କେନ୍ଦ୍ରୀୟ ବିଦ୍ୟାଳୟରେ ଲାଇବ୍ରେରିଆନ୍‌ ଅଧ୍ୟକ୍ଷ, ଠିକା ଶିକ୍ଷକ ଚଳାଇଛନ୍ତି ପାଠପଢ଼ା

Advertisment
କେନ୍ଦ୍ରୀୟ ବିଦ୍ୟାଳୟରେ ଲାଇବ୍ରେରିଆନ୍‌ ଅଧ୍ୟକ୍ଷ, ଠିକା ଶିକ୍ଷକ ଚଳାଇଛନ୍ତି ପାଠପଢ଼ା

ବ୍ରହ୍ମପୁର/ହିଂଜିଳିକାଟୁ  : ଗଞ୍ଜାମ ଜିଲ୍ଲାରେ ୭ଟି କେନ୍ଦ୍ରୀୟ ବିଦ୍ୟାଳୟ ରହିଛି। କିନ୍ତୁ, ଅଧିକାଂଶ ବିଦ୍ୟାଳୟରେ ନାନା ଅବ୍ୟବସ୍ଥା ଲାଗି ରହିଛି। ଫଳରେ ଶିକ୍ଷାଦାନ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଛି। ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଂଜିଳିକାଟୁରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ଏଠାରେ ଅଧ୍ୟକ୍ଷ ପଦବି ଖାଲି ରହିଥିବା ବେଳେ ଜଣେ ଲାଇବ୍ରେରିଆନ୍‌ ଏହାର ଦାୟିତ୍ବରେ ରହିଛନ୍ତି। ସେହିପରି ଆବଶ୍ୟକ ସଂଖ୍ୟକ ସ୍ଥାୟୀ ଶିକ୍ଷକ ନାହାନ୍ତି। ଏଣୁ ଠିକା ଶିକ୍ଷକ ନିଯୁକ୍ତି କରି ପାଠପଢ଼ା ଚାଲିଛି।

ଗଞ୍ଜାମ ଜିଲ୍ଲାର ହିଂଜିଳିକାଟୁରେ ଗତ ୨୦୧୫ରେ ପ୍ରତିଷ୍ଠା ହୋଇଥିଲା କେନ୍ଦ୍ରୀୟ ବିଦ୍ୟାଳୟ। ବିଦ୍ୟାଳୟର ସ୍ଥାୟୀ କୋଠାନାହିଁ। ଫଳରେ ବୃନ୍ଦାବନ ବିଦ୍ୟାପୀଠର କୋଠାରେ କେନ୍ଦ୍ରୀୟ ବିଦ୍ୟାଳୟ ଚାଲିଛି। କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ପ୍ରାୟ ୮ଏକର ଜମି ଚିହ୍ନଟ ହୋଇସାରିଛି। ହେଲେ ନିର୍ମାଣ କାମ ଆରମ୍ଭ ହୋଇପାରୁ ନାହିଁ। କେନ୍ଦ୍ରୀୟ ବିଦ୍ୟାଳୟ ଗୁଡ଼ିକ କେନ୍ଦ୍ର ସରକାରଙ୍କ ଅଧୀନରେ ପରିଚାଳିତ ହେଉଥିବା ଯୋଗୁଁ ରାଜ୍ୟ ସରକାର ଏଥିପ୍ରତି ସେତେଟା ଗୁରୁତ୍ବ ଦେଉ ନଥିବା ବିଭିନ୍ନ ମହଲରେ ଅଭିଯୋଗ ହେଉଛି। ହିଂଜିଳିକାଟୁ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ୨୨ଜଣ ଶିକ୍ଷକ ଆବଶ୍ୟକ ଥିବାବେଳେ ମାତ୍ର ୪ଜଣ ସ୍ଥାୟୀ ଶିକ୍ଷକ ଓ କର୍ମଚାରୀ ରହିଛନ୍ତି। ଅନ୍ୟମାନେ ଠିକାରେ ନିଯୁକ୍ତି ପାଇଛନ୍ତି। ସ୍ଥାୟୀ କର୍ମଚାରୀ ତାଲିକାରେ ଜଣେ ଲାଇବ୍ରେରିଆନ୍‌, ଜଣେ ଟିଜିଟି ଶିକ୍ଷକ, ଜଣେ ପ୍ରାଥମିକ ଶିକ୍ଷକ ଓ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ରହିଛନ୍ତି। ୨୦୨୧ ନଭେମ୍ବରରୁ ଅଧ୍ୟକ୍ଷ ପଦବି ଖାଲି ରହିଛି। ଏଣୁ ବରିଷ୍ଠତା ଦୃଷ୍ଟିରୁ ଲାଇବ୍ରେରିଆନ୍‌ଙ୍କୁ ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଛି। ଦୁଇଜଣ ସ୍ଥାୟୀ ଶିକ୍ଷକ ଶିକ୍ଷାଦାନ କରୁଥିବା ବେଳେ ଅନ୍ୟ ସମସ୍ତ ଶିକ୍ଷକ ଚୁକ୍ତିଭିତ୍ତିରେ ନିଯୁକ୍ତି ପାଇ ପାଠ ପଢ଼ାଉଛନ୍ତି। ସେହିଭଳି, ହିଂଜିଳିକାଟୁ କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମରୁ ଯୁକ୍ତଦୁଇ ପର୍ଯ୍ୟନ୍ତ ପିଲା ପାଠ ପଢ଼ୁଛନ୍ତି। କିନ୍ତୁ, ଆବଶ୍ୟକ ଅନୁସାରେ ଶିକ୍ଷକଶିକ୍ଷୟିତ୍ରୀ ନଥିବାରୁ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି।

ଅନ୍ୟପକ୍ଷ‌ରେ, ବିଦ୍ୟାଳୟ ପ୍ରତିଷ୍ଠାର ୬ବର୍ଷରୁ ଅଧିକ ସମୟ ଅତିକ୍ରାନ୍ତ କରି ସାରିଥିଲେ ସୁଦ୍ଧା ସ୍ଥାୟୀ କ୍ୟାମ୍ପସ୍‌ ନିର୍ମାଣ ହୋଇପାରୁ ନାହିଁ। ବିଦ୍ୟାଳୟରେ ବର୍ତ୍ତମାନ ୪୭୬ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। କିନ୍ତୁ ସେମାନଙ୍କ ପାଇଁ ସ୍ବତନ୍ତ୍ର କ୍ୟାମ୍ପସ୍‌ ନିର୍ମାଣ ହୋଇପାରି ନାହିଁ। ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟିଦେଇ ଚିହ୍ନଟ ହୋଇଥିବା ଜାଗାରେ କିପରି କ୍ୟାମ୍ପସ୍‌ ନିର୍ମାଣ ଆରମ୍ଭ ‌ହେବ, ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe