ଜିଲ୍ଲାରୁ ଆସିଲା କଂଗ୍ରେସ ପ୍ରାର୍ଥୀଙ୍କ ତାଲିକା: ୫୦ ପ୍ରାର୍ଥୀଙ୍କ ଟିକଟ୍ ନିଶ୍ଚିତ, ଶେଷ ସପ୍ତାହରେ ଅନ୍ୟମାନଙ୍କ ନିଷ୍ପତ୍ତି

Advertisment

୩୦ରେ ରାଜ୍ୟ କଂଗ୍ରେସର ରାଜନୈତିକ ବ୍ୟାପାର କମିଟି ବୈଠକ, ଜାନୁଆରିରେ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ

୩୦ରେ ରାଜ୍ୟ କଂଗ୍ରେସର ରାଜନୈତିକ ବ୍ୟାପାର କମିଟି ବୈଠକ, ଜାନୁଆରିରେ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ

ଆଞ୍ଚଳିକ ବୈଷମ୍ୟ କମିଟି ଗଠନ କରାଯାଉ: କଂଗ୍ରେସ

ଭୁବନେଶ୍ବର: ଆସନ୍ତା ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ କଂଗ୍ରେସ ପକ୍ଷରୁ ଚଳିତ ମାସ ପ୍ରଥମ ସପ୍ତାହ ସୁଦ୍ଧା ଆଶାୟୀଙ୍କ ତାଲିକା ପିସିସିକୁ ପଠାଇବାକୁ ଜିଲ୍ଲାମାନଙ୍କୁ କୁହାଯାଇଥିଲା। ଏହିଭିତ୍ତିରେ ପ୍ରାୟ ୧୫ ଜିଲ୍ଲା ସେମାନଙ୍କ ଆଶାୟୀ ତାଲିକା ପଠାଇସାରିଲେଣି। ଆଉ କିଛିଦିନ ଭିତରେ ଅନ୍ୟ ଜିଲ୍ଲାଗୁଡ଼ିକ ତାଲିକା ପଠାଇବାକୁ କୁହାଯାଇଛି। ତେବେ ୫୦ଜଣ ପ୍ରାର୍ଥୀଙ୍କୁ ଟିକେଟ୍‌ ମିଳିବା ଏକପ୍ରକାର ସ୍ପଷ୍ଟ ହୋଇସାରିଛି। ଛତିଶଗଡ଼ ନିର୍ବାଚନ ପ୍ରଚାରରୁ ଫେରିବା ପରେ ପିସିସି ସଭାପତି ଶରତ ପଟ୍ଟନାୟକ ଅନ୍ୟ ପ୍ରାର୍ଥୀଙ୍କ ସଂପର୍କରେ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି।

ଯେଉଁ ପ୍ରାର୍ଥୀମାନେ ଗତ ନିର୍ବାଚନରେ ଦ୍ବିତୀୟ ସ୍ଥାନରେ ରହିଥିଲେ କିମ୍ବା ୩୦ ହଜାରରୁ ଅଧିକ ଭୋଟ୍‌ ପାଇଥିଲେ ସେମାନଙ୍କୁ ଟିକେଟ୍‌ ଦେବା ଲାଗି ଏକପ୍ରକାର ନିଷ୍ପତ୍ତି ହୋଇଛି। ଚଳିତମାସ ଶେଷ ସୁଦ୍ଧା ଅନ୍ୟ ପ୍ରାର୍ଥୀଙ୍କ ସଂପର୍କରେ ନିଷ୍ପତ୍ତି ହେବ। ମୋଟ୍‌ ଉପରେ ୧୦୦ଟି ସିଟ୍‌ରେ କଂଗ୍ରେସ ଜୋରଦାର ଲଢ଼େଇ କରିବାକୁ ପ୍ରସ୍ତୁତ ହେଉଛି। ଭୁବନେଶ୍ବରରେ ଥିବା ୩ଟି ବିଧାନସଭା ନିର୍ବାଚନମଣ୍ଡଳୀ ଓ ଲୋକସଭା ପାଇଁ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ପ୍ରଦାନ କରାଯାଇଛି। ଏଥିରେ ଏକାମ୍ର ନିର୍ବାଚନମଣ୍ଡଳୀରୁ ୫, ମଧ୍ୟରୁ ୪ ଓ ଉତ୍ତର ନିର୍ବାଚନମଣ୍ଡଳୀରୁ ୫ଜଣଙ୍କ ନାଁ ଦିଆଯାଇଛି। ଗତ ନିର୍ବାଚନ କଂଗ୍ରେସ ଭୁବନେଶ୍ବର ଲୋକସଭା ଆସନରେ ପ୍ରାର୍ଥୀ ଦେଇ ନ ଥିଲା। ମିଳିତ ପ୍ରାର୍ଥୀ ଜନାର୍ଦ୍ଦନ ପତି ନିର୍ବାଚନ ଲଢ଼ିଥିଲେ। ମାତ୍ର ଆସନ୍ତା ଲୋକସଭା ଆସନ ପାଇଁ ମଧ୍ୟ ୫ଜଣଙ୍କ ନାମ ଦିଆଯାଇଛି। ଏଥିରେ ଜଣେ ବିଧାୟକଙ୍କ ନାମ ରହିଥିବା ସୂଚନା ମିଳିଛି। ହେଲେ ଜାତୀୟସ୍ତରରେ କଂଗ୍ରେସ ଓ ଅନ୍ୟ ଦଳଙ୍କ ‘ଇଣ୍ଡିଆ’ ଢାଞ୍ଚାରେ ରାଜ୍ୟ କଂଗ୍ରେସ ମଧ୍ୟ ୧୭ଟି ଦଳ ସହ ନିଜର ବୈଠକ ଜାରି ରଖିଛି। ଏ ଦୃଷ୍ଟିରୁ ପୂର୍ବଭଳି କଂଗ୍ରେସ ସମର୍ଥିତ ମିଳିତ ପ୍ରାର୍ଥୀଙ୍କୁ ଟିକେଟ୍‌ ମିଳିବ ନା କଂଗ୍ରେସ ନିଜର ପ୍ରାର୍ଥୀ ଦେବ ତାହା ସ୍ପଷ୍ଟ ହୋଇନାହିଁ।

ଅପରପକ୍ଷରେ ଶ୍ରୀମନ୍ଦିର ୪ ଦ୍ବାର ଖୋଲିବା, ରତ୍ନଭଣ୍ଡାର ଗଣତି, ମଣତି ଓ ମରାମତି ସହିତ ୬ ଦଫା ଦାବିରେ ଆସନ୍ତା ଡିସେମ୍ବର ୧ ତାରିଖରେ କଂଗ୍ରେସ ପକ୍ଷରୁ ‘ତୁଳସୀ ଯାତ୍ରା’ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଚଳିତ ମାସ ୩୦ ତାରିଖରେ ରାଜ୍ୟ କଂଗ୍ରେସ କାର୍ଯ୍ୟକାରୀ ଓ ରାଜନୈତିକ ବ୍ୟାପାର କମିଟିର ବୈଠକ ଅନୁଷ୍ଠିତ ହେବ। ଓଡ଼ିଶା ପ୍ରଭାରୀ ଏ.ଚେଲାକୁମାରଙ୍କ ସମେତ ବରିଷ୍ଠ ନେତୃବୃନ୍ଦ ଏଥିରେ ଯୋଗଦେବେ। ଏଥିରେ ମୁଖ୍ୟତଃ ତୁଳସୀ ଯାତ୍ରା ଓ ଏହାର ପରବର୍ତୀ କାର୍ଯ୍ୟକ୍ରମ, ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ଓ ଡିସେମ୍ବର-ଫେବ୍ରୁଆରି ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା ହେବ। ଏହା ପୂର୍ବରୁ ଚଳିତମାସ ୧୦ ତାରିଖରେ ଦଳର ବରିଷ୍ଠ ନେତୃବୃନ୍ଦଙ୍କ ଏକ ବୈଠକ ବସିଥିଲା। ଏଥିରେ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତକୁ ଡିସେମ୍ବର ବଦଳରେ ଜାନୁଆରି ଓ ଅନ୍ୟ ସ୍ଥାନ ବଦଳରେ ଭୁବନେଶ୍ବରରେ ବଡ଼ କାର୍ଯ୍ୟକ୍ରମ କରିବା ଲାଗି ଆଲୋଚନା ହୋଇଛି। ଏହାସହ ‘ତୁଳସୀ ଯାତ୍ରା’ ପରେ ରାଜ୍ୟ ସରକାର ଯଦି କୌଣସି କାର୍ଯ୍ୟପନ୍ଥା ଗ୍ରହଣ ନ କରନ୍ତି, ଏହି ଆନ୍ଦୋଳନକୁ କିଭଳି ପୂର୍ବଭଳି ଜାରି ରଖାଯିବ ତାହା ଉପରେ ନେତୃବର୍ଗ ନିଜର ମତ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe