ମା’ କଟକ ଚଣ୍ଡୀ ମନ୍ଦିର ପାଇବ ନୂଆ ରୂପ: ସପ୍ତାହେ ମଧ୍ୟରେ ପାରିପାର୍ଶ୍ବିକ ବିକାଶ ଓ ସୌନ୍ଦର୍ଯ୍ୟୀକରଣ ‌ଯୋଜନା ପ୍ରସ୍ତୁତ ହେବ: ଭି.କେ ପାଣ୍ଡିଆନ୍

Advertisment

ସକାଳେ ସଚିବଙ୍କ ଗସ୍ତ, ସଂଧ୍ୟାରେ ପହଞ୍ଚିଲେ ପ୍ରଶାସନିକ ଓ ବୈଷୟିକ ଟିମ୍‌

ସକାଳେ ସଚିବଙ୍କ ଗସ୍ତ, ସଂଧ୍ୟାରେ ପହଞ୍ଚିଲେ ପ୍ରଶାସନିକ ଓ ବୈଷୟିକ ଟିମ୍‌

ମା’ କଟକ ଚଣ୍ଡୀ ମନ୍ଦିର ପାଇବ ନୂଆ ରୂପ: ସପ୍ତାହେ ମଧ୍ୟରେ ପାରିପାର୍ଶ୍ବିକ ବିକାଶ ଓ ସୌନ୍ଦର୍ଯ୍ୟୀକରଣ ‌ଯୋଜନା ପ୍ରସ୍ତୁତ ହେବ: ଭି.କେ ପାଣ୍ଡିଆନ୍

କଟକ: ଦୀର୍ଘଦିନର ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ମା’ କଟକ ଚଣ୍ଡୀଙ୍କ ମନ୍ଦିରର ନବକଳେବର ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ସକାଳେ ୫ଟି ସଚିବ ଭି.କେ. ପାଣ୍ଡିଆନ ମନ୍ଦିରକୁ ଆସି ମା’ଙ୍କ ଦର୍ଶନ କରିବା ସହିତ ମନ୍ଦିରର ପାରିପାର୍ଶ୍ବିକ ବିକାଶ ଓ ସୌନ୍ଦର୍ଯ୍ୟୀକରଣ ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରି ୭ଦିନ ଭିତରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ପଠାଇବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ସକାଳେ ସଚିବଙ୍କ ଗସ୍ତ ପରେ ସନ୍ଧ୍ୟାରେ ସିଡିଏ ଅଧ୍ୟକ୍ଷଙ୍କ ନେତୃତ୍ବରେ ଏକ ବୈଷୟିକ ଟିମ୍‌ ଚଣ୍ଡୀ ମନ୍ଦିରରେ ପହଞ୍ଚି ପ୍ରଶାସନିକ ଅଧିକାରୀ, ଦେବୋତ୍ତର ବିଭାଗ ଅଧିକାରୀ ଓ ମନ୍ଦିର କମିଟି ସଦସ୍ୟଙ୍କ ସହିତ ଆଲୋଚନା କରିଛନ୍ତି। ଓବିସିସି ପକ୍ଷରୁ ମନ୍ଦିରର ବିକାଶ ଓ ସୌନ୍ଦର୍ଯ୍ୟୀକରଣ ଯୋଜନା ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି।

ଆଜି ଭୋର୍‌ ସମୟରେ ୫ଟି ସଚିବ ମା’ କଟକ ଚଣ୍ଡୀଙ୍କ ମନ୍ଦିର ପରିଦର୍ଶନ କରିବା ସହ ପୂଜାର୍ଚ୍ଚନା, ବେଢ଼ା ପରିକ୍ରମା କରିଥିଲେ। ତାଙ୍କର ଗସ୍ତ ସମୟରେ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ମନ୍ଦିର ଦାୟିତ୍ବରେ ଥିବା ଦେବୋତ୍ତର ଅଧିକାରୀ, ସେବାୟତ ଏବଂ ଟ୍ରଷ୍ଟିମାନେ ଉପସ୍ଥିତ ରହିଥିଲେ। ବର୍ଷାରେ ମନ୍ଦିର ବେଢ଼ାରେ ପାଣି ଜମିବା, ଭକ୍ତଙ୍କ ବେଢ଼ା ପରିକ୍ରମାରେ ସମସ୍ୟା, ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, ପାରିପାର୍ଶ୍ବିକ ବିକାଶ ଏବଂ ସୌନ୍ଦର୍ଯ୍ୟୀକରଣ ଓ ପାର୍କିଂ ସମସ୍ୟା ସଂପର୍କରେ ମନ୍ଦିର ପରିଚାଳନାରେ ସଂପୃକ୍ତ ପକ୍ଷମାନେ ସଚିବ ଶ୍ରୀ ପାଣ୍ଡିଆନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମା’ କଟକ ଚଣ୍ଡୀ ମନ୍ଦିର ପୂଜକ ପ୍ରତିନିଧି ମନୋଜ ପଣ୍ଡାଙ୍କ ସମେତ ସମସ୍ତ ପୂଜକମଣ୍ଡଳୀ ଉପସ୍ଥିତ ରହି ସଚିବଙ୍କୁ ବିଭିନ୍ନ ପ୍ରସଙ୍ଗରେ ଅବଗତ କରାଇଥିଲେ। ସଚିବ ଶ୍ରୀ ପାଣ୍ଡିଆନ ମନ୍ଦିରର ବିକାଶ ନିମନ୍ତେ କେଉଁସବୁ ପଦକ୍ଷେପ ନିଆଯିବା ଆବଶ୍ୟକ, ସେ ସଂପର୍କରେ ମନ୍ଦିର କମିଟି ତଥା ପରିଚାଳନା ଦାୟିତ୍ବରେ ଥିବା ସଭ୍ୟ ଓ ଅନ୍ୟ କାର୍ଯ୍ୟନିର୍ବାହୀ ସଦସ୍ୟମାନେ ଆଲୋଚନା କରି ଜିଲ୍ଲାପାଳଙ୍କୁ ଲିଖିତ ଆକାରରେ ଏକ ପ୍ରସ୍ତାବ ଦେବାକୁ ପରାମର୍ଶ ଦେଇଥିଲେ। ସଚିବ ମନ୍ଦିର କାର୍ଯ୍ୟାଳୟରେ ପହଞ୍ଚି ସିଏମ୍‌ସି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏକ ନକ୍ସାକୁ ଅନୁଧ୍ୟାନ କରିବା ସହ ମନ୍ଦିର ଛାତ ଉପରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, କଟକ ଉନ୍ନୟନ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଅନିଲ କୁମାର ସାମଲ, ସିଏମ୍‌ସି କମିସନର ଅନନ୍ୟା ଦାସ, ଡିସିପି ପ୍ରତୀକ ସିଂଙ୍କ ସମେତ ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ମାଝୀ, ବିଭିନ୍ନ ବିଭାଗର ଯନ୍ତ୍ରୀ ଓ ଅଧିକାରୀମାନେ ଉପସ୍ଥିତ ଥିଲେ। ଅନ୍ୟପଟେ ସଂଧ୍ୟାରେ ସିଡିଏ ଅଧ୍ୟକ୍ଷ ଶ୍ରୀ ସାମଲ, ଜିଲ୍ଲାପାଳ, ସିଏମ୍‌ସି କମିସନର, ଓବିସିସିର ଏମ୍‌ଡି, ମୁଖ୍ୟଯନ୍ତ୍ରୀ, ଆରଏଣ୍ଡବିର ମୁଖ୍ୟଯନ୍ତ୍ରୀ, ଆର୍କିଟେକଚରଙ୍କ ସମେତ ପୂର୍ତ୍ତ, ଓବିସିସି ଓ ସିଏମ୍‌ସିର ଅଧିକାରୀ ମନ୍ଦିରରେ ପହଞ୍ଚି ମନ୍ଦିର ପରିଚାଳନା କମିଟି ଓ ଦେବୋତ୍ତର ବିଭାଗ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe