ତରଭା: ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ୍ ନୂଆଁପାଲି ଗାଁର ଲଛମନ ବାଗଙ୍କ ବଡ଼ପୁଅ ପୂର୍ଣ୍ଣ ବାଗ ୧୫ ବର୍ଷ ପରେ ଘରକୁ ଫେରିଛନ୍ତି। ସୂଚନା ଅନୁଯାୟୀ, ପୂର୍ଣ୍ଣ ବାଗ ୨୦୦୮ ମସିହାରେ ମାନସିକ ସନ୍ତୁଳନ ହରାଇ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ଖୋଜାଖୋଜି କରି ନପାଇବାରୁ ତରଭା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ବି ତାଙ୍କ କୌଣସି ଖୋଜଖବର ପାଇନଥିଲା। ପରିବାର ଲୋକେ ଆଶା ଛାଡ଼ିଦେଇଥିଲେ। ଅଚାନକ ଗତ ୧୨ ତାରିଖରେ ତରଭା ଥାନାକୁ ତାମିଲନାଡ଼ୁ ରାମନାଥମପୁରମର ଏକ ସ୍ବେଚ୍ଛାସେବୀ ସଂଗଠନ କର୍ମକର୍ତ୍ତା ଫୋନ୍ କରିଥିଲେ।
ନୂଆଁପାଲି ଗ୍ରାମର ଜଣେ ଯୁବକ ତାଙ୍କ ପାଖରେ ଥିବା ନେଇ ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଥିଲା। ଥାନାରୁ ଖବର ପାଇ ପରିବାର ଲୋକେ ଯୋଗାଯୋଗ କରିଥିଲେ। ସମାଜସେବୀ ମନୋଜ ମନହୀରା ଉକ୍ତ ସଂଗଠନ ସହିତ ଯୋଗାଯୋଗ କରି ପୂର୍ଣ୍ଣଙ୍କୁ ଫେରାଇ ଆଣିବା ପାଇଁ ପ୍ରଚେଷ୍ଟା କରିଥିଲେ। ପୂର୍ଣ୍ଣର ସାନଭାଇ ମନୋଜ, ଷଷ୍ଠୀ ବାଗଙ୍କ ସହିତ ତାମିଲନାଡୁ ଯାଇ ସ୍ୱେଚ୍ଛାସେବୀ ଅନୁଷ୍ଠାନର ମୁଖ୍ୟ ଦଶରଥ ଭୂପତିଙ୍କ ସହ ଆଲୋଚନା କରି ପୂର୍ଣ୍ଣଙ୍କୁ ଘରକୁ ଆଣିଥିଲେ।
Follow Us