The New Indian Express
କଟକ : ହତ୍ୟା ମାମଲାରେ ନିମ୍ନ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗ କରୁଥିବା ଜଣେ ବ୍ୟକ୍ତିଙ୍କ ଦଣ୍ଡାଦେଶ ହାଇକୋର୍ଟ ରଦ୍ଦ କରିଛନ୍ତି। ଉପଯୁକ୍ତ ପ୍ରମାଣ ଅଭାବରୁ କେନ୍ଦୁଝର ଚମ୍ପୁଆ ଥାନା ଅନ୍ତର୍ଗତ ଶିରପୁର ଗ୍ରାମର ଟୁନୁ ଓରଫ ଚେରେଙ୍ଗ ମୁଣ୍ଡାଙ୍କୁ ହାଇକୋର୍ଟ ହତ୍ୟା ମାମଲାରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଫଳରେ ୨୦୦୬, ଅକ୍ଟୋବର ୨ରୁ ଜେଲ୍ରେ ଥିବା ଟୁନୁ ଜେଲ୍ରୁ ମୁକୁଳିଛନ୍ତି। ଚମ୍ପୁଆ ଥାନାରେ ରୁଜୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରି ୨୦୦୮, ଅଗଷ୍ଟ ୨୯ରେ ଚମ୍ପୁଆ ଅତିରିକ୍ତ ଦୌରା ଜଜ୍ ଅଦାଲତ ଟୁନୁକୁ ଆଇପିସିର ଦଫା ୩୦୨ରେ ଆଜୀବନ କାରାଦଣ୍ଡ ସହିତ ୨ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଥିଲେ। ଏହି ରାୟକୁ ଚାଲେଞ୍ଜ କରି ଟୁନୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ନିମ୍ନ ଅଦାଲତଙ୍କ ଦଣ୍ଡାଦେଶକୁ ରଦ୍ଦ କରିଛନ୍ତି। ଏଥିସହ ଆବେଦନକାରୀ ଟୁନୁଙ୍କୁ ଜେଲ୍ରୁ ମୁକ୍ତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ଟୁନୁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ହୋଇଥିବାରୁ ହାଇକୋର୍ଟ ଆଇନସେବା କମିଟି ପକ୍ଷରୁ ଟୁନୁଙ୍କ ମାମଲା ପରିଚାଳନା ପାଇଁ ଆଇନଜୀବୀ ରାଧାରମଣ ଦାସନାୟକଙ୍କୁ ନିଯୁକ୍ତି ଦିଆଯାଇଥିଲା। ମାଗଣା ଆଇନ ସହାୟତା ପାଇ ଟୁନୁ ୧୬ ବର୍ଷ ପରେ ଜେଲରୁ ମୁକୁଳିବା ସମ୍ଭବ ହୋଇପାରିଛି।
Follow Us