ଭଙ୍ଗା ପଲଙ୍କରେ ଶୋଉଛନ୍ତି ମହାପ୍ରଭୁ

ଭାଙ୍ଗିଗଲାଣି ଗଜଦନ୍ତ ରତ୍ନ ପଲଙ୍କ, ମରାମତି ଦାବି କଲେ ପରିଚାଳନା କମିଟି ସଦସ୍ୟ, ସେବାୟତ

ଭଙ୍ଗା ପଲଙ୍କରେ ଶୋଉଛନ୍ତି ମହାପ୍ରଭୁ

ପୁରୀ : ପୁରୁଣା ହେଲାଣି ମହାପ୍ରଭୁଙ୍କ ଗଜଦନ୍ତ ରତ୍ନ ପଲଙ୍କ। ପଲଙ୍କର ଗୋଡ଼ ସହ ଅନ୍ୟାନ୍ୟ ସ୍ଥାନ ସବୁ ଭାଙ୍ଗି ଦୋହଲିଲାଣି; ଲାଗିଥିବା ରୁପା ଛାଡ଼ିଗଲାଣି। ବହୁଦିନରୁ ମରାମତି ଦାବି ହୋଇ ଆସୁଥିଲେ ବି ଶ୍ରୀମନ୍ଦିର ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେଉନାହାନ୍ତି। ଦୈନିକ ଭଙ୍ଗା ପଲଙ୍କରେ ମହାପ୍ରଭୁ ଶୋଉଛନ୍ତି। ଆଉ ଏହି ଭଙ୍ଗା ପଲଙ୍କରେ ସବୁ ନୀତିକାନ୍ତି ହେଉଛି। ସେପଟେ ଯେଉଁ ଶେଯ ପଡ଼ିଛି, ତାହା ବି ପୁରୁଣା ହୋଇଗଲାଣି ବୋଲି ଅଭିଯୋଗ ଉଠିଲାଣି। ନିକଟ ଅତୀତରେ ଶ୍ରୀମନ୍ଦିରର ବିଭିନ୍ନ ଦ୍ବାର ରୁପା ଚାଦରରେ ଆଚ୍ଛାଦିତ କରାଯାଇଥିବା ବେଳେ ମହାପ୍ରଭୁଙ୍କ ଏହି ଭଙ୍ଗା ଗଜଦନ୍ତ ପଲଙ୍କର ମରାମତି ସହ ନୂଆ ଶେଯ, ତକିଆ ଆଦି ବ୍ୟବସ୍ଥା କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ସେବାୟତମାନେ ଦାବି କରିଛନ୍ତି।

ଶ୍ରୀମନ୍ଦିର ଭିତର କାଠ ଡାହାଣପାର୍ଶ୍ବ ଭଣ୍ଡାର ଘର ସମ୍ମୁଖରେ ଶ୍ରୀଜିଉଙ୍କ ଶୟନ କକ୍ଷ ରହିଛି। ଏହିଠାରେ ଶ୍ରୀଜିଉଙ୍କ ଗଜଦନ୍ତ ପଲଙ୍କ ପଡ଼ିଛି। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ସେବାୟତ ପ୍ରତିନିଧି ଜଗନ୍ନାଥ କର କହିଛନ୍ତି, ମହାପ୍ରଭୁ ବଡ଼ସିଂହାର ବେଶ ଓ ବଡ଼ସିଂହାର ଭୋଗ ସରିବା ପରେ ଶୟନ ନୀତି ଅନୁଷ୍ଠିତ ହୋଇଥାଏ। ଶ୍ରୀଜିଉମାନଙ୍କ ପାଇଁ ତିନିଟି ପଲଙ୍କ ରହିଛି। ବଡ଼ଠାକୁର ବଳଭଦ୍ରଙ୍କ ଗୋଟିଏ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଗୋଟିଏ ଓ ଦେବୀ ସୁଭଦ୍ରାଙ୍କ ଗୋଟିଏ ପଲଙ୍କ ରହିଛି। ଶ୍ରୀମନ୍ଦିରରେ ଯାହା ବି ନୀତିକାନ୍ତି ହୁଏ, ସବୁ ମହାପ୍ରଭୁଙ୍କ ଆଜ୍ଞାରେ ହିଁ ହୁଏ। ଭଙ୍ଗା ପଲଙ୍କ, ପୁରୁଣା ଶେଯ ସଂପର୍କରେ ଶ୍ରୀ କର କହିଛନ୍ତି, ସେବାୟତ ହିସାବରେ ନିଶ୍ଚିତପକ୍ଷେ ଆମେ ସବୁ ଜାଣିଛୁ। କିନ୍ତୁ ଏଥିପାଇଁ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ରହିଛି। ଶ୍ରୀମନ୍ଦିର ପ୍ରଶାସନ ପାଖକୁ ଏ ସମ୍ପର୍କିତ ଲିଖିତ ଅଭିଯୋଗ ଆସିବା ଦରକାର। ଆମେ ଏହା ଉପରେ ନଜର ରଖିଛୁ। ମହାପ୍ରଭୁଙ୍କ ପଲଙ୍କ ତିଆରି କରିବାକୁ ବ୍ୟବସ୍ଥା ଚାଲିଛି। କିନ୍ତୁ ସମ୍ପୃକ୍ତ ନିଯୋଗ ପକ୍ଷରୁ କିଛି ନିର୍ଦ୍ଦିଷ୍ଟ ଅଭିଯୋଗ ହୋଇନାହିଁ।

ନୂଆ ପଲଙ୍କ ତିଆରି ପାଇଁ ନିଷ୍ପତ୍ତି ହୋଇଛି: ନୀତି ପ୍ରଶାସକ

ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ଚନ୍ଦ୍ର ମହାପାତ୍ର କହିଛନ୍ତି, ପ୍ରତିଦିନ ମହାପ୍ରଭୁଙ୍କ ଶୟନ ସମୟରେ ରତ୍ନ ପଲଙ୍କର ଆବଶ୍ୟକ
ପଡ଼ିଥାଏ। ରତ୍ନ ପଲଙ୍କ ତଦାରଖ ଦାୟିତ୍ବ ଖଟଶେଯ ସେବାୟତଙ୍କର। କିନ୍ତୁ ଏହି ପଲଙ୍କର ଗୋଡ଼ ଆଦି ହଲୁଛି। ଆମ ନଜରକୁ ବି ଏ ସମସ୍ୟା ଆସିଛି। ଥରେ ଏହାର ମରାମତି କରାଯାଇଥିଲା। କିନ୍ତୁ ମରାମତିରେ ଏହି ପଲଙ୍କ ବେଶି ଦିନ ଯିବନି। ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ ଦୃ‌ଷ୍ଟି ଦେବା ଦରକାର। ଆଉ ଗୋଟିଏ ଗୋଟିଏ ସେଟ୍‌ ପଲଙ୍କ ହେବା ଦରକାର। ଶ୍ରୀମନ୍ଦିର ପ୍ରଶାସନ ସହ ଭକ୍ତମାନେ ବି ଏ ବାବଦରେ ଦାନ ଦେବାକୁ ଶ୍ରୀ ମହାପାତ୍ର ନିବେଦନ କରିଛନ୍ତି। ହାତୀ ଦାନ୍ତ ତ ‌‌ଏବେ ନୂଆ ଆଣିବା ସମ୍ଭବ ନୁହେଁ, ଏଣୁ ଯେଉଁ ନୂଆ ପଲଙ୍କ ତିଆରି ହେବ ସେଥିରେ ଏହି ଦାନ୍ତ ଲାଗିପାରିବ। କିନ୍ତୁ ନୂଆ ପଲଙ୍କ ସହ ଗୋଟିଏ ଲେଖାଏଁ ଅତିରିକ୍ତ ପଲଙ୍କ ବି ତିଆରି ହେବା ଆବଶ୍ୟକ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଶ୍ରୀମନ୍ଦିର ଖୁଣ୍ଟିଆ ନିଯୋଗ ସଭାପତି ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, ପଲଙ୍କ ଭାଙ୍ଗିଥିବା ସମେସ୍ତ ଜାଣିଛନ୍ତି। ଜିଲ୍ଲାପାଳଙ୍କୁ ବି ଏ ସମ୍ପର୍କରେ ଅବଗତ କରାଯାଇଛି। ଜିଲ୍ଲାପାଳ ବି ଏ ଦିଗରେ ପଦକ୍ଷେପ ନେବାକୁ ଯୋଜନା କରିଛନ୍ତି। ରତ୍ନ ପଲଙ୍କ ସହ ଶେଯ, ତକିଆ ଆଦି ନୂଆ ତିଆରି ହେବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।

ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି, ମହାପ୍ରଭୁ ଶୋଉଥିବା ଶେଯ, ତକିଆ ପୁରୁଣା ହୋଇ ଯାଇଥିବା ଅଭିଯୋଗରେ କୌଣସି ସତ୍ୟତା ନାହିଁ। ମୁଁ ନିଜେ ସ୍ଥିତି ଅନୁଧ୍ୟାନ କରିଛି। ପଲଙ୍କ ପାଇଁ ନୂଆ ଶେଯ, ତକିଆ ଆଦି କିଣାଯାଇଛି। ନିୟମିତ ବ୍ୟବଧାନରେ ଏହା ବଦଳାଯାଉଛି। ନୂଆ ଖଟ ତିଆରି କରିବାକୁ ଯୋଜନା ପ୍ରସ୍ତୁତ ସରିଛି। ଖୁବଶୀଘ୍ର ଏହି କାମ ଆରମ୍ଭ ହେବ ବୋଲି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe