ସୁନ୍ଦରଗଡ଼ରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ: ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ଦାବିକୁ, ମୁଖ୍ୟମନ୍ତ୍ରୀଙ୍କ ଖୋଲା ସମର୍ଥନ

Advertisment

ଜିଲ୍ଲାର ୧୫ ଲକ୍ଷ ଲୋକ ମାଗଣା ଚିକିତ୍ସା ସୁବିଧା ପାଇବେ, ୫୮୧ କୋଟି ଟଙ୍କା ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

ଜିଲ୍ଲାର ୧୫ ଲକ୍ଷ ଲୋକ ମାଗଣା ଚିକିତ୍ସା ସୁବିଧା ପାଇବେ, ୫୮୧ କୋଟି ଟଙ୍କା ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

ସୁନ୍ଦରଗଡ଼ରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ: ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ଦାବିକୁ, ମୁଖ୍ୟମନ୍ତ୍ରୀଙ୍କ ଖୋଲା ସମର୍ଥନ

ରାଉରକେଲା: ‘ସ୍ବାସ୍ଥ୍ୟ ହିଁ ସମ୍ପଦ’ ବୋଲି କୁହାଯାଏ। ସେ କୃଷକ ହୁଅନ୍ତୁ ବା ମୂଲିଆ ଅଥବା ରିକ୍ସାଚାଳକ, ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ। ପ୍ରତିଟି ଜୀବନ ମୋ ପାଇଁ ମୂଲ୍ୟବାନ। ଆଜି ରାଉରକେଲାର ଆଇଜିଏଚ୍‌ ସୁପର ସ୍ପେସିଆଲିଟି ହସ୍ପିଟାଲରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ପାଇଁ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।

ଉତ୍ସବରେ ମୁଖ୍ୟମନ୍ତ୍ରୀ ନିଜେ ନକହି ପୂର୍ବରୁ ପ୍ରସ୍ତୁତ ହୋଇଥିବା ତାଙ୍କର ଏକ ଭାଷଣ ଭିଡିଓ ପ୍ରଦର୍ଶିତ ହୋଇଥିଲା। ପ୍ରଦର୍ଶିତ ଭାଷଣରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ, ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନରେ ମାଲକାନଗିରି ପରେ ସୁନ୍ଦରଗଡ଼ ହେଉଛି ରାଜ୍ୟର ଦ୍ବିତୀୟ ଜିଲ୍ଲା। ଯୋଜନା ଦ୍ବାରା ରାଜ୍ୟରେ ୯୬ ଲକ୍ଷ ପରିବାରର ୩.୫ କୋଟି ଲୋକ ଉପକୃତ ହେବେ। ଏହାଦ୍ବାରା ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ ବିଶେଷ କରି ଚିକିତ୍ସା ଖର୍ଚ୍ଚ ଜନିତ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇପାରିବେ। ଲୋକମାନେ ବିନା ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ଟି ବଡ଼ ବଡ଼ ହସ୍ପିଟାଲରେ ଭଲ ଚିକିତ୍ସା ପାଇ ପାରିବେ। ଏଥି ପାଇଁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ମହିଳା ୧୦ ଲକ୍ଷ ଓ ପୁରୁଷଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳିବ। ଏହି ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ।

ଏହି ଅବସରରେ ସେ ସୂଚନା ଦେଇଥିଲେ ଯେ ରାଜ୍ୟର ସବୁ ଜିଲ୍ଲାର ମୁଖ୍ୟ ସରକାରୀ ଚିକିତ୍ସାଳୟରେ ସିଟି ସ୍କାନ୍‌ ସୁବିଧା ଉପଲବ୍ଧ ହେଉଛି। ରାଜ୍ୟର ଲକ୍ଷ ଲକ୍ଷ ଲୋକ ମାଗଣାରେ ଏହି ସୁବିଧା ପାଇ ପାରୁଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ହକି ପରଂପରାକୁ ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ, ସୁନ୍ଦରଗଡ ମାଟିରୁ ଅନେକ ହକି ପ୍ରତିଭା ସୃଷ୍ଟି ହୋଇଛନ୍ତି। ଏମାନେ ‌କେବଳ ଓଡ଼ିଶା ନୁହେଁ, ସାରା ଦେଶକୁ ଗର୍ବିତ କରିଛନ୍ତି। ସେ ଟୋକିଓ ଅଲମ୍ପିକରେ ଅଂଶ ଗ୍ରହଣ କରିଥିବା ଜିଲ୍ଲାର ୪ ହକି ତାରକା ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ, ଏମାନେ ‌ଓଡ଼ିଶାର ନାଁକୁ ବିଶ୍ବ କ୍ରୀଡ଼ା ମାନଚିତ୍ରରେ ସ୍ଥାନ ଦେଇଛନ୍ତି। ଜିଲ୍ଲାବାସୀଙ୍କୁ ଆହୁରି ଖୁସି କରିଥିବା ଖବରଟି ହେଉଛି, ହକିରେ ଦେଶ ପାଇଁ ଗୌରବ ଆଣିଥିବା ସୁନ୍ଦରଗଡ଼ବାସୀଙ୍କ ଦ୍ବିତୀୟ ଏମ୍‌ସ ଦାବିକୁ ଆଜି ମୁଖ୍ୟମନ୍ତ୍ରୀ ପ୍ରକାଶ୍ୟରେ ସମର୍ଥନ କରିଥିଲେ। ସେ କହିଥିଲେ, ଏ ପ୍ରସଙ୍ଗରେ ଓଡ଼ିଶା ବାରମ୍ବାର କେନ୍ଦ୍ର ନିକଟରେ ଦାବି କରିଆସୁଛି। ଏହି ନ୍ୟାୟପୂର୍ଣ୍ଣ ଦାବି ପୂରଣ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଓଡ଼ିଶା ସରକାର ତାଙ୍କର ଉଦ୍ୟମକୁ ଆହୁରି ଜୋରଦାର କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୭ ଜଣ ହିତାଧିକାରୀଙ୍କୁ ବିଜୁ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ କରିଥିଲେ। ସ୍ବାସ୍ଥ୍ୟ କାର୍ଡ଼ ବଣ୍ଟନ ସହିତ ଆଜି ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ଜିଲ୍ଲାରେ ୫୮୦.୮୨ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶୁଭାରମ୍ଭ ମଧ୍ୟ କରିଥିଲେ।

ସଭାରେ ଉପସ୍ଥିତ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ସ୍ବାସ୍ଥ୍ୟ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ସ୍ବାଗତ ଭାଷଣ ଦେଇ ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ବର ପ୍ରଶଂସା କରିଥିଲେ। ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ ଧନ୍ୟବାଦ ଦେଇଥିଲେ। ‘ମୋ କଲେଜ କମିଟି’ ରାଜ୍ୟ ମୁଖ୍ୟ ଆକାଶ ଦାସ ନାୟକ ଓ ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ରାଉରକେଲାରେ ମୁଖ୍ୟ ଉତ୍ସବ ସହିତ ଆଜି ସୁନ୍ଦରଗଡ଼ ଜିଲ୍ଲାର ୧୭ଟି ବ୍ଲକରେ ୧୨ରୁ ଅଧିକ ମନ୍ତ୍ରୀ, ବିଧାୟକ ଓ ନିଗମ ଅଧ୍ୟକ୍ଷମାନେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ। ସୁନ୍ଦରଗଡ଼ ଜିଲ୍ଲାର ମୋଟ୍‌ ୪ ଲକ୍ଷ ୩୭ ହଜାର ୩୩୩ ରାସନକାର୍ଡ ଧାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ କରାଯିବ। ଏହି କାର୍ଡ ଦ୍ବାରା ଜିଲ୍ଲାର ମୋଟ୍‌ ୧୫ ଲକ୍ଷ ୯ ହଜାର ୬୩୧ ଲୋକ ମାଗଣା ସ୍ବାସ୍ଥ୍ୟ ସେବା ପାଇବେ। ରାଉରକେଲାର ମୋଟ୍‌ ୬୮ ହଜାର ୫୭୫ ରାସନ କାର୍ଡଧାରୀଙ୍କୁ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ମିଳିବ। ଏହା ଦ୍ବାରା ୨ ଲକ୍ଷ ୨୩ ହଜାର ୪୧୮ ଜଣ ଉପକୃତ ହେବ। ତେବେ ଆଜିର କାର୍ଯ୍ୟକ୍ରମର ରିପୋର୍ଟିଂକୁ ନେଇ ସ୍ଥାନୀୟ ସାମ୍ବାଦିକ କିଛିଟା ଅସନ୍ତୁଷ୍ଟ ହୋଇଥିଲେ। ଏଥି ପାଇଁ ୨ ଦିନ ପୂର୍ବେ ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମର ସାମ୍ବାଦିକ ଓ ଫଟୋଗ୍ରାଫରମାନଙ୍କ ଆର୍‌ଟିପିସିଆର୍‌ ପରୀକ୍ଷା କରାଯାଇଥିଲା। ସମସ୍ତଙ୍କ ରି‌ପୋର୍ଟ ନେଭେଟିଭ୍‌ ଆସିଥିଲେ ହେଁ ଆଜି କାହାରିକୁ ଭିତରକୁ ଯିବାଲାଗି ଅନୁମତି ମିଳିନଥିଲା। ସାମ୍ବାଦିକମାନେ ଦାବି କରିବାରୁ ତାଙ୍କୁ ହଲ୍‌ ଭିତରେ ଚାଲିଥିବା କାର୍ଯ୍ୟକ୍ରମର ଦୃଶ୍ୟ ଦେଖାଇବାଲାଗି ଟେଣ୍ଟରେ ଶେଷ ମୁହୂର୍ତ୍ତରେ ଗୋଟିଏ ମନିଟର୍‌ ଲଗାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe