ଲୁଟ୍‌ ଟଙ୍କା ଉଦ୍ଧାର, ଜେଲ୍‌ ଗଲା ଅଭିଯୁକ୍ତ

କ୍ୟାପିଟାଲ କ୍ରାଇମ: ଦେଢ଼ ଟନ୍ ବିଦ୍ୟୁତ୍‌ ତାର ଜବତ, ୨ ଗିରଫ

କାଳିଆପାଣି: କାଳିଆପାଣି ଥାନା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଅଧୀନ କାଙ୍କଡ଼ପାଳସ୍ଥିତ ବୃହତ୍‌ ପାନୀୟ ଜଳ ପ୍ରକଳ୍ପ ବିଶୋଧନ କାରଖାନା ପରିସରରୁ ଗତ ୩ ତାରିଖ ରାତିରେ ଟଙ୍କାବାକ୍ସ ଲୁଟ୍‌ ଘଟଣାର ଅଭିଯୁକ୍ତକୁ ପୁଲିସ ଗିରଫ କରିବା ସହ କାରଖାନା ପଛପଟ ଧାନବିଲ ଛଣଗଦା ତଳୁ ଟଙ୍କାବାକ୍ସ ଉଦ୍ଧାର କରିଛି। ଏଥିରେ ଥିବା ୧ ଲକ୍ଷ ୩୩ ହଜାର ୬୭୯ ଟଙ୍କା, ୨ଟି ‌ସଂପୂର୍ଣ୍ଣ ଚେକ୍‌ବୁକ୍ ଓ ଏକାଧିକ ଆଶିଂକ ଚେକ୍‌ବୁକ୍‌ ଉଦ୍ଧାର କରାଯାଇଛି। ଗତକାଲି ଅଭିଯୁକ୍ତ ସୂର୍ଯ୍ୟକାନ୍ତ ପରିଡ଼ା ଓରଫ୍ ମିଟୁଆ(୨୨)କୁ ସାଥୀରେ ନେଇ ଥାନାଧିକାରୀ ସୁଶାନ୍ତ କୁମାର ଦାସ ସିନ୍ ରିକ୍ରିଏସନ୍ କରାଇଥିଲେ। ଆଜି କାଳିଆପାଣି ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କଳିଙ୍ଗନଗର ଏଏସ୍‌ପି ସିଲଭେରିଅସ୍ ଟପ୍ପୋ ଏନେଇ ସୂଚନା ଦେଇଛନ୍ତି।

ମିଟୁଆ ଉକ୍ତ କାରଖାନାରେ ଜଣେ ପମ୍ପ ଅପରେଟର ଭାବେ କାମ କରୁଥିଲା। ଗତ କିଛିମାସ ଧରି ସେ ମୋବାଇଲ୍‌ରେ ଅନ୍‌ ଲାଇନ ଜୁଆ ‘ଦମନ’ ଖେଳି ପ୍ରାୟ ୫ ଲକ୍ଷ ଟଙ୍କା ହରାଇଥିଲା। ଏପରିକି ଗତମାସରେ ବାପା ଅଲେଖ ଚନ୍ଦ୍ର ପରିଡ଼ା ଧାନବିକି ରଖିଥିବା ଲକ୍ଷାଧିକ ଟଙ୍କା ନେଇ ସେ ଜୁଆରେ ଉଡ଼ାଇ ଦେଇଥିଲା। ଏଥିପାଇଁ ୨ ମାସ ହେଲା ସେ ମାନସିକ ଅବସାଦରେ ରହୁଥିଲା। ଋଣ କରଜରୁ ମୁକୁଳିବା ଆଶାରେ ସେ ଅଫିସ ଟଙ୍କା ନେବ ବୋଲି ଯୋଜନା କରିଥିଲା। ସେଦିନ କବାଟ ଭାଙ୍ଗୁଥିବା ଶବ୍ଦ ଶୁଣି ସହକର୍ମୀ ଏକଲାସ୍ ସେଖ ଘଟଣାସ୍ଥଳରେ ତାକୁ ଦେଖିଥିଲେ। ଏହାକୁ ପ୍ରଘଟ କଲେ ଜୀବନରେ ମାରିଦେବ ବୋଲି ଏକଲାସଙ୍କୁ ଅଭିଯୁକ୍ତ ମିଟୁଆ ଧମକ ‌ଦେଇଥିଲା। ଆଜି କେସ୍ ନଂ ୨୧/୨୩ ଦଫା ୪୫୭ ଓ ୩୮୦ ରେ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠା ଯାଇଛି। ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ଶ୍ରୀ ଦାସ, ଏସ୍‌ଆଇ ସୁଦାମ ଚରଣ ନନ୍ଦୀ ଓ ଏଏସ୍‌ଆଇ ତ୍ରିଲୋଚନ ସାହୁ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe