ତୁମୁଡ଼ିବନ୍ଧ: ଗାଁକୁ ଭଲ ରାସ୍ତା ନଥିବାରୁ ଜଣେ ଗର୍ଭବତୀଙ୍କୁ ଜଙ୍ଗଲ ରାସ୍ତାରେ ୫ କିମି ଦୋଳାରେ ବୁହାହେଲା। ବିଳମ୍ବ କାରଣରୁ ଅସହ୍ୟ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ଗର୍ଭବତୀ ଠିକ୍ ସମୟରେ ହସ୍ପିଟାଲ୍ରେ ପହଞ୍ଚି ପାରିନଥିଲେ ଓ ଅଧାବାଟରେ ମୃତ୍ୟୁ ହୋଇଥିଲା। କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ୍ ଗୁଗୁରମାହା ପଞ୍ଚାୟତର ମ୍ଲାଉଗୁଡ଼ା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗ୍ରାମର ମେଚୁ ସୁକାମାଝିଙ୍କ ସ୍ତ୍ରୀ ସୁମନ୍ତି ସୁକାମାଝି (୩୧)ଙ୍କ ଗତକାଲି ପ୍ରସବ ଯନ୍ତ୍ରଣା ହୋଇଥିଲା। କିନ୍ତୁ ଗାଁକୁ ପକ୍କା ରାସ୍ତା ନଥିବାରୁ ୧୦୮ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା।
ସୁମନ୍ତିଙ୍କୁ ଆଶାଦିଦିଙ୍କ ସହାୟତାରେ ୫ କିଲୋମିଟର ଦୋଳା କରି ଜୁଡ଼ାବାଲି ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ହେଲେ ସୁମନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ତାଙ୍କୁ ଆମ୍ବୁଲାନ୍ସରେ ବାଲିଗୁଡ଼ା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଉଥିଲା। କିନ୍ତୁ ପ୍ରସବ ବେଦନା ସହ୍ୟ କରି ନପାରି ସୁମନ୍ତି ତୁମୁଡ଼ିବନ୍ଧ ନିକଟରେ ଆମ୍ବୁଲାନ୍ସରେ ହିଁ ପ୍ରାଣ ହରାଇଥିଲେ। ଏନେଇ କୋଟଗଡ଼ ଥାନା କେସ ନମ୍ବର ୨/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ତୁମୁଡ଼ିବନ୍ଧ ସ୍ବାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
Follow Us