Berhampur MP Pradeep Kumbar Panigrahy Photograph: (Sambad )
ଭୁବନେଶ୍ବର: ‘ଆଇନ ତା’ ବାଟରେ ଯିବ।’ ଏହା ଥିଲା ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଘୋଷା ଧାଡ଼ି। ସବୁ ପ୍ରସଙ୍ଗରେ ସେ ଏମିତି ଧାଡ଼ିକିଆ ଉତ୍ତର ଦିଅନ୍ତି।
ନବୀନଙ୍କ ଶାସନ ସମୟରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାରେ ଆଇନ ତା’ ବାଟରେ ଯାଇଥିଲା କି? ନା ଆଇନ କୁଆଡ଼େ ଯିବ, ତା’ର ବ୍ଲୁ ପ୍ରିଣ୍ଟ ଆଉ କିଏ ପ୍ରସ୍ତୁତ କରୁଥିଲା? ଟାଟା କମ୍ପାନିରେ ନିଯୁକ୍ତି ନାଁରେ ଟଙ୍କା ଠକେଇ ସଂକ୍ରାନ୍ତରେ ପାଞ୍ଚଟି ଯାକ ମାମଲାରେ ଶ୍ରୀ ପାଣିଗ୍ରାହୀ ଦୋଷମୁକ୍ତ ହେବା ପରେ ଏଭଳି କିଛି ପ୍ରଶ୍ନକୁ ନେଇ କ୍ଷମତା କରିଡ଼ରରେ ଚର୍ଚ୍ଚା ଚାଲିଛି। କୋର୍ଟରେ ଆଶ୍ବସ୍ତି ବ୍ୟକ୍ତିଗତ ଭାବେ ପ୍ରଦୀପଙ୍କୁ ଆଶ୍ବସ୍ତି ଆଣିଦେଇଛି; ଏକଥା ସତ। ହେଲେ ପୂରା ମାମଲା ଓ ଅଭିଯୋଗକାରୀଙ୍କ ସତ୍ୟପାଠକୁ ନିରୀକ୍ଷଣ କଲେ, ଘଟଣାଟି ରାଜ୍ୟବାସୀଙ୍କ ପାଇଁ ଅସ୍ବସ୍ତିକର ହୋଇପଡ଼ିଛି। ସ୍ବଚ୍ଛ ଶାସନର ନାରାବାଜି କରୁଥିବା ତତ୍କାଳୀନ ସରକାର କ୍ଷମତାର କିପରି ଦୁରୁପଯୋଗ କରୁଥିଲେ, ଏହା ତାର ଏକ ବଡ଼ ଉଦାହରଣ। ପୁଲିସ ଓ ପ୍ରାଶାସନିକ ଅଧିକାରୀମାନେ ନିଜ ରାଜନୈତିକ ବସ୍ଙ୍କୁ ଖୁସି କରିବାକୁ ଆଇନକୁ କିପରି ମୋଡ଼ିମକଚି ନିଜ ଢଙ୍ଗରେ ନିଅନ୍ତି, ଏହା ତାର ଗୋଟିଏ ଲଜ୍ଜାଜନକ ଚିତ୍ର ବୋଲି ମଧ୍ୟ କୁହାଯାଇପାରେ।
ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଟଙ୍କା ଠକେଇର ଅଭିଯୋଗ କରିଥିବା ବ୍ୟକ୍ତିମାନେ କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ସେମାନେ ଦର୍ଶାଇଛନ୍ତି ଯେ ‘କିଛି ପୁଲିସ ଅଧିକାରୀ, ଜିଲ୍ଲା ପ୍ରଶାସନର ଅଧିକାରୀ ଓ ବିଜେଡି ନେତା ଚାପ ପକାଇ ସେମାନଙ୍କ ଠାରୁ ପ୍ରଦୀପଙ୍କ ବିରୋଧରେ ଏତଲା ଲେଖାଇ ନେଇଥିଲେ। ସେମାନେ ପ୍ରଦୀପଙ୍କ ସହ କୌଣସି ଅର୍ଥ କାରବାରରେ ଜଡ଼ିତ ନାହାନ୍ତି।’ ଏହି ଘଟଣାରେ ଗୋଳନ୍ଥରା ଥାନାରେ ଚାରିଟି ମାମଲା ଓ ବୈଦ୍ୟନାଥପୁର ଥାନାରେ ଗୋଟିଏ ମାମଲା ହୋଇଥିଲା। ଅଭିଯୋଗକାରୀମାନେ ଥିଲେ ଲକ୍ଷ୍ମୀଧର ନାୟକ, ପ୍ରଶାନ୍ତ କର, ପ୍ରଭାତ ନାୟକ, ଶିବ ପାତ୍ର ଓ କାର୍ତ୍ତିକ ପ୍ରଧାନ। ଅଭିଯୋଗକାରୀଙ୍କ ସତ୍ୟପାଠ ପରେ ପ୍ରଦୀପ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ପ୍ରଦୀପଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ, ତା’ ଉପରେ ସମସ୍ତଙ୍କ ନଜର ରହିଛି। କିନ୍ତୁ ତାହା ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା, ଆଇନର ଯଥେଚ୍ଛା ବ୍ୟବହାର କରିଥିବା ପୁଲିସ ଅଧିକାରୀ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ କିଏ? କିଏ ସେହି କରିତ୍କର୍ମା ଆଇପିଏସ୍ ଅଫିସର, ଯିଏ ଆଇନର ଡଙ୍କ ମୋଡ଼ି ଦେଇ ବସ୍ଙ୍କୁ ଖୁସି କରିବା ଲାଗି ଉଦ୍ୟମ କରିଥିଲେ? ଏମାନଙ୍କ ସଂପର୍କରେ ରାଜ୍ୟବାସୀ ଜାଣିବା ଦରକାର। ନୂଆ ସରକାର ଏହା ଉପରୁ ପରଦା ଉଠାଇବାର ଆବଶ୍ୟକତା ରହିଥିବା ସବୁ ମହଲରେ ମତପ୍ରକାଶ ପାଇଲାଣି।
କେଉଁ ପୁଲିସ ଅଧିକାରୀ ଏତଲା ଲେଖାଇଥିଲେ?
ନବୀନଙ୍କ ଜାଣତରେ ଆଇନକୁ ମୋଡ଼ିଥିବା ବାବୁଙ୍କୁ ମାଫ୍
ଯେଉଁଠି ବି କାମ କରୁଥିବେ, ସେଠି ଶାସନ ନିରାପଦ ତ?
ସଚେତନ ନାଗରିକ ମହଲରେ କହିବା କଥା, ପ୍ରଦୀପ ସିନା ଦୋଷମୁକ୍ତ ହୋଇଗଲେ, କିନ୍ତୁ ଏହି ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନ ହେଲେ, ବ୍ୟବସ୍ଥା ସୁଧୁରିବନାହିଁ। କାଲି ସକାଳେ ଆଉ କିଏ ଏଭଳି ଢଙ୍ଗରେ ଆଇନକୁ ବ୍ୟବହାର କରିପାରେ। ଏଣୁ ଲୋକଙ୍କ ମୁଖ୍ୟମନ୍ତ୍ରୀ ଏହା ଉପରେ ପୂର୍ଣ୍ଣଛେଦ ପକାଇବା ଉଚିତ। କାରଣ ଅଭିଯୋଗକାରୀମାନେ କହିସାରିଛନ୍ତି ଯେ ପୁଲିସ ନିଜେ ଏତଲା ଲେଖିଛି, ସେମାନେ କେବଳ ଦସ୍ତଖତ କରିଛନ୍ତି। ଏହା ଠାରୁ ବଡ଼ ସଙ୍ଗୀନ ଅଭିଯୋଗ ବର୍ତ୍ତମାନ ସମୟରେ ଆଉ କିଛି ହୋଇ ନପାରେ। ସେହି ଅଧିକାରୀମାନେ ଧରାପଡ଼ିଲେ ହୁଏତ ସ୍ପଷ୍ଟ କରିବେ ଯେ କେଉଁ ପରିସ୍ଥିତିରେ ଏମିତି ବେଆଇନ ଓ ଅନୈତିକ କାମ କଲେ। ହେଲେ ରାଜ୍ୟ ସରକାର ଏହି ପ୍ରସଙ୍ଗରେ କାହିଁକି ଚୁପ୍ ଅଛନ୍ତି, ତାହା ମଧ୍ୟ ବୁଝାପଡ଼ୁନାହିଁ। ଅଭିଯୋଗକାରୀ ନିଜେ ମଧ୍ୟ ଏ ପର୍ଯ୍ୟନ୍ତ ଗଣମାଧ୍ୟମରେ ଚାପ ସୃଷ୍ଟି କରିଥିବା ଏହି ଅଧିକାରୀ ଓ ବିଜେଡି ନେତାଙ୍କ ନାମ ଖୋଲି କହୁ ନାହାନ୍ତି।
ଆହୁରି ଉଦ୍ବେଗର ବିଷୟ ହେଉଛି, ଯେଉଁ ଅଧିକାରୀମାନେ ଏପରି କାମ କରିଥିଲେ ସେମାନେ ଏବେ ବି ଚାକିରିରେ ଅଛନ୍ତି। ଗଞ୍ଜାମ ଜିଲ୍ଲାରେ ନଥାଇ ଆଉ କୌଣସି ସ୍ଥାନରେ ଥାଇପାରନ୍ତି। କିନ୍ତୁ ସେମାନେ ଯେ ସରକାରୀ ଚାକିରିରେ ରହିବାକୁ ନୈତିକତା ହରାଇଛନ୍ତି, ତାହା ସ୍ପଷ୍ଟ। କୌଣସି ବ୍ୟକ୍ତିଙ୍କ ଭାବମୂର୍ତ୍ତି ନଷ୍ଟ କରିବା ସହ ମିଛ ମାମଲାରେ ଫସାଇବା ପରି ଷଡ଼୍ଯନ୍ତ୍ର ଯେ ପୁଲିସ ଓ ପ୍ରଶାସନ କରିପାରେ, ତାହା ସେମାନେ ପ୍ରମାଣିତ କରିଦେଇଛନ୍ତି। ସେମାନେ ଆଉ କାହାକୁ ଫସାଇବା ପାଇଁ ଉଦ୍ୟମ କରିବା ଅସମ୍ଭବ ନୁହେଁ। ଆହୁରି ଆଶ୍ଚର୍ଯ୍ୟଜନକ କଥା ହେଲା, ଏଯାଏଁ ପୁଲିସ ଡିଜି ନିଜ ଆଡ଼ୁ ମଧ୍ୟ ଏହି ଅଫିସରଙ୍କୁ ଖୋଜିବାକୁ ଚେଷ୍ଟା କରୁନାହାନ୍ତି। ଏମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ, ପୁଲିସ ଓ ପ୍ରଶାସନ ଉପରୁ ଲୋକଙ୍କ ଆସ୍ଥା ତୁଟିଯିବ।
Follow Us