ଚାନ୍ଦବାଲି : ଶୁକ୍ରବାର ଅପରାହ୍ନରେ ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ କେନ୍ଦ୍ରାପଡ଼ା ତାଳଚୁଆ ଯାଉଥିବା ଏକ ଯାତ୍ରୀବାହୀ ଲଞ୍ଚ୍ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୨୦ରୁ ଅଧିକ ଯାତ୍ରୀ ଦୀର୍ଘ ୫ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ମଝିନଈରେ ଫସି ରହିଥିଲେ।
ସୂଚନା ମୁତାବକ, ବୈତରଣୀ ଚାନ୍ଦବାଲି ଘାଟରୁ ଶୁକ୍ରବାର ଅପରାହ୍ନ ୩ଟା ସମୟରେ ଏକ ଯାତ୍ରୀବାହୀ ଲଞ୍ଚ ୨୦ରୁ ଅଧିକ ଯାତ୍ରୀଙ୍କୁ ନେଇ ତାଳଚୁଆ ଯାତ୍ରା ଆରମ୍ଭ କରିଥିଲା। ଉପୁଳାଇ ଘାଟ ନିକଟରେ ହଠାତ ଲଞ୍ଚର ଇଞ୍ଜିନ ଖରାପ ହୋଇ ଯାଇଥିଲା। ଲଞ୍ଚର କର୍ମଚାରୀ ଫୋନ୍ ଯୋଗେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ହେଲେ ରାତି ୮ଟା ପର୍ଯ୍ୟନ୍ତ କୌଣସି ଅଧିକାରୀ ବା ଅନ୍ୟ ଲଞ୍ଚ ପହଞ୍ଚି ପାରିନଥିଲା। ଫଳରେ ୨୦ରୁ ଊର୍ଦ୍ଧ୍ବ ଯାତ୍ରୀ ଅନ୍ଧାର ରାତିରେ ମଝିନଈରେ ୫ ଘଣ୍ଟା ଫସି ରହି ଭଗବାନଙ୍କ ଆଶ୍ରାରେ ରହିଥିଲେ। ରାତି ୮ଟା ପରେ ଏକ ଟିମ୍ ପହଞ୍ଚି ଲଞ୍ଚକୁ ମରାମତି କରିବା ପରେ ତାହା ଗନ୍ତବ୍ୟସ୍ଥଳୀ ଅଭିମୁଖେ ଯାଇଥିଲା। ପ୍ରତ୍ୟେକ ଦିନ ଚାନ୍ଦବାଲିରୁ ଲଞ୍ଚ୍ ଯୋଗେ ଶହ ଶହ ଯାତ୍ରୀ କେନ୍ଦ୍ରାପଡାକୁ ଯାତାୟାତ କରୁଛନ୍ତି। ହେଲେ ସରକାରୀ ଲଞ୍ଚଗୁଡ଼ିକର ନିୟମିତ ମରାମତି କିମ୍ବା ରକ୍ଷଣାବେକ୍ଷ କରାଯାଉନାହିଁ।
ପ୍ରକାଶଥାଉକି, ଏଠାରେ ବୈତରଣୀ ସିଧାସଳଖ ଭିତରକନିକା ମୁହାଣ ସହ ସଂଯୁକ୍ତ ଥିବାରୁ ନଦୀରେ କୁମ୍ଭୀରଙ୍କ ଆତଯାତ ଦେଖିବାକୁ ମିଳିଥାଏ। ତେବେ ଏହି ଯାତ୍ରୀମାନେ ସୁରକ୍ଷିତ ଅବସ୍ଥାରେ ତାଳଚୁଆ ଘାଟରେ ପହଞ୍ଚିଥିବା ଜଣାପଡ଼ିଛି।
Follow Us