ୍ଷ ଥିଲା। ଆକଳନରୁ ଜଣାପଡ଼ିଛି, ୨୦୨୪ ସୁଦ୍ଧା ବିଦେଶରେ ପାଠପଢ଼ା ସହ ରହିବା, ଖାଇବା ଆଦିରେ ପାଖପାଖି ୮୦ ବିଲିୟନ୍ ଡଲାର ଖର୍ଚ୍ଚ ହେବ। ତେଣୁ କିଛି ବର୍ଷ ତଳେ ଓଡ଼ିଶାରେ ଏକ ବିଶ୍ବସ୍ତରୀୟ ପ୍ରକଳ୍ପ କରିବାକୁ ମନସ୍ତ କରିଥିଲି। ଏହାକୁ ବିଶ୍ବସ୍ତରୀୟ ଓ ଓଡ଼ିଶାକୁ ଶିକ୍ଷା ନଗରରେ ପରିଣିତ କରିବାର ଇଚ୍ଛା ରଖି ପୁରୀ ଓ କୋଣାର୍କ ମଝିରେ ନଈକୂଳରେ ଏଥିପାଇଁ ପ୍ରକୃଷ୍ଠ ସ୍ଥାନ ପାଇଥିଲି। ମୋ ଲକ୍ଷ୍ୟ ବି ସ୍ପଷ୍ଟ ଥିଲା, ଏଭଳି ଏକ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବି, ଯେଉଁଠି ୧ଲକ୍ଷ ଛାତ୍ରଛାତ୍ରୀ ଅଧ୍ୟୟନ କରିପାରିବେ ଓ ଏଭଳି ଏକ ନଗର ତିଆରି କରିବି, ଯେଉଁଠି ୫ଲକ୍ଷ ଲୋକ ଘର ଭଳି ରହିପାରିବେ। ଅର୍ଥାଭାବ ଯୋଗୁ କୌଣସି ମେଧାବୀ ଛାତ୍ରଛାତ୍ରୀ ବି ପାଠପଢ଼ାରୁ ବଞ୍ଚିତ ହୋଇନଥାନ୍ତେ। ୩୦ ପ୍ରତିଶତ ଛାତ୍ରଛାତ୍ରୀ ରିହାତି ଅବା ମାଗଣାରେ ପଢ଼ିପାରିଥାନ୍ତେ। ରାଜ୍ୟ ସରକାର ମାଗଣାରେ ଏହି ଜମି ଦେବାକୁ ରାଜି ଥିଲେ ବି ମୁଁ ବଜାର ଦରରେ ଜମି କିଣିବାକୁ ନିଷ୍ପତ୍ତି ନେଇଥିଲି। ଏଥିପାଇଁ ନିଜ ତରଫରୁ ୧ ବିଲିୟନ ଡଲାର ଓ ଅନ୍ୟ କ୍ଷେତ୍ରରୁ ୨ ବିଲିୟନ ଡଲାର ଦେବାକୁ ରାଜିଥିଲି। ବିଶ୍ବସ୍ତରୀୟ ବିଶ୍ବବିଦ୍ୟାଳୟ ପାଇଁ ଆମେରିକାର ଏମୋରି ବିଶ୍ବବିଦ୍ୟାଳୟ ସଭାପତି ତଥା ସୁପ୍ରସିଦ୍ଧ ଶିକ୍ଷାବିତ୍ ୱିଲିୟମ ଚେସ୍ଙ୍କୁ ବି ନିଯୁକ୍ତି ଦେଇସାରିଥିଲି। ଦୁର୍ଭାଗ୍ୟ ଯେ ବିଶ୍ବ ଚାହୁନଥିଲା, ଭାରତ ଶିକ୍ଷା ହବ୍ ହେଉ। କିଛି ଏନ୍ଜିଓ ଏହି ପ୍ରସଙ୍ଗକୁ ସୁପ୍ରିମକୋର୍ଟକୁ ନେଲେ। ଇତିମଧ୍ୟରେ ଅନେକ ବର୍ଷ ବିତିଗଲାଣି, କିନ୍ତୁ ଏହି ଲକ୍ଷ୍ୟ ସ୍ବପ୍ନରେ ରହିଯାଇଛି। ଏବେ ବି ସୁଯୋଗ ରହିଛି, ଏଭଳି ଏକ ବିଶ୍ବସ୍ତରୀୟ ବିଶ୍ବବିଦ୍ୟାଳୟର ବାଟ ଉନ୍ମୁକ୍ତ କରିବା ସହ ଏକ ଡିଜିଟାଲ୍ ବିଶ୍ବବିଦ୍ୟାଳୟର ଭିତ୍ତିଭୂମି ପକାଇବା। ଯଦ୍ବାରା ଅନେକ ଛାତ୍ରଛାତ୍ର ଲାଭବାନ ହୋଇପାରିବେ’ ବୋଲି ଶ୍ରୀ ଅଗ୍ରୱାଲ୍ ନିଜ ‘ଏକ୍ସ’ ଆକାଉଣ୍ଟ୍ରେ ଉଲ୍ଲେଖ କରିଛନ୍ତି।
ଏ ସମ୍ପର୍କରେ ବେଦାନ୍ତ ବିଶ୍ବବିଦ୍ୟାଳୟ ସଂଘର୍ଷ ସମିତି ଆବାହକ ଶ୍ରୀ ରଥ କହିଛନ୍ତି, ଆଇନ ଅନୁସାରେ ସୁପ୍ରିମକୋର୍ଟ ଏହି ବିଶ୍ବବିଦ୍ୟାଳୟ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଖାରଜ କରିଛନ୍ତି। ଅନିଲ ଅଗ୍ରୱାଲ୍ ନିଶ୍ଚିତ ସାମାଜିକ ଗଣମାଧ୍ୟମରେ ଏଭଳି ବାର୍ତ୍ତା ଦେଇ ସରକାରଙ୍କ ଉପରେ ଚାପ ପକାଇପାରନ୍ତି। ଆମେ ବିଶ୍ବସ୍ତରୀୟ ବିଶ୍ବବିଦ୍ୟାୟକୁ ବିରୋଧ କରୁନୁ, କିନ୍ତୁ ଯାହା ବି ହେଉ ନିୟମ ଭିତରେ କରାଯାଉ। ଆଜି ବିଶ୍ବର ବଡ଼ ବଡ଼ ବିଶ୍ବବିଦ୍ୟାଳୟର ଜମି ୧୭୯ରୁ ୪ଶହ ଏକର ଭିତରେ। କିନ୍ତୁ ବେଦାନ୍ତ ବିଶ୍ବବିଦ୍ୟାଳୟ ପାଇଁ ୧୦ହଜାର ଏକର ଜମି, କାହା ପାଇଁ। ନିଶ୍ଚିତ ପକ୍ଷେ, ଏହି ଜମି ନେଇ ବେଦାନ୍ତ କମ୍ପାନି ବାହାର ଲୋକଙ୍କୁ ବିକ୍ରି କରିଥାନ୍ତା। ଚାଷବାସ ଉଜୁଡ଼ି ଯାଇଥାନ୍ତା। ଲୋକେ ଭିଟାମାଟି ହରାଇଥାନ୍ତେ। ସୁପ୍ରିମକୋର୍ଟ ବେଦାନ୍ତ ବିଶ୍ବବିଦ୍ୟାଳୟ ପାଇଁ ଜାଲ୍ କାଗଜପତ୍ର ଦେଇଥିବାରୁ ଅନିଲ ଅଗ୍ରୱାଲ୍ ଫାଉଣ୍ଡେସନ୍କୁ ୫ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଠକେଇ କରି, ଜମି ହଡ଼ପ କରି ବିଶ୍ବବିଦ୍ୟାଳୟ କରାଯାଏନି ବୋଲି ଶ୍ରୀ ରଥ କହିଛନ୍ତି।
ସୂଚନାଯୋଗ୍ୟ ଯେ ୨୦୦୬ ମସିହାରେ ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ ରାସ୍ତା କଡ଼ରେ ବେଦାନ୍ତ ବିଶ୍ବବିଦ୍ୟାଳୟର ପରିକଳ୍ପନା କରାଯାଇଥିଲା। ରାଜ୍ୟ ସରକାର ଅନୀଲ ଅଗ୍ରୱାଲ ଫାଉଣ୍ଡେସନ୍ ସହ ମିଶି ଏହି ବିଶ୍ବବିଦ୍ୟାଳୟକୁ ବିଶ୍ବସ୍ତରୀୟ କରିବାକୁ ଯୋଜନା କରିଥିଲେ। ଏଥିପାଇଁ ପ୍ରାୟ ୧୦ହଜାର ଏକର ଜମିର ଆବଶ୍ୟକତା ଥିବାରୁ ସରକାର ପୁରୀ ଓ ଗୋପ ତହସିଲର ୨୨ଟି ମୌଜାରୁ ଏହି ଜମି ଅଧିଗ୍ରହଣ କରିବାକୁ ଯୋଜନା କରିଥିଲେ। ପ୍ରସ୍ତାବିତ ବିଶ୍ବବିଦ୍ୟାଳୟ ଜମିରୁ ଅଧିକାଂଶ ଅଧିଗ୍ରହଣ କରି ସରିଥିଲା। ପରବର୍ତ୍ତୀ ସମୟରେ ଏହାର ତୀବ୍ର ବିରୋଧ ହୋଇଥିଲା। ବେଦାନ୍ତ ବିଶ୍ବବିଦ୍ୟାଳୟ ସଂଘର୍ଷ ସମିତି ଓ ଚାଷୀମାନେ କୋର୍ଟଙ୍କ ଦ୍ବାରସ୍ଥ ମଧ୍ୟ ହୋଇଥିଲେ।
Follow Us