ବାଜିରେ ଲାଗିଛି କୋମଳମତି ପିଲାଙ୍କ ଜୀବନ: ଭରାନଈ ପାର୍‌ ହୋଇ ସ୍କୁଲ ଯାଉଛନ୍ତି ଶିକ୍ଷକ ଓ ଛାତ୍ରଛାତ୍ରୀ

Advertisment
ବାଜିରେ ଲାଗିଛି କୋମଳମତି ପିଲାଙ୍କ ଜୀବନ: ଭରାନଈ ପାର୍‌ ହୋଇ ସ୍କୁଲ ଯାଉଛନ୍ତି ଶିକ୍ଷକ ଓ ଛାତ୍ରଛାତ୍ରୀ

ଜୁନାଗଡ଼: ନଦୀରେ ପୋଲ ନାହିଁ କି ଡଙ୍ଗାର ବ୍ୟବସ୍ଥା ନାହିଁ। ଫଳରେ ବର୍ଷା ଦିନେ ଭରାନଈ ପାରି ହୋଇ ସ୍କୁଲକୁ ଯାଉଛନ୍ତି ଶିକ୍ଷକ ଓ ଛାତ୍ରଛାତ୍ରୀ। ସବୁବେଳେ କୁନି କୁନି ପିଲାଙ୍କ ଜୀବନ ଏଠାରେ ବାଜି ଲାଗୁଛି। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍‌ ଦେଦର ପଞ୍ଚାୟତ ହରଡ଼ା‌ଗୁଡ଼ା ଗାଁର ଏହି ବିପଦଜନକ ଦୃଶ୍ୟ ଆଜି ବି ଅପହଞ୍ଚ ଇଲାକାରେ ବିକାଶଧାରା ଅପହଞ୍ଚ ରହିଥିବା ବୟାନ କରୁଛି।

ସୂଚନା ଅନୁସାରେ, ଜୁନାଗଡ଼ ବ୍ଲକ୍‌ ଦେଦର ପଞ୍ଚାୟତର ଜଙ୍ଗଲ ଭିତରେ ରହିଛି ହରଡ଼ାଗୁଡ଼ା ଗାଁ। ଏହି ଗାଁରେ ସ୍କୁଲ ନଥିବାରୁ କୁନି କୁନି ପିଲାମାନେ ସୂର୍ଲି ଗାଁ ପ୍ରାଥମିକ ସ୍କୁଲକୁ ପଢ଼ିବାକୁ ଯାଇଥାନ୍ତି। ଏଥିପାଇଁ ସେମାନେ ଶଗଡ଼ା ନଦୀ ପାର ହେବା ସହ ଆହୁରି ୨ କିଲୋମିଟର ଜଙ୍ଗଲୀ ରାସ୍ତାରେ ଚାଲି ଚାଲି ଯାଇଥାନ୍ତି। ଶଗଡ଼ା ନଦୀରେ ପୋଲ ନାହିଁ କି ଡଙ୍ଗାର ବ୍ୟବସ୍ଥା ନାହିଁ। ଫଳରେ ଏବେ ବର୍ଷାଦିନେ ଏମାନେ ଜୀବନକୁ ବାଜି ଲଗାଇ ଶିକ୍ଷକଙ୍କ ସହିତ ପାଣିରେ ପହଁରି ପହଁରି ସ୍କୁଲ ଯାଆନ୍ତି। ସ୍କୁଲ ଛୁଟି ପରେ ପୁଣି ସେଭଳି ଅବସ୍ଥାରେ ଘରକୁ ଫେରିଥାନ୍ତି। ପରିବାର ଲୋକେ କେବେ କେବେ ନଦୀ ପାର କରାଇଦିଅନ୍ତି। ନଥିଲେ, ନିଜେ ନିଜେ ପହଁରି ଯାଇଥାନ୍ତି। ରାଜନେତା, ମନ୍ତ୍ରୀ, ବିଧାୟକ ଓ ନିର୍ବାଚିତ ପ୍ରତିନିଧି କେବଳ ନିର୍ବାଚନ ସମୟରେ ଭୋଟ ଭିକ୍ଷା କରିବାକୁ ଏହି ଅଞ୍ଚଳକୁ ଯାଇଥାନ୍ତି। ଅନେକ ପ୍ରତିଶ୍ରୁତି ଦେଇ ଚାଲିଆସନ୍ତି। ଭୋଟ ସରିଲେ ଶାସକ ହୁଅନ୍ତୁ କିମ୍ବା ବିରୋଧୀ; ଆଉ କାହାର ପାଦ ପଡ଼େନାହିଁ ବୋଲି ଏହି ବଣ ଜଙ୍ଗଲଘେରା ଗାଁରେ ରହୁଥିବା ଆଦିବାସୀମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ଏଠାରେ ଏକ ପୋଲ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe